ଶୁକଶାରି ମନ୍ଦିର ପଞ୍ଚାୟତନ ଢାଞ୍ଚାର ବୋଲି ସ୍ପଷ୍ଟ

ଉତ୍ତର-ପୂର୍ବ ଦିଗରୁ ମିଳିଲା ଆଉ ଏକ ଛୋଟ ମନ୍ଦିରର ଅଂଶ

ଭୁବନେଶ୍ୱର: ଦଶମ ଓ ଏକାଦଶ ଶତାବ୍ଦୀରେ ନିର୍ମିତ ଶୁକଶାରି ମନ୍ଦିର ଯେ ପଞ୍ଚାୟତନ ଢାଞ୍ଚାରେ ନିର୍ମିତ ହୋଇଛି, ଆଜି ତାହା ସ୍ପଷ୍ଟ ହୋଇଛି। ପଞ୍ଚାୟତନ ଢାଞ୍ଚାରେ ନିର୍ମିତ ମନ୍ଦିରରେ ମୁଖ୍ୟ ମନ୍ଦିରର ଚାରି ପାର୍ଶ୍ବରେ ୪ଟି ଛୋଟ ମନ୍ଦିର ରହିଥାଏ। ପୂର୍ବରୁ ଶୁକଶାରି ମନ୍ଦିର ଦୁଇଟି ପାର୍ଶ୍ବରେ ୨ ଛୋଟ ମନ୍ଦିରର ଅବସ୍ଥିତି ବିଷୟରେ ଏଏସ୍‌ଆଇ କର୍ତୃପକ୍ଷ ଅବଗତ ହୋଇଥିବା ବେଳେ ଆଜି ମନ୍ଦିର ଉତ୍ତର-ପୂର୍ବ ପାର୍ଶ୍ବରେ ଖନନ ସମୟରେ ତୃତୀୟ ଛୋଟ ମନ୍ଦିରର ଅବସ୍ଥିତ ସମ୍ପର୍କରେ ସୂଚନା ମିଳିଛି। ଆଜି ଖନନ ସମୟରେ ଶୁକଶାରି ମନ୍ଦିରର ଉତ୍ତର-ପୂର୍ବ ପାର୍ଶ୍ବରେ ଛୋଟ ମନ୍ଦିରର କିଛି ଅଂଶ ପଦାକୁ ବାହାରି ଆସିଥିଲା। ଫଳରେ ପୂର୍ବାନୁମାନ ଅନୁଯାୟୀ ଏହି ମନ୍ଦିର ପଞ୍ଚାୟତନ ଢାଞ୍ଚାର ବୋଲି ସ୍ପଷ୍ଟ ହୋଇଥିବା ଏଏସ୍‌ଆ‌ଇ ଅଧୀକ୍ଷକ ଅରୁଣ କୁମାର ମଲ୍ଲିକ କହିଛନ୍ତି। ତେବେ ଆସନ୍ତାକାଲି ଖନନରୁ ବିଭିନ୍ନ କାରୁକାର୍ଯ୍ୟ ସମ୍ପନ୍ନ କୀର୍ତିରାଜି ଉଦ୍ଧାର ହୋଇପାରିବ ବୋଲି ଆଶା ଥିବା ଶ୍ରୀ ମଲ୍ଲିକ କହିଛନ୍ତି।

ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା (ଏଏସ୍ଆଇ) ଅଧିକାରୀଙ୍କ ସୂଚନା ଅନୁଯାୟୀ, ପୂର୍ବରୁ ମନ୍ଦିରର ଉତ୍ତର-ପଶ୍ଚିମ କୋଣ ଓ ଦକ୍ଷିଣ-ପଶ୍ଚିମ କୋଣରେ ଥିବା ଛୋଟ ମନ୍ଦିରର ଭଗ୍ନାବଶେଷ ବାହାରିଛି। ଆଜି ଉତ୍ତର-ପୂର୍ବ କୋଣରୁ ଛୋଟ ମନ୍ଦିରର କିଛି ଅଂଶ ବାହାରିଛି। ତେଣୁ ଦକ୍ଷିଣ-ପୂର୍ବ କୋଣରେ ମଧ୍ୟ ଛୋଟ ମନ୍ଦିର ଥିବା ଅନୁମାନ କରାଯାଉଛି। ଏହି ଅନୁମାନରେ ଖନନ କାର୍ଯ୍ୟ ଜାରି ରହିଛି। ଚାରି ବର୍ଷ ପୂର୍ବେ ମାଟି ଖନନ କରାଯାଇ ଏକାମ୍ରେଶ୍ବର ମନ୍ଦିରର ପୁନରୁଦ୍ଧାର କରାଯାଇଥିଲା। ପଞ୍ଚାୟତନ ଢ଼ାଞ୍ଚା ନିର୍ମାଣ ହୋଇଥିବା ଏହି ମନ୍ଦିରମାନଙ୍କରୁ ଶିବ ଲିଙ୍ଗ ମିଳିଥିଲା। ତେଣୁ ଶୁକଶାରି ମନ୍ଦିରରୁ ମଧ୍ୟ ଶିବ ଲିଙ୍ଗ ମିଳିବା ଅନୁମାନ କରାଯାଉଛି। ଉଲ୍ଲେଖଯୋଗ୍ୟ, ଏକାମ୍ରେଶ୍ବର ମନ୍ଦିର, ବ୍ରହ୍ମେଶ୍ବର ମନ୍ଦିର ଓ ଚିତ୍ରକାରିଣୀ ମନ୍ଦିର ଏହି ଢାଞ୍ଚାରେ ନିର୍ମିତ ହୋଇଛି। ତେଣୁ ଶୁକଶାରି ମନ୍ଦିରଟି ପଞ୍ଚାୟତନ ଢାଞ୍ଚାରେ ହୋଇଥିବା ଅନୁମାନ କରାଯାଉଥିବା ବେଳେ ଆଜି ତାହା ସ୍ପଷ୍ଟ ହୋଇଛି।

ପୂବର୍ରୁ ସର୍ବେକ୍ଷଣ ସ୍ଥାନରେ ଖନନ ହେବା ପରେ ଏଏସ୍‌ଆଇ ଟିମ୍ ମନ୍ଦିରର ପଥର ପାଚେରି ଶକ୍ତିପୀଠ ଓ ଶାରି ଦେଉଳ ପାର୍ଶ୍ବ ମନ୍ଦିରର କିଛି ଅଂଶ ପାଇଥିଲେ। ଏଥିସହ ମନ୍ଦିରର ଉତ୍ତର ପଶ୍ଚିମ ଦିଗକୁ ଏକ ପୁରୁଣା ମନ୍ଦିରର ଚଟାଣ ମଧ୍ୟ ମିଳିଥିଲା। ଏହା ନିକଟରେ ଏକ ଛୋଟ ମନ୍ଦିରର ଚଟାଣ ମଧ୍ୟ ଆବିଷ୍କାର କରାଯାଇଥିଲା। ତେଣୁ ଉତ୍ତର ପୂର୍ବ ଦିଗରେ ଏଭଳି ଆଉ ଏକ ଚଟାଣ ଥିବା ଅନୁମାନ କରାଯାଉଛି। ଏହାକୁ ସମ୍ପୂର୍ଣ୍ଣ ଖୋଳାଯାଇ ପୁନରୁଦ୍ଧାର କରାଯିବ ବୋଲି ଏଏସ୍ଆଇ ଅଧୀକ୍ଷକ ଶ୍ରୀ ମଲ୍ଲିକ କହିଛନ୍ତି। ଅପରପକ୍ଷେ ଗତକାଲି ପରି ଆଜି ମଧ୍ୟ ଇନଟାକ୍‌ କର୍ତ୍ତୃପକ୍ଷ ଶୁକଶାରି ମନ୍ଦିର ପରିସରରେ ସର୍ଭେ କରିଥିଲେ।

ସମ୍ବନ୍ଧିତ ଖବର