ଓଡ଼ିଶାର ଜମିରେ ଆନ୍ଧ୍ରର ବନୀକରଣ: ଖଜଣା ଭରୁଛି ଓଡ଼ିଆ, ଆନ୍ଧ୍ର ଚାଷୀଙ୍କୁ ଲାଭ

ଦୁଇ ରାଜ୍ୟର ସୀମାନ୍ତ ଗ୍ରାମବାସୀ ମୁହାଁମୁହିଁ

ରାୟଗଡ଼ା: ଜମି ଓଡ଼ିଶାର। ଖଜଣା ବି ବାନ୍ଧୁଛନ୍ତି ଓଡ଼ିଶାର ଚାଷୀ। ହେଲେ ଓଡ଼ିଶା ଜମିକୁ ଅକ୍ତିଆରକୁ ନେଇ ଲାଭ ଉଠାଉଛି ଆନ୍ଧ୍ର। ତାହା ପୁଣି ଏକର କି ଦୁଇ ଏକର ନୁହେଁ। ୧୭୦ ଏକର ଜମିରେ ବନୀକରଣ କରିଛି। ଗତ ୩/୪ ବର୍ଷ ତଳେ ଆନ୍ଧ୍ର ଏହି ବନୀକରଣ କରିଥିଲେ ମଧ୍ୟ ଓଡ଼ିଶା ସରକାରଙ୍କ ପାଖରେ ଏ ସଂପର୍କରେ କିଛି ଖବର ନାହିଁ। ଜମିକୁ ନେଇ ଦୁଇ ରାଜ୍ୟର ସୀମାନ୍ତ ଗ୍ରାମବାସୀଙ୍କ ମଧ୍ୟରେ ବିବାଦ ଲାଗି ରହିଥିବାବେଳେ ୬ ମାସ ତଳେ ଉଭୟ ଗ୍ରାମବାସୀ ହାତାହାତି ମଧ୍ୟ ହୋଇଥିଲେ।

ଆନ୍ଧ୍ର ସୀମାକୁ ଲାଗିଛି ରାୟଗଡ଼ା ତହସିଲ ଅନ୍ତର୍ଗତ ଜେମାଦେଇପେଣ୍ଠ ରାଜସ୍ବ ସର୍କଲର ମାଉରିଗୁଡ଼ା ଗ୍ରାମ। ପାହାଡ଼ ତଳି ଅଞ୍ଚଳରେ ଥିବା ଏହି ଗାଁରୁ ବୈରାଗୀହାଲୁଆ ରାଜସ୍ବ ସର୍କଲର ପଣସଗୁଡ଼ା ଗ୍ରାମ ପର୍ଯ୍ୟନ୍ତ ପ୍ରାୟ ୧କିମି ଅଞ୍ଚଳ ଆନ୍ଧ୍ରର ବୀରପାଡ଼ୁ ପଞ୍ଚାୟତକୁ ଲାଗିଛି। ପାହାଡ଼ ତଳି ଅଞ୍ଚଳ ସଂପୂର୍ଣ୍ଣ ଭାବେ ଓଡ଼ିଶାର ହୋଇଥିବାବେଳେ ପାହାଡ଼ ଅପରପାର୍ଶ୍ବ ଆନ୍ଧ୍ରର। କିନ୍ତୁ ରାୟଗଡ଼ା ଜିଲ୍ଲା ପ୍ରଶାସନର ଅବହେଳା ଯୋଗୁ ପାହାଡ଼ ତଳି ଅଞ୍ଚଳର ପ୍ରାୟ ୧୭୦ ଏକର ଜମିକୁ ଆନ୍ଧ୍ର ନିଜ ଅକ୍ତିଆରରେ ରଖିଛି। ଓଡ଼ିଶା ଜମିରେ ଆନ୍ଧ୍ର ଆମ୍ବ, ପଣସ, ପିଜୁଳି ସହ ଶାଳ, ପିଆଶାଳ, କାଜୁ ଗଛ ଲଗାଇଛି। ଯାହାର ରକ୍ଷଣାବେକ୍ଷଣ କରୁଛନ୍ତି ବୀରପାଡ଼ୁ ପଞ୍ଚାୟତ ଅଧୀନରେ ଥିବା ଗ୍ରାମବାସୀ। ଗଛର ଯତ୍ନ ନେବା ସହିତ ଉତ୍ପାଦିତ ସାମଗ୍ରୀକୁ ବିକ୍ରି କରି ଆନ୍ଧ୍ର ଚାଷୀ ଲାଭ ପାଉଛନ୍ତି। ଏପଟେ ପ୍ରତି ବର୍ଷ ଜମି ବାବଦକୁ ଖଜଣା ଭରୁଛନ୍ତି ଓଡ଼ିଆ ଚାଷୀ।

ବନୀକରଣ କରି ସମୟକ୍ରମେ ଜମିକୁ ହଡ଼ପ କରିବାକୁ ଆନ୍ଧ୍ର ଚକ୍ରାନ୍ତ କରୁଥିବା ଗ୍ରାମବାସୀ ଜାଣିବା ପରେ ତୀବ୍ର ବିରୋଧ କରିଛନ୍ତି। ୭ ମାସ ତଳେ ଜମିରେ କାମ କରିବାକୁ ନେଇ ଉଭୟ ରାଜ୍ୟର ସୀମାନ୍ତ ଗ୍ରାମବାସୀ ହାତାହାତି ହେବା ପରେ ମାଉରିଗୁଡ଼ା ୱାର୍ଡ ମେମ୍ବର ଧର୍ମା ତାଡ଼ିଙ୍ଗ୍ ଏ ସଂପର୍କରେ ଜିଲ୍ଲା ପ୍ରଶାସନକୁ ଅବଗତ କରିଥିଲେ। ରାୟଗଡ଼ା ତହସିଲର ଜଣେ ଅମିନଙ୍କୁ ପ୍ରଶାସନ ଆନ୍ଧ୍ର ଅକ୍ତିଆରରେ ଥିବା ଅଞ୍ଚଳକୁ ପଠାଇ ଉକ୍ତ ଜମିର ଚିହ୍ନଟ କରିବାକୁ ନିର୍ଦ୍ଦେଶ ହୋଇଥିଲା। କିନ୍ତୁ ଆନ୍ଧ୍ର ରାଜସ୍ବ ବିଭାଗ ଜମି ଚିହ୍ନଟରେ ସହଯୋଗ ନ କରିବା ଯୋଗୁ ଅମିନ୍ ଫେରି ଆସିଥିଲେ। ମାଉରିଗୁଡ଼ାର ଜମା ତାଡିଙ୍ଗ୍, ଧାର୍ମେଲା ତାଡ଼ିଙ୍ଗ୍, କୁନା ପୁଆଲାଙ୍କ ସମେତ ଦଶରୁ ଊର୍ଦ୍ଧ୍ବ ଲୋକଙ୍କ ନାଁରେ ଜମି ପଟ୍ଟା ରହିଛି। ହେଲେ ମନରେଗା ଅନୁଦାନରେ ଆନ୍ଧ୍ର ସରକାର ଓଡ଼ିଶା ଚାଷୀଙ୍କ ଜମିରେ ବନୀକରଣ କରିଥିବା ବେଳେ ଓଡ଼ିଶାର ଅନ୍ୟ ଜମିରେ ଆନ୍ଧ୍ର ଚାଷୀ ଅନ୍ୟାନ୍ୟ ଚାଷ କରୁଛନ୍ତି। ଓଡ଼ିଶାର ମାଉରିଗୁଡ଼ା, ପଣସଗୁଡ଼ା ଗାଁ ସହ ଆନ୍ଧ୍ରର ବୀରପାଡ଼ୁ ପଞ୍ଚାୟତବାସୀଙ୍କ ମଧ୍ୟରେ ପୂର୍ବରୁ ପାରିବାରିକ ସଂପର୍କ ଥିବାରୁ ଉକ୍ତ ଜମିକୁ ଆନ୍ଧ୍ର କବଳରୁ ମୁକୁଳାଇବାରେ ସଫଳ ହୋଇପାରୁ ନାହାନ୍ତି ଓଡ଼ିଶା ଚାଷୀ।

ସମ୍ବନ୍ଧିତ ଖବର