ସରକାରୀ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଲାଗି ସଂରକ୍ଷଣ ବ୍ୟବସ୍ଥା, ସବୁ ମହଲରେ ସ୍ୱାଗତ

ଡାକ୍ତରୀ ଓ ଇଞ୍ଜିନିୟରିଂ ପାଠ୍ୟକ୍ରମରେ ନାମଲେଖା ବେଳେ ସରକାରୀ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ରହିବ। ୨୦୨୦-୨୧ ଶିକ୍ଷାବର୍ଷରୁ ଏହି ବ୍ୟବସ୍ଥା ଲାଗୁ କରିବାକୁ ରାଜ୍ୟ କ୍ୟାବିନେଟ୍‌‌ରେ ନିଷ୍ପତ୍ତି ନିଆଯାଇଛି। ଏଥିସହ ଓଡ଼ିଶାର ଗୌରବମୟ ଐତିହ୍ୟ ତଥା ପ୍ରାଚୀନ କାଳରୁ ଆଧୁନିକ ଯୁଗ ପର୍ଯ୍ୟନ୍ତ ଏ ଜାତିକୁ ମହିମାମଣ୍ଡିତ କରିଥିବା ବରପୁତ୍ରଙ୍କ କାର୍ଯ୍ୟ ଓ ଜୀବନୀକୁ ବିଭିନ୍ନ ପାଠ୍ୟକ୍ରମରେ ସାମିଲ କରାଯିବ। ସପ୍ତମ, ଅଷ୍ଟମ ଓ ନବମ ଶ୍ରେଣୀର ମେଧାବୀ ଛାତ୍ରଛାତ୍ରୀଙ୍କୁ ମଧ୍ୟ ବାର୍ଷିକ ବୃତ୍ତି ପ୍ରଦାନ କରାଯିବ। ରାଜ୍ୟ କ୍ୟାବିନେଟ୍‌ରେ ଏହି ଦୁଇ ପ୍ରସ୍ତାବକୁ ମଞ୍ଜୁରୀ ଦିଆଯିବା ପରେ ସବୁ ମହଲରେ ନିଷ୍ପତ୍ତିକୁ ସ୍ବାଗତ କରାଯିବା ସହ ଐତିହାସିକ ବୋଲି ମତବ୍ୟକ୍ତ କରିଛନ୍ତି। ରାଜ୍ୟ ସରକାରଙ୍କ ନିଷ୍ପତ୍ତି ପରେ ଆଜି ସନ୍ଧ୍ୟାରେ କ୍ୟାପିଟାଲ ହାଇସ୍କୁଲ, ୟୁନିଟ୍‌-୧ ବାଳକ ଉଚ୍ଚ ବିଦ୍ୟାଳୟରେ ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀ, ଅଭିଭାବକ ସାମିଲ ହୋଇ ଉତ୍ସବ ମନାଇଛନ୍ତି।

ମୁଖ୍ୟମନ୍ତ୍ରୀ ଯାହା କୁହନ୍ତି, ତାହାକୁ କାର୍ଯ୍ୟକାରୀ କରନ୍ତି
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଐତିହାସିକ ନିଷ୍ପତ୍ତି ନେଇଛନ୍ତି। ସେ ପୁଣିଥରେ ପ୍ରମାଣ କରିଛନ୍ତି ‌ଯେ ଯାହା କୁହନ୍ତି ତାହାକୁ କାର୍ଯ୍ୟରେ ପରିଣତ କରନ୍ତି। ବିଜୁ ଜନତା ଦଳର ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଯେଉଁ ପ୍ରସ୍ତାବ ଆସିଥିଲା ଦଳର ସଭାପତି ଭାବେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ତାହାକୁ ଗ୍ରହଣ କରିଥିଲେ। ଆଉ ଆଜି ପ୍ରସ୍ତାବରେ ମୋହର ବାଜିଛି। ସଂରକ୍ଷଣ ବ୍ୟବସ୍ଥା ନିଷ୍ପତ୍ତିକୁ ସବୁ ମହଲରେ ସ୍ବାଗତ କରାଯାଉଛି। ଗ୍ରାମାଞ୍ଚଳର ପିଲାମାନେ ଉଚ୍ଚଶିକ୍ଷା ଲାଗି କୋଚିଂ ନେବାରେ ଯେଉଁ ଅସୁବିଧାର ସମ୍ମୁଖୀନ ହେଉଥିଲେ ତାହା ଦୂର ହେବ। ଏହାଦ୍ବାରା ପିଲା ଓ ଅଭିଭାବକଙ୍କ ମଧ୍ୟରେ ଆତ୍ମବିଶ୍ବାସ ବଢ଼ିବ।
ସମୀର ରଞ୍ଜନ ଦାଶ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ
ଐତିହାସିକ ନିଷ୍ପତ୍ତି
ସରକାରୀ ସ୍କୁଲଗୁଡ଼ିକରେ ପଢ଼ୁଥିବା ମେଧାବୀ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏହି ନିଷ୍ପତ୍ତି ଆତ୍ମବିଶ୍ବାସ ସୃଷ୍ଟି କରିବ। ଏହା ଏକ ଐତିହାସିକ ଓ ସମୟୋଚିତ ପଦକ୍ଷେପ। ଆଗାମୀ ଦିନରେ ସରକାରୀ ସ୍କୁଲର ମେଧାବୀ ଛାତ୍ରଛାତ୍ରୀଙ୍କୁ ଏହା ପ୍ରୋତ୍ସାହିତ କରିବା ସହ ଉଚ୍ଚଶିକ୍ଷା ପାଇଁ ଉତ୍ସାହ ପ୍ରଦାନ କରିବ। ଏଥିସହ ବିଦ୍ୟାଳୟ ପାଠ୍ୟକ୍ରମରେ ଓଡ଼ିଶାର ଐତିହ୍ୟ, ସଂସ୍କୃତି ବଜାୟ ରଖିବା ପାଇଁ ଓଡ଼ିଶାର ବରପୁତ୍ରଙ୍କ କାର୍ଯ୍ୟ, ଜୀବନୀ ଆଧାରିତ ବିଷୟଗୁଡିକ ସାମିଲ କରିବା, ୭ମ, ୮ମ, ୯ମ ଶ୍ରେଣୀ ଛାତ୍ରଛତ୍ରୀଙ୍କ ପାଇଁ ସ୍ବତନ୍ତ୍ର ପ୍ରକ୍ରିୟାରେ ବିଷୟ ଚୟନ ଓ ମେଧାବୀ ଛାତ୍ରଛାତ୍ରୀଙ୍କୁ ସ୍ବତନ୍ତ୍ର ସମ୍ମାନ ସହ ବୃତ୍ତି ପ୍ରଦାନ ପାଇଁ ମଧ୍ୟ ନିଷ୍ପତ୍ତି ହୋଇଛି। ଏହାଦ୍ବାରା ଛାତ୍ରଛାତ୍ରୀ ନିଜ ରାଜ୍ୟର ଐତିହ୍ୟ ଓ ବରପୁତ୍ରମାନଙ୍କ ଜୀବନୀ ପାଠ୍ୟକ୍ରମରେ ପଢି ପ୍ରେରିତ ହେବା ସହ ଉତ୍ସାହିତ ହେବେ।
ଦେବୀ ରଞ୍ଜନ ତ୍ରିପାଠୀ, ସଭାପତି, ବିଜୁ ଛାତ୍ର ଜନତା ଦଳ
ରିପୋର୍ଟ ପରେ ସ୍ପଷ୍ଟ ହେବ
ନିଷ୍ପତ୍ତି ସ୍ବାଗତ‌ଯୋଗ୍ୟ। ତେବେ ଗଠିତ ହୋଇଥିବା କମିଟି ରି‌ପୋର୍ଟ ଦେବା ପରେ ଏହାର ମୋଡାଲିଟି କ’ଣ ରହିଛି ତାହା ଜଣାପଡ଼ିବ। ସଂରକ୍ଷଣ ବ୍ୟବସ୍ଥା ହେବା ଦ୍ବାରା ଓଡ଼ିଆ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସାହସ ହେବ। ଆତ୍ମବିଶ୍ବାସ ବଢ଼ିବ। ପିଲାମାନଙ୍କ ଉଚ୍ଚଶିକ୍ଷା ଲାଗି ଏହା ବେଶ ଉପଯୋଗୀ ହେବ। ଅଭିଭାବକ ବି ନିଜ ପିଲାଙ୍କୁ ସରକାରୀ ସ୍କୁଲରେ ପଢ଼ାଇବା ଲାଗି ଉତ୍ସାହିତ ହେବେ। ଛାତ୍ରଛାତ୍ରୀଙ୍କୁ ପିଲାଟି ଦିନକୁ ସେଭଳି ମାନସିକତାରେ ପ୍ରସ୍ତୁତ କରାଇବେ। ବିଜେଡି ରାଜ୍ୟ କାର୍ଯ୍ୟକାରିଣୀରେ ହୋଇଥିବା ପ୍ରସ୍ତାବ ଆଲୋଚନା କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏତେ ଶୀଘ୍ର ଘୋଷଣା କରି ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି।
ଶରତ କୁମାର କର, ଶିକ୍ଷାବିତ୍‌


ସରକାରୀ ବିଦ୍ୟାଳୟ ପିଲାଙ୍କ ପାଇଁ ସୁଯୋଗ
ଏହା ଏକ ଭଲ ପଦକ୍ଷେପ। ସରକାରୀ ସ୍କୁଲର ମେଧାବୀ ପିଲାମାନେ ଭଲ ପ୍ରଦର୍ଶନ କରି ଇଞ୍ଜିନିୟରିଂ ଓ ମେଡିକାଲ ପାଠ୍ୟକ୍ରମରେ ପଢ଼ିବା ଲାଗି ଯୋଗ୍ୟତା ଅର୍ଜନ କରିପାରିବେ। ଏବେ ଦେଖାଯାଉଛି ଯେ ଘରୋଇ ବିଦ୍ୟାଳୟର ଛାତ୍ରଛାତ୍ରୀ ପଢ଼ିବା ସହ କୋଚିଂ ନେଇ ଜାତୀୟସ୍ତରୀୟ ପ୍ରବେଶିକା ପରୀକ୍ଷାରେ ଭଲ ପ୍ରଦର୍ଶନ କରିପାରୁଛନ୍ତି। ଏ କ୍ଷେତ୍ରରେ ଆମ ପିଲାମାନେ ପଛରେ ରହୁଛନ୍ତି। ରାଜ୍ୟ ସରକାରଙ୍କ ସଂରକ୍ଷଣ ବ୍ୟବସ୍ଥା ରହିବା ଫଳରେ ସେହି ପିଲାଙ୍କ ଲାଗି ସୁଯୋଗ ସୃଷ୍ଟି ହୋଇଛି। ସେମାନେ ବି ସଂରକ୍ଷଣ ବ୍ୟବସ୍ଥାରେ ରହି ଘରୋଇ ବିଦ୍ୟାଳୟ ପିଲାଙ୍କ ସହ ମିଶି ଉଚ୍ଚଶିକ୍ଷା କରିବାକୁ ଯୋଗ୍ୟତା ଅର୍ଜନ କରିପାରିବେ।
ସୋନାମିକା ରୟ, ପ୍ରଧାନଶିକ୍ଷୟିତ୍ରୀ, କ୍ୟାପିଟାଲ ହାଇସ୍କୁଲ
ମେଧାବୀ ଛାତ୍ରଛାତ୍ରୀ ଉପକୃତ ହେବେ
ସରକାରୀ ବିଦ୍ୟାଳୟ ପିଲାଙ୍କ ଲାଗି ସଂରକ୍ଷଣ ବ୍ୟବସ୍ଥା ରହିବା ଏକ ଭଲ ପଦକ୍ଷେପ। ଏହାଦ୍ବାରା ଅନେକ ମେଧାବୀ ଛାତ୍ରଛାତ୍ରୀ ଉପକୃତ ହେବେ। ବିଶେଷକରି ଗ୍ରାମାଞ୍ଚଳର ଯେଉଁ ପିଲାମାନେ ଉଚ୍ଚଶିକ୍ଷା ଲାଗି ଘରୋଇ ବିଦ୍ୟାଳୟ ତଥା ସିବିଏସ୍‌ଇ ମାଧ୍ୟମ ଛାତ୍ରଛାତ୍ରୀଙ୍କ ସହ ପ୍ରତିଦ୍ବନ୍ଦ୍ବିତା କରିପାରୁ ନ ଥିଲେ ସେମାନଙ୍କ ଲାଗି ଏହା ସହାୟକ ହେବ। ଅଭିଭାବକ ବି ସେମାନଙ୍କ ପିଲାଙ୍କୁ ସରକାରୀ ବିଦ୍ୟାଳୟରେ ପଢ଼ାଇବା ଲାଗି ଆଗ୍ରହ ଦେଖାଇବେ। ମେଧାବୀ ଛାତ୍ରଛାତ୍ରୀଙ୍କୁ ଉପଯୁକ୍ତ ନ୍ୟାୟ ମିଳିବ ବୋଲି ଆଶା କରାଯାଉଛି। ଭବିଷ୍ୟତରେ ଏହାର ପ୍ରଭାବ ଅଭିଭାବକଙ୍କ ଉପରେ ପଡ଼ିବ।
ସୁଶ୍ରୀ ସଙ୍ଗୀତା ପଣ୍ଡା, ପ୍ରଧାନଶିକ୍ଷୟିତ୍ରୀ, ୟୁନିଟ୍‌-୧ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ
ବିଳମ୍ବ ‌ହେଲେ ମଧ୍ୟ ନିଦ ଭାଙ୍ଗିଛି
ଆଜିର ଦିନରେ ଓଡ଼ିଆ ମାଧ୍ୟମିକ ବିଦ୍ୟାଳୟ ଧୀରେ ଧୀରେ ଏହାର ଗୌରବ ହରାଇବାକୁ ଯାଉଛି। ବିଭିନ୍ନ କାରଣରୁ ଛାତ୍ରଛାତ୍ରୀ ଓ ଅଭିଭାବକ ସରକାରୀ ବିଦ୍ୟାଳୟରୁ ମୁହଁ ଫେରାଇ ଘରୋଇ ବିଦ୍ୟାଳୟ ଆଡ଼କୁ ଅଗ୍ରସର ହେବାକୁ ଲାଗିଛନ୍ତି। ବିଦ୍ୟାଳୟରେ ଶିକ୍ଷକ ଅଭାବ, ସରକାରୀ ବିଦ୍ୟାଳୟ ନିକଟରେ ଘରୋଇ ବିଦ୍ୟାଳୟ ଖୋଲିବାକୁ ରାଜ୍ୟ ସରକାର ନିରବଚ୍ଛିନ୍ନ ଭାବେ ଏନ୍‌ଓସି ପ୍ରଦାନ, ସରକାରୀ ବିଦ୍ୟାଳୟରେ ଉପଯୁକ୍ତ ଭିତ୍ତିଭୂମି ଅଭାବ, ସରକାରୀ ତହବିଲ୍‌ରୁ ଦରମା ଓ ଭତ୍ତା ପାଉଥିବା ସରକାରୀ କର୍ମଚାରୀ, ଶିକ୍ଷକ ଓ ରାଜନେତା ସେମାନଙ୍କ ପିଲାଙ୍କୁ ଘରୋଇ ବିଦ୍ୟାଳୟକୁ ପଠାଉଛନ୍ତି। ଯେଉଁଥିପାଇଁ ଶାସନ ଓ ପ୍ରଶାସନରେ ଥିବା ବ୍ୟକ୍ତିବିଶେଷ ସରକାରୀ ବିଦ୍ୟାଳୟର ଅଭିବୃଦ୍ଧି ନିମନ୍ତେ ଚିନ୍ତାପ୍ରକଟ କରୁନାହାନ୍ତି। ଯାହା ହେଉ ବିଳମ୍ବରେ ହେଲେ ମଧ୍ୟ ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ସରକାରୀ ବିଦ୍ୟାଳୟରେ ପଢୁଥିବା ପିଲାଙ୍କ ପାଇଁ ଇଞ୍ଜିନିୟରିଂ ଓ ଡାକ୍ତରୀ ପଢିବା କ୍ଷେତ୍ରରେ ସ୍ଥାନ ସଂରକ୍ଷଣର ବ୍ୟବସ୍ଥା ନିମନ୍ତେ କ୍ୟାବିନେଟ୍‌ରେ ସଂକଳ୍ପ ପାରିତ ହୋଇଛି। ବହୁତ ନହେଲେ ମଧ୍ୟ ଏହା ମେଧାବୀ ଛାତ୍ରଛାତ୍ରୀଙ୍କୁ ସରକାରୀ ବିଦ୍ୟାଳୟରେ ପଢିବା ପାଇଁ ନିଶ୍ଚିତ ଆକୃଷ୍ଟ କରିବ।
ପ୍ରକାଶ ଚନ୍ଦ୍ର ମହାନ୍ତି, ସାଧାରଣ ସଂପାଦକ, ଓଷ୍ଟା
ଗରିବ ଛାତ୍ରଛାତ୍ରୀ ଉପକୃତ ହେବେ
ଐତିହାସିକ ନିଷ୍ପତ୍ତି। ଆଧୁନିକ ଶିକ୍ଷା ସୁଯୋଗରୁ ବଞ୍ଚିତ ହେଉଥିବା ଗରିବ ମେଧାବୀ ଛାତ୍ରଛାତ୍ରୀ ଏହି ନିଷ୍ପତ୍ତି ଦ୍ୱାରା ଉପକୃତ ହେବେ। ତେବେ ରାଜ୍ୟ ସରକାର କେତେ ସଂଖ୍ୟକ ଛାତ୍ରଛାତ୍ରୀଙ୍କୁ ସଂରକ୍ଷଣ ସୁବିଧା କରିପାରିବେ ତାହା ଦେଖିବାକୁ ବାକି ରହିଲା। ଏହା ଏକ ସ୍ବଳ୍ପମିଆଦି ଯୋଜନା। ସମାଧାନ ହେଇପାରେ। କିନ୍ତୁ ଦୀର୍ଘମିଆଦି ବ୍ୟବସ୍ଥା ପାଇଁ ରାଜ୍ୟ ସରକାର ବିଦ୍ୟାଳୟସ୍ତରରୁ ପ୍ରତିଯୋଗୀତାମୂଳକ ପରୀକ୍ଷା ପାଇଁ ଆଧୁନିକ ଶିକ୍ଷା ଭିତ୍ତିଭୂମି ବିକାଶ ଉପରେ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି।
ବିପ୍ଳବ ପ୍ରକାଶ ମହାନ୍ତି, ଆବାହକ, ଓଡ଼ିଶା ବୈଷୟିକ ଓ ବୃତ୍ତିଗତ ଛାତ୍ର ସଂଘ
ସର୍ବୋତ୍ତମ ଶିକ୍ଷା ବ୍ୟବସ୍ଥାରେ ପରିଣତ ହେବ ଓଡ଼ିଶା
ଆଜି ରାଜ୍ୟ କ୍ୟାବିନେଟ୍‌ରେ ନିଆଯାଇଥିବା ନିଷ୍ପତ୍ତି ସ୍ବାଗତଯୋଗ୍ୟ। ଛାତ୍ରଛାତ୍ରୀଙ୍କ ଲାଗି ସଂରକ୍ଷଣ ବ୍ୟବସ୍ଥାକୁ ଓଡ଼ିଶା ଅଭିଭାବକ ମହାସଂଘ ସ୍ୱାଗତ କରୁଛି। ୩ ମାସ ମଧ୍ୟରେ ଏସମ୍ପର୍କିତ ରିପୋର୍ଟ ପ୍ରସ୍ତୁତ କରିବାକୁ ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯିବ ବୋଲି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଓଡ଼ିଶାର ଶିକ୍ଷା କ୍ଷେତ୍ରରେ ଏଭଳି ବିକାଶ ଦେଖି ଆମେ ଗଭୀର ଆନନ୍ଦିତ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହି ପଦକ୍ଷେପକୁ ସ୍ବାଗତ କରିବା ସହ ଆଶା କରୁଛୁ ଓଡ଼ିଶା ସର୍ବୋତ୍ତମ ଶିକ୍ଷା ବ୍ୟବସ୍ଥାରେ ପରିଣତ ହେବ।
ବାସୁଦେବ ଭଟ୍ଟ, ଚେୟାରମ୍ୟାନ୍, ଓଡ଼ିଶା ଅଭିଭାବକ ମହାସଂଘ
ସମୟୋପଯୋଗୀ ନିଷ୍ପତ୍ତି
ସରକାରୀ ସ୍କୁଲ୍‌ରେ ପଢୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ରାଜ୍ୟ ସରକାର ଆସନ୍ତା ଶିକ୍ଷାବର୍ଷରୁ ଏହି ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବାକୁ ଯାଉଛନ୍ତି। ଏହା ଏକ ସମୟୋପଯୋଗୀ ନିଷ୍ପତ୍ତି। ଏହାଦ୍ବାରା ଗ୍ରାମାଞ୍ଚଳର ଛାତ୍ରଛାତ୍ରୀ ବିଶେଷ ଉପକୃତ ହେବେ। ଯେଉଁ ଗରିବ ପିଲାମାନେ ‘ନିଟ୍‌’ ଓ ‘ଜେଇଇ’ ପରୀକ୍ଷାରେ ଅସୁବିଧାର ସମ୍ମୁଖୀନ ହେଉଥିଲେ ସେମାନେ ଏହାଦ୍ବାରା ଉପକୃତ ହୋଇପାରିବେ। ଏବର୍ଷ କରୋନା ଯୋଗୁଁ ସ୍କୁଲ୍‌ ବନ୍ଦ ଥିବାରୁ ‘ଅନ୍‌ଲାଇନ୍‌’ରେ କ୍ଲାସ ହେଉଛି। ଗ୍ରାମାଞ୍ଚଳ ଛାତ୍ରଛାତ୍ରୀ ଏଥିରୁ ବଞ୍ଚିତ ହେଉଛନ୍ତି। ସରକାରଙ୍କ ଏହି ନିଷ୍ପତ୍ତି ଯୋଗୁଁ ସେହି ପିଲାମାନେ ଉପକୃତ ହେବା ସହ ସରକାରୀ ସ୍କୁଲ୍‌ରେ ଛାତ୍ରଛାତ୍ରୀଙ୍କ ଉପସ୍ଥାପନ ବୃଦ୍ଧି ପାଇବ।
ରବି ବେହେରା, ସଭାପତି, ସମାଜବାଦୀ ପାର୍ଟି
ସ୍ବପ୍ନ ସାକାର କରିବାକୁ ସୁଯୋଗ
ଭବିଷ୍ୟତରେ ମେଡିକାଲ ପଢ଼ିବାକୁ ଲକ୍ଷ୍ୟ ରଖିଛି। ତେବେ ସିବିଏସ୍‌ଇ ବୋର୍ଡ ଅଧୀନରେ ପଢ଼ୁଥିବା ଘ‌ରୋଇ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ମାର୍କକୁ ଦେଖି ମନରେ ଭୟ ରହୁଥିଲା। ସେମାନଙ୍କ ସହ ପ୍ରତିଯୋଗିତା କରିପାରିବି କି ନାହିଁ। ତେବେ ଆଜି ଯେଉଁ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ତାହା ଦ୍ବାରା ମୁଁ ଭାରି ଉତ୍ସାହିତ। ଆଗକୁ କଠିନ ପରିଶ୍ରମ କରିବି। ଯେକୌଣସି ମୋତେ ସ୍ବପ୍ନକୁ ସାକାର କରିବାକୁ ଲକ୍ଷ୍ୟ ରଖିଛି।
ହିମାଂଶୁ କେଶରୀ ପ୍ରଧାନ, ଛାତ୍ର, ଦଶମ ଶ୍ରେଣୀ, ୟୁନିଟ୍‌-୧ ବାଳକ ଉଚ୍ଚ ବିଦ୍ୟାଳୟ
ସବୁ କ୍ଷେତ୍ରରେ ସଂରକ୍ଷଣ ହେଲେ ଭଲ ହୁଅନ୍ତା
ସଂରକ୍ଷଣ ବ୍ୟବସ୍ଥା ଲାଗୁ ହେବା ଦ୍ବାରା‌ ଆମ ପରି ସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀ ଉଚ୍ଚଶିକ୍ଷା ପଢ଼ିବାରେ ବିଶେଷ ଅସୁବିଧାର ସମ୍ମୁଖୀନ ହେବେ ନାହିଁ। ଭବିଷ୍ୟତ ପାଇଁ ଏବେଠାରୁ ପ୍ରସ୍ତୁତ ହେବୁ। ମେଡିକାଲ ଓ ଇଞ୍ଜିନିୟରିଂରେ କ୍ୟାରିୟର କରିବାକୁ ଚାହୁଁଥିବା ଛାତ୍ରଛାତ୍ରୀଙ୍କ ଲାଗି ଏହା ବିଶେଷ ସହାୟକ ହେବ। ସମସ୍ତ କ୍ଷେତ୍ର‌ରେ ଏଭଳି ବ୍ୟବସ୍ଥା କରାଗଲେ ଭଲ ହୁଅନ୍ତା।
ରାହୁଲ ମହାକୁଡ଼, ଛାତ୍ର, ଦଶମ ଶ୍ରେଣୀ, ୟୁନିଟ୍‌-୧ ବାଳକ ଉଚ୍ଚ ବିଦ୍ୟାଳୟ
ଭଲ ନିଷ୍ପତ୍ତି ନେଇଛନ୍ତି
ଏତେ ଦିନ ପରେ ଛାତ୍ରଛାତ୍ରୀଙ୍କ ଲାଗି ରାଜ୍ୟ ସରକାର ଭଲ ନିଷ୍ପତ୍ତି ନେଇଛନ୍ତି। ସର୍ବଭାରତୀୟ ପ୍ରବେଶିକା ପରୀକ୍ଷା ବେଳେ ଓଡ଼ିଆ ଓ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ସବୁବେଳେ ପାତରଅନ୍ତର ହୋଇଥାଏ। ଘରୋଇ ବିଦ୍ୟାଳୟର ପିଲାମାନେ ମୁଖ୍ୟତଃ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ପଢ଼ୁଥିବାରୁ ସେମାନେ ଉଚ୍ଚଶିକ୍ଷା ଲାଗି ଭଲ ସୁଯୋଗ ପାଇଥାନ୍ତି। ଯାହାକି ସରକାରୀ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ କ୍ଷେତ୍ରରେ ମିଳି ନ ଥାଏ। ସଂରକ୍ଷଣ ବ୍ୟବସ୍ଥା ଲାଗୁ ହେବା ଦ୍ବାରା ମେଧାବୀ ଛାତ୍ରଛାତ୍ରୀ ଉପକୃତ ହୋଇପାରିବେ।
ଗୌରୀ ସେନାପତି, ଅଭିଭାବକ
ଘୋଷଣାରେ ରହି ନ ଯାଉ
ଐତିହାସିକ ନିଷ୍ପତ୍ତି ନିଆଯାଇଛି। ସଂରକ୍ଷଣ ବ୍ୟବସ୍ଥା ସାଙ୍ଗକୁ ବିଦ୍ୟାଳୟ ପାଠ୍ୟକ୍ରମରେ ଓଡ଼ିଶାର ବରପୁତ୍ରଙ୍କ କାର୍ଯ୍ୟ, ଜୀବନୀ ଆଧାରିତ ବିଷୟଗୁଡିକ ସାମିଲ କରିବା ନିଷ୍ପତ୍ତି ସ୍ବାଗତଯୋଗ୍ୟ। ପିଲାମାନେ ସ୍କୁଲସ୍ତରରୁ ବହୁତ କିଛି ଶିକ୍ଷା ଲାଭ କରିପାରିବେ। ବରପୁତ୍ରଙ୍କୁ ଆଦର୍ଶ ଭାବେ ଗ୍ରହଣ କରି ସେମାନେ ଭବିଷ୍ୟତ ଗଢ଼ିପାରିବେ। ତେବେ ଏହାକୁ ଠିକ୍‌ ଭାବେ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି। କାରଣ ଏମିତି ଅନେକ ନିଷ୍ପତ୍ତି କେବଳ ଘୋଷଣାରେ ରହିଯାଉଛି। ଏକ୍ଷେତ୍ରରେ ସେମିତି ନ ହେଉ।
ବାସନ୍ତୀ ସୁବୁଦ୍ଧି, ଅଭିଭାବକ

ସମ୍ବନ୍ଧିତ ଖବର