ଏପ୍ରିଲ୍‌ରେ ବାଇକ୍, ଟ୍ରାକ୍ଟର ଦାମ୍‌ ବି ବଢ଼ିବ

ନୂଆଦିଲ୍ଲୀ: ଏପ୍ରିଲ୍‌ରୁ କାର୍‌, ବାଇକ୍‌ ଓ ଟ୍ରାକ୍ଟର ମହଙ୍ଗା ହେବ। ଦେଶର ଅଗ୍ରଣୀ କାର୍‌ ନିର୍ମାତା ମାରୁତି ସୁଜୁକି ପକ୍ଷରୁ ଦର ବୃଦ୍ଧି ହେବ ବୋଲି ପ୍ରଥମେ ଘୋଷଣା କରାଯାଇଥିଲା। ଏହା ପରେ ନିସାନ ମଧ୍ୟ ଏହାର ବିଭିନ୍ନ ଗାଡ଼ିର ଦାମ୍ ବଢ଼ାଇବ ବୋଲି ଘୋଷଣା କରିଛି। ଗାଡ଼ି ତିଆରିରେ ବ୍ୟବହାର ହେଉଥିବା ଅନେକ ସାମଗ୍ରୀର ଦାମ୍ ବଢ଼ିଥିବା ବେଳେ ପୁଣି ଥରେ କରୋନା ସଂକ୍ରମଣ ଦେଖାଦେଇଥିବାରୁ ବିଭିନ୍ନ ସ୍ଥାନରୁ ସାମଗ୍ରୀଗୁଡ଼ିକ ଠିକ୍ ସମୟରେ କ‌ାରଖାନାରେ ପହଞ୍ଚିପାରୁନାହିଁ। ଯୋଗାଣ ବ୍ୟାହତ ହୋଇଥିବାରୁ ଗାଡ଼ି କଂପାନିଗୁଡ଼ିକ ପ୍ରଭାବିତ ହୋଇଛନ୍ତି। ଏହି ସବୁ ବିଷୟ ବିଚାରକୁ ନେଇ ସେମାନେ ନିଜ ଗାଡ଼ିର ଦାମ୍ ବଢ଼ାଇବାକୁ ବାଧ୍ୟ ହେଉଛନ୍ତି। ଚଳିତ ବର୍ଷ ଦ୍ବିତୀୟ ଥର ଲାଗି ଗାଡ଼ି ଦାମ୍‌ରେ ବୃଦ୍ଧି ହେବାକୁ ଯାଉଛି। ଏହା ପୂର୍ବରୁ ଜାନୁଆରିରେ ବିଭିନ୍ନ ଗାଡ଼ିର ଦାମ୍ ବଢ଼ିଥିଲା।

ଟ୍ରାକ୍ଟର ନିର୍ମାତା ଏସ୍‌କର୍ଟସ୍‌ ଏହାର ବିଭିନ୍ନ ମଡେଲ୍‌ର ଦାମ୍ ଏପ୍ରିଲ୍‌ ୧ରୁ ବଢ଼ାଇବା ବିଷୟରେ ଘୋଷଣା କରିଛି। କଂପାନି ଷ୍ଟକ ବଜାରକୁ ସୂଚନା ଦେଇଛି ଯେ ଟ୍ରାକ୍ଟର ନିର୍ମାଣରେ ବ୍ୟବହାର କରାଯାଉଥିବା ବିଭିନ୍ନ ସାମଗ୍ରୀର ଦାମ୍‌ ବୃଦ୍ଧି ପାଇଥିବାରୁ ଦରବୃଦ୍ଧି ଆବଶ୍ୟକ ହୋଇପଡ଼ିଛି। କଂପାନିର ବିଭିନ୍ନ ମଡେଲ୍‌ ଦାମ୍‌ରେ ଭିନ୍ନ ଭିନ୍ନ ପ୍ରକାରର ବୃଦ୍ଧି ହେବ। ସେହିପରି ସ୍କୁଟର ଓ ବାଇକ୍ ନିର୍ମାତା ହିରୋ ମୋଟୋକର୍ପ ମଧ୍ୟ ଦରବୃଦ୍ଧି ବିଷୟରେ ଘୋଷଣା କରିଛି। ହିରୋ ଗାଡ଼ିଗୁଡ଼ିକର ଦାମ୍ ଏପ୍ରିଲ୍‌ ୧ରୁ ବଢ଼ିବ। ହିରୋ ମଧ୍ୟ ସେହି ସମାନ କାରଣ ପାଇଁ ଗାଡ଼ି ଦାମ୍ ବଢ଼ାଇବ। ହିରୋ ଗାଡ଼ିଗୁଡ଼ିକର ମୂଲ୍ୟ ଅଢ଼େଇ ହଜାର ଟଙ୍କା ପର୍ଯ୍ୟନ୍ତ ବଢ଼ିବ। ତେବେ କେଉଁ ମଡେଲ୍‌‌ର ଦାମ୍ କେତେ ବଢ଼ିବ ତାହା ଜଣାପଡ଼ିନାହିଁ। ଆଗାମୀ ଦିନରେ ଅନ୍ୟ ପ୍ରମୁଖ ଗାଡ଼ି ନିର୍ମାତାମାନେ ମଧ୍ୟ ସେମାନଙ୍କ ବିଭିନ୍ନ ମଡେଲ୍‌ର ଦରବୃଦ୍ଧି ବିଷୟରେ ଘୋଷଣା କରିବେ ବୋଲି ଆଶା କରାଯାଉଛି। ବିଶ୍ବର ବିଭିନ୍ନ ସ୍ଥାନରେ ପୁଣି କରୋନା ସଂକ୍ରମଣ ବଢ଼ୁଥିବାର ଖବର ଆସୁଥିବାରୁ ଅନେକ ଦେଶ ପରିବହନ ଓ ଯାତାୟାତ ଉପରେ କଟକଣା ଲଗାଇବା ଉପରେ ବିଚାର କରୁଛନ୍ତି। ଭାରତର ସରକାର ମଧ୍ୟ ସ୍ଥିତି ଉପରେ ନଜର ରଖିଛନ୍ତି।

ଦେଶରେ ଗାଡ଼ି ନିର୍ମାଣ କରୁଥିବା ସଂସ୍ଥାଗୁଡ଼ିକ ବିଭିନ୍ନ ସ୍ଥାନରୁ ଯନ୍ତ୍ରାଂଶ ଓ ଉପକରଣ ଆଣିଥାନ୍ତି। କରୋନା ଭୟରେ ପୁଣି ଥରେ ଲାଗୁ ହେଉଥିବା କଟକଣା ଯୋଗୁଁ କେତେକ ସାମଗ୍ରୀ ଠିକ୍ ଭାବେ କଂପାନିଗୁଡ଼ିକ ପାଖରେ ପହଞ୍ଚିପାରୁନାହିଁ। ଯୋଗାଣ ଶୃଙ୍ଖଳ ଗୁରୁତର ଭାବେ ପ୍ରଭାବିତ ହୋଇଛି। ଅନ୍ୟ ପକ୍ଷରେ ଗାଡ଼ି ତିଆରିରେ ବ୍ୟବହାର ହେଉଥିବା ଇସ୍ପାତ ଭଳି ଆଉ କେତେକ ଧାତବ ସାମଗ୍ରୀର ମୂଲ୍ୟ ବଢ଼ିଥିବା ବେଳେ ପ୍ଳାଷ୍ଟିକ୍ ମଧ୍ୟ ମହଙ୍ଗା ହୋଇଛି। ଫଳରେ କଂପାନିଗୁଡ଼ିକୁ ପ୍ରତି ଗାଡ଼ି ନିର୍ମାଣ ପାଇଁ ପୂର୍ବାପେକ୍ଷା ଅଧିକ ଖର୍ଚ୍ଚ କରିବାକୁ ପଡ଼ୁଛି। ସେହି ବେଝକୁ ସେମାନେ ଅଧିକ ଦିନ ବହନ କରିବାକୁ ଚାହୁନାହାନ୍ତି।

ସମ୍ବନ୍ଧିତ ଖବର