ଶିଖରଚଣ୍ଡୀର ବିକାଶ କେବେ-୧ : ନାଲିଫିତା ତଳେ ନୀଳନକ୍ସା

କୁଆଡ଼େ ଗଲା ‘ଟେମ୍ପଲ୍‌ ସର୍କିଟ୍‌’ ଯୋଜନା?

ଚନ୍ଦ୍ରଶେଖରପୁର ବର୍ଷ ପରେ ବର୍ଷ ବିତୁଛି। ମାସ ପରେ ମାସ ବି ଗଡ଼ୁଛି। ହେଲେ ବିକାଶର ଅକ୍ଷର ଦେଖିପାରୁନି ରାଜଧାନୀର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ‘ଶିଖରଚଣ୍ଡୀ’। ୨୦୧୩ରେ ଏହାର ବିକାଶ ଲାଗି ନୀଳନକ୍ସା‌ ପ୍ରସ୍ତୁତ ହୋଇଥିଲେ ମଧ୍ୟ ତାହା ନାଲିଫିତା ତଳେ ରହିଯାଇଛି। ଇତିମଧ୍ୟରେ ୭ ବର୍ଷ ବିତିଗଲାଣି। ହେଲେ ଏହି ପର୍ଯ୍ୟଟନସ୍ଥଳୀର ୭ଟି ଉନ୍ନୟନମୂଳକ କାର୍ଯ୍ୟ ହୋଇ ନାହିଁ। ବରଂ ଯେଉଁ ଭିତ୍ତିଭୂମି ରହିଥିଲା ତାହା ଧୀରେ ଧୀରେ ନଷ୍ଟ ହେବାକୁ ବସିଲାଣି। ଏକାମ୍ର ଭୁବନେଶ୍ବରର ରୂପ ବଦଳାଇବାକୁ ରାଜ୍ୟ ସରକାର ଏକାଧିକ ପଦକ୍ଷେପ ନେଉଥିବାବେଳେ ଶିଖରଚଣ୍ଡୀ ପ୍ରତି କାହିଁକି ଅଣଦେଖା କରୁଛନ୍ତି ତାହାକୁ ନେଇ ପ୍ରଶ୍ନ ଉଠିଛି।

ଶିକ୍ଷା ଓ ଶିଳ୍ପାଞ୍ଚଳ ହବ୍‌ ଭିତରେ ଥିବା ଏହି ପ୍ରାକୃତିକ ପରିବେଶର ଆଲୋକୀକରଣ ସହ ପର୍ଯ୍ୟଟକଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରିବାକୁ ଦୀର୍ଘ ଦିନ ହେଲା ଯୋଜନା ଚାଲିଛି। ଜୈବ ବିବିଧତାକୁ ଦୃଷ୍ଟିରେ ରଖି ଏହା ପରିସରରେ ଥିବା ବିରଳ ପ୍ରଜାତିର ବୃକ୍ଷଗୁଡ଼ିକର ସଂରକ୍ଷଣ କରିବା, ମୟୂର ସମେତ ବିଭିନ୍ନ ପ୍ରଜାତିର ପକ୍ଷୀ ଏଠାକୁ ଆସୁଥିବାରୁ ସେମାନଙ୍କୁ ସୁରକ୍ଷା ଦେବା ଲାଗି ସ୍ଥିର ହୋଇଥିଲା। ପର୍ଯ୍ୟଟନ ବିଭାଗ ଓ ସାଧାରଣ ପ୍ରଶାସନ ବିଭାଗ ମିଳିତ ଭାବେ ଶିଖରଚଣ୍ଡୀକୁ ରାଜ୍ୟର ଅନ୍ୟତମ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀରେ ପରିଣତ କରିବାକୁ ସ୍ବତନ୍ତ୍ର ଖସଡ଼ା ପ୍ରସ୍ତୁତ କରିଥିଲେ। ଭୁବନେଶ୍ବରର ‘ଟେମ୍ପଲ୍‌ ସର୍କିଟ୍‌’ ଭାବେ ଶିଖରଚଣ୍ଡୀର ଉନ୍ନତୀକରଣ ପାଇଁ ସ୍ଥିର ହୋଇଥିଲା। ଉଭୟ ବିଭାଗର ଏକ ଟିମ୍‌ ସେଠାକୁ ଏକାଧିକଥର ଗସ୍ତ କରି ପର୍ଯ୍ୟଟକଙ୍କ ଲାଗି କେଉଁଠି କେଉଁ ସୁବିଧା ହେବ, ସେନେଇ ଆଲୋଚନା କରିଥିଲେ। ବିଧାନସଭା ଷ୍ଟାଣ୍ଡିଂ କମିଟି ବି ପାହାଡ଼ର ବିକାଶ ଲାଗି ପ୍ରସ୍ତାବ ଦେଇଥିଲା। ତେବେ କିଛି ସୁଫଳ ମିଳି ପାରିନି। ରାଜଧାନୀର ଏହି ପ୍ରମୁଖ ପର୍ଯ୍ୟଟନସ୍ଥଳୀର ବିକାଶ ପ୍ରକଳ୍ପ କେବଳ ଘୋଷଣାରେ ସୀମିତ ରହିଯାଇଛି।

ଗତ ଜୁନ୍‌ ମାସରେ ଉତ୍ତର ଭୁବନେଶ୍ବର ବିଧାୟକ ସୁଶାନ୍ତ କୁମାର ରାଉତଙ୍କ ଅନୁରୋଧକ୍ରମେ ରାଜ୍ୟ ଭାଷା, ସାହିତ୍ୟ ଓ ସଂସ୍କୃତି ତଥା ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଶିଖରଚଣ୍ଡୀ ମନ୍ଦିର ପରିଦର୍ଶନ କରିବା ସହ ସ୍ଥିତିର ସମୀକ୍ଷା କରିଥିଲେ। ବ୍ଲୁ ପ୍ରିଣ୍ଟ କିଭଳି ପ୍ରସ୍ତୁତ ହୋଇଥିଲା, ଯୋଜନା କେଉଁଠି ଅଟକି ରହିଛି, ଆଉ କ’ଣ ଆବଶ୍ୟକତା ଅଛି, ଆଦି ବିଷୟରେ ପଚାରି ବୁଝିଥିଲେ। ଏଥିସହ ଶିଖରଚଣ୍ଡୀ ପାହାଡ଼ ଚାରିପାଖକୁ ଯେପରି ପର୍ଯ୍ୟଟକଙ୍କ ଉପଯୋଗୀ କରାଯାଇପାରିବ ସେନେଇ ବି ଆଲୋଚନା କରିଥିଲେ। ଯେତେଶୀଘ୍ର ସମ୍ଭବ ଯୋଜନାକୁ କାର୍ଯ୍ୟକାରୀ କରିବା ଦିଗରେ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ ଆଶ୍ବାସନା ଦେଇଥିଲେ। କିନ୍ତୁ ଇତିମଧ୍ୟରେ ୬ ମାସ ବିତିଗଲାଣି, କୌଣସି ପଦକ୍ଷେପ ନିଆଯାଇ ନାହିଁ।

ସେମାନେ ଯାହା କହନ୍ତି
ଆମେ ଚାହୁଁଛୁ ରାଜ୍ୟ ସରକାର ଏହାକୁ ନିଜ ହାତକୁ ନେଇ ପର୍ଯ୍ୟଟନସ୍ଥଳୀ ଭାବେ ବିକାଶିତ କରନ୍ତୁ। ଭୁବନେଶ୍ବର ପରି ସ୍ଥାନରେ ଶିଖରଚଣ୍ଡୀ ଭଳି ପର୍ଯ୍ୟଟନସ୍ଥଳୀର ଯେଉଁ ବିକାଶର ଆବଶ୍ୟକତା ରହିଛି ତାହାକୁ ପରିଚାଳନା କମିଟି ତୁଲା‌ଇପାରୁ ନାହିଁ। ଆର୍ଥିକ ଅଭାବ ବାଧକ ସା‌ଜୁଛି। ବର୍ତମାନ ସମୟରେ କମିଟି ପକ୍ଷରୁ ପାହାଡ଼ ଉପର ସମେତ ପାଦଦେଶରେ ଥିବା ବନୀକରଣକୁ ସଫା କରାଯାଇଛି। ବିଭିନ୍ନ ପ୍ରକାର ଗଛ ଲଗାଯାଇଛି। ଆଗକୁ ପର୍ଯ୍ୟଟକ ଆସିବାକୁ ଥିବାରୁ ଆମେ ସବୁ ପ୍ରକାର ବ୍ୟବସ୍ଥା କରିଛୁ।
କ୍ଷୀତିଶ ତ୍ରିପାଠୀ, ଶିଖରଚଣ୍ଡୀ ପରିଚାଳନା କମିଟି ମୁଖ୍ୟ

ଶିଖରଚଣ୍ଡୀରେ ବିଭିନ୍ନ ପ୍ରକାର କାର୍ଯ୍ୟକଳାପ ହୋଇଥାଏ। ବଣଭୋଜି ସମେତ ବନ୍ଧୁମିଳନ, ସଭା ସମିତି, ଉତ୍ସବ, ମହୋତ୍ସବ ଏଠାରେ ହୁଏ। ଶିଖରଚଣ୍ଡୀ ଉତ୍ସବ ଆୟୋଜନରେ ଆମେ ଅନେକ ଥର ନିଜକୁ ସାମିଲ କରିଛୁ। ତେବେ ବର୍ତମାନ ସମୟରେ ଏହାର ରକ୍ଷଣାବେକ୍ଷଣ କରାଯିବା ସହ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଉତ୍ସବ ଆୟୋଜନ କରାଗଲେ ଏହା ଆହୁରି ଆଗକୁ ବଢ଼ିପାରିବ।
ବୃନ୍ଦାବନ ପ୍ରଧାନ, ବରିଷ୍ଠ ନାଗରିକ

ଶିଖରଚଣ୍ଡୀର ବିକାଶ ଦିଗରେ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରନ୍ତୁ। ରାଜ୍ୟର ଅନ୍ୟ ପର୍ଯ୍ୟଟନସ୍ଥଳୀ ପରି ଏହାକୁ ଏକକ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦିଆଯାଉ। ପାନ୍ଥନିବାସ ନିର୍ମାଣ ସହ ପର୍ଯ୍ୟାପ୍ତ ପାର୍କିଂ ବ୍ୟବସ୍ଥା ହେଉ। ଯେଉଁଠି ଜବରଦଖଲ କରାଯାଇଛି ତାହାକୁ ତୁରନ୍ତ ହଟାଯିବା ସହ ଏହାକୁ ରାଜ୍ୟର ଅନ୍ୟତମ ପରିବେଶ ପର୍ଯ୍ୟଟନସ୍ଥଳୀରେ ପରିଣତ କରିବାର ଆବଶ୍ୟକତା ରହିଛି। ଏହ‌ା ହୋଇପାରିଲେ ବାହାରୁ ବହୁ ପର୍ଯ୍ୟଟକ ଆସିବା ସହ ଆର୍ଥିକ କ୍ଷେତ୍ରରେ ଏହି ଅଞ୍ଚଳ ଆଗକୁ ବଢ଼ିବ।
ବିଶ୍ବଜିତ ପଟ୍ଟନାୟକ, ସମାଜସେବୀ

ଏହାର ବିକାଶ କରାଗଲେ ନନ୍ଦନକାନନ, ଖଣ୍ଡଗିରି, ଉଦୟଗିରି, ଏକାମ୍ରକାନନ, ଚନ୍ଦକା-ଡମପଡ଼ା ଅଭୟାରଣ୍ୟ ସହ ଶିଖରଚଣ୍ଡୀ ରାଜଧାନୀ ପର୍ଯ୍ୟଟନ ମାନଚିତ୍ରରେ ଯୋଡ଼ି ହୋଇଯିବ। ଆମମାନଙ୍କ ପରି ଯେଉଁମାନେ ନନ୍ଦନକାନନ ବୁଲିବାକୁ ଆସୁଛନ୍ତି ସେମାନେ ଏଠାରେ ପ୍ରାକୃତିକ ପରିବେଶର ମଜା ଉଠାଇ ପାରିବେ। ରାଜଧାନୀର ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳୀରେ ପରିଣତ ହୋଇପାରିବ।
ରଶ୍ମିରଞ୍ଜନ ପଣ୍ଡା, ପର୍ଯ୍ୟଟକ

ଏକାମ୍ର କ୍ଷେତ୍ରର ବିକାଶ ଲାଗି ରାଜ୍ୟ ସରକାର ଯେଉଁଭଳି ତତ୍ପରତା ପ୍ରକାଶ କରୁଛନ୍ତି ଶିଖରଚଣ୍ଡୀ ପାଇଁ ମଧ୍ୟ ସେଭଳି ଯୋଜନା ହେଉ। ପାହାଡ଼ ପାଦଦେଶରୁ ମନ୍ଦିର ପର୍ଯ୍ୟନ୍ତ ଆଲୋକୀକରଣ କରାଯିବାର ଆବଶ୍ୟକତା ରହିଛି। ବଣଭୋଜି ଲାଗି ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ସମସ୍ତ ପ୍ରକାର ମୌଳିକ ସୁବିଧା ଯୋଗାଇ ଦିଆଯାଉ। ଛୋଟପିଲାଙ୍କ ଲାଗି ଦୋଳି ଲଗାଯାଉ। ଏହାର ସର୍ବାଙ୍ଗୀନ ବିକାଶ କରାଯିବାର ବହୁତ ଆବଶ୍ୟକତା ରହିଛି।
ବିଭୂତି ଭୂଷଣ କାପ, କର୍ମଜୀବୀ

ସମ୍ବନ୍ଧିତ ଖବର