ଝରାଫୁଲ ମୃତ୍ୟୁ ମାମଲା: ଯାଜପୁର ପୁଲିସ ଚୁପ୍ କାହିଁକି?

ଅଜଣା ମାମଲାର ୭ଦିନରେ ପର୍ଦ୍ଦାଫାସ୍ କଲା କମିସନରେଟ ପୁଲିସ, ପ୍ରଶ୍ନ ଉଠାଇଲେ, କ୍ଷୋଭ ପ୍ରକାଶ କଲେ ବାପା

ଭୁବନେଶ୍ବର: ରାଜଧାନୀ ଉପକଣ୍ଠ ଚନ୍ଦକା ଅନ୍ଧାରୁଆରେ ମହିଳାଙ୍କ ମୁଣ୍ଡବିହୀନ ଶବ ଜବତ ଘଟଣା ଆରମ୍ଭରୁ ଅନ୍ଧାରରେ ରହିଥିଲା। ପରିଚୟ ମିଳିବା ପୁଲିସ ପାଇଁ ସବୁଠୁ ବଡ଼ ଚ୍ୟାଲେଞ୍ଜ ହୋଇ ଛିଡା ହୋଇଥିଲା। ପରିଚୟ ମିଳିଲେ ହିଁ ହତ୍ୟାକାଣ୍ଡର ପର୍ଦ୍ଦାଫାସ୍ ହୋଇପାରିବ ବୋଲି ସ୍ପଷ୍ଟ ହୋଇଥିଲା। ପୁଲିସ ଅକ୍ଳାନ୍ତ ପରିଶ୍ରମ କରି ୭ ଦିନ ଭିତରେ ପରିଚୟ ପାଇବା ସହ ଅଭିଯୁକ୍ତଙ୍କୁ ଗିରଫ କରି ହତ୍ୟାକାଣ୍ଡର ପର୍ଦ୍ଦାଫାସ୍ କରିବାରେ ସଫଳ ହୋଇଛି। ଏଭଳି ଏକ ହତ୍ୟାକାଣ୍ଡ ପାଇଁ ପୁଲିସକୁ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟିଛି। କିନ୍ତୁ ବହୁଚର୍ଚ୍ଚିତ ରମାଦେବୀ ବିଶ୍ବବିଦ୍ୟାଳୟ ଛାତ୍ରୀ ଝରାଫୁଲ ନାୟକ ହତ୍ୟାକାଣ୍ଡ ଘଟଣାକୁ ୧୬ ଦିନ ବିତି ଗଲାଣି। ଘଟଣାର ଦୁଇଦିନ ପରେ ମୁଖ୍ୟ ଅଭିଯୁକ୍ତ ରାକେଶ ସ୍ବାଇଁ ପୁଲିସ ହାତରେ ଧରା ପଡ଼ିଥିଲା। ଶବ ବ୍ୟବଚ୍ଛେଦ ରିପୋର୍ଟ ମଧ୍ୟ ପୁଲିସ ହାତରେ ଲାଗିଛି। ଏପରିକି ଭିସେରା ରିପୋର୍ଟ ପୂରା ରହସ୍ୟ ଉପରୁ ପରଦା ଉଠାଇବ ବୋଲି ତଦନ୍ତକାରୀ ପୁଲିସ କହିଥିଲା। ଭିସେରା ରିପୋର୍ଟ ମିଳିବା ଘଟଣାକୁ ମଧ୍ୟ ଚାରି ଦିନ ବିତି ଗଲାଣି। କିନ୍ତୁ ଯାଜପୁର ପୁଲିସ କାହିଁକି ରହସ୍ୟ ଉପରୁ ପରଦା ଉଠାଉ ନାହିଁ ତାକୁ ନେଇ ପ୍ରଶ୍ନ କରିଛନ୍ତି ଝରାଫୁଲଙ୍କ ବାପା ରମାକାନ୍ତ ନାୟକ। ଏପରିକି କ୍ଷୋଭ ମଧ୍ୟ ପ୍ରକାଶ କରିଛନ୍ତି।

ଆଦିବାସୀ ବୋଲି ପୁଲିସ ଘଟଣାକୁ ଗୁରୁତ୍ବ ଦେଉ ନାହିଁ ବୋଲି ସେ କହିଛନ୍ତି। କାହିଁକି ପୁଲିସ ଦିନ ଗଡ଼ାଉଛି ବୋଲି ସେ ପ୍ରଶ୍ନ କରିଛନ୍ତି। ଯଦି କମିସନରେଟ ପୁଲିସ ଏଭଳି ଏକ ମାମଲାର ପର୍ଦ୍ଦାଫାସ୍ କଲା ତା’ହେଲେ ଯାଜପୁର ପୁଲିସ କାହିଁକି ପର୍ଦ୍ଦାଫାସ୍ କରିପାରୁନି ବୋଲି ସାଧାରଣରେ ଆଲୋଚନା ମଧ୍ୟ ହେଲାଣି। ଖାଲି ସେତିକି ନୁହେଁ ଯାଜପୁର ପୁଲିସ କାର୍ଯ୍ୟଦକ୍ଷତାକୁ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ରାକେଶର ସହଯୋଗୀ ଶକ୍ତିଶେଖର ସ୍ବାଇଁର ଏଯାଁଏ ପତ୍ତା ମିଳିପାରୁ ନାହିଁ।

ସୂଚନାଯୋଗ୍ୟ, ଗତ ଜାନୁଆରୀ ୨୬ ତାରିଖରେ ରାକେଶ ଓ ଝରାଫୁଲ ରାଜଧାନୀର ବିଭିନ୍ନ ସ୍ଥାନରେ ବୁଲିବା ସହ ଖଣ୍ଡଗିରି ଧର୍ମବିହାରରେ ଥିବା ଶିବସାଇ ଗେଷ୍ଟ ହାଉସରେ ରହିଥିଲେ। ୨୭ ତାରିଖ ସକାଳେ ରାକେଶ ସହଯୋଗୀ ଶକ୍ତିଶେଖର ସହ ମିଶି ଝରାଫୁଲଙ୍କୁ ମୃତଦେହକୁ ସ୍କୁଟିରେ ଧରି ଯାଜପୁର କୁଆଖିଆ ଅଞ୍ଚଳରେ ଫିଙ୍ଗି ଦେଇଥିଲେ। ୨୮ ତାରିଖ ରାତିରେ ରାକେଶ ଧରାପଡିଥିଲା। ରାକେଶର ସ୍କୁଟି, ମୋବାଇଲ ଫୋନ୍, ପ୍ୟାଣ୍ଟସାର୍ଟ ଜବତ ହୋଇଥିଲା।

ସମ୍ବନ୍ଧିତ ଖବର