ଜଣେ ଡାକ୍ତରଙ୍କ ଭରସାରେ ଏମ୍‌ସ କିଡ୍‌ନି ରୋଗ ବିଭାଗ, ଟିକେଟ କାଉଣ୍ଟର୍‌ରୁ ରୋଗୀଙ୍କୁ ମନା କରାଯାଉଛି

ଘରୋଇ ଡାକ୍ତରଖାନା ଯାଇ କରଜରେ ବୁଡ଼ିଲେ ପ୍ରମୋଦ

ଭୁବନେଶ୍ବର, ୫।୪ (ଇମିସ): ଭୁବନେଶ୍ବରରେ ଏମ୍‌ସ ଭଳି ଜାତୀୟସ୍ତରୀୟ ଡାକ୍ତରଖାନା ଅଛି, ଯେଉଁଠି କିଡ୍‌ନି ସମ୍ପର୍କିତ ସମସ୍ତପ୍ରକାର ଜଟିଳ ଚିକିତ୍ସାର ବ୍ୟବସ୍ଥା ରହିଛି। କିନ୍ତୁ ଉଦ୍‌ବେଗର ବିଷୟ, ବିଭାଗରେ ଜଣେ ମାତ୍ର ଡାକ୍ତର ଅଛନ୍ତି। ଏଥିଯୋଗୁଁ ପ୍ରତିଦିନ ଅନେକ ରୋଗୀ କିଡ୍‌ନି ରୋଗ ଚିକିତ୍ସା ବା ଡାଏଲିସିସ୍‌ ପାଇଁ ଏଠାକୁ ଆସି ନିରାଶ ହୋଇ ଫେରୁଛନ୍ତି। ଘରୋଇ ଡାକ୍ତରଖାନାର ଆଶ୍ରା ନେଇ କରଜରେ ବୁଡ଼ି ଯାଉଛନ୍ତି। ଯେଉଁ ଡାକ୍ତରଖାନାରେ ଆସୁଥିବା ରୋଗୀଙ୍କ ଅନୁପାତ ଅନୁଯାୟୀ ପ୍ରଫେସର୍‌, ସହକାରୀ, ସହଯୋଗୀ ପ୍ରଫେସର୍‌ ସମେତ ଅନ୍ୟୂନ ୮ଜଣ ଡାକ୍ତର ଆବଶ୍ୟକ, ସେଠାରେ ଜଣେ ଡାକ୍ତର ଥିଲେ ରୋଗୀଙ୍କ ଅବସ୍ଥା କିଭଳି ହୁଏ, ତାର ଉଦାହରଣ ହେଉଛନ୍ତି ନୟାଗଡ଼ ଜିଲ୍ଲା ମହତପଲା ଗାଁର କିଡ୍‌ନି ରୋଗୀ ପ୍ରମୋଦ ସାହୁ(୪୭)।

ରବିବାର ଗୁରୁତର ହେବାରୁ ଏମ୍‌ସର ଆପାତ୍‌କାଳୀନ ବିଭାଗରେ ଭର୍ତ୍ତି ହୋଇଥିଲେ ପ୍ରମୋଦ। ପ୍ରାଥମିକ ଚିକିତ୍ସା ପରେ ନେଫ୍ରୋଲୋଜି ବିଭାଗରେ ଓପିଡିରେ ଦେଖାଇବା ପାଇଁ ପରାମର୍ଶ ଦିଆଗଲା। ତେଣୁ ବାଧ୍ୟ ହୋଇ ଡାକ୍ତରଖାନା ବାହାରେ ତଳେ ବସିଲେ ପ୍ରମୋଦ। ଟିକେଟ୍‌ ପାଇଁ ଭୋର୍‌ରୁ ଲାଇନରେ ଛିଡ଼ା ହେଲେ ସ୍ତ୍ରୀ। ଘଣ୍ଟା-ଘଣ୍ଟାର ଅପେକ୍ଷା ପରେ ମଧ୍ୟ ଟିକେଟ ନ ମିଳିବାରୁ ବାଧ୍ୟ ହୋଇ ଜୀବନ ବଞ୍ଚାଇବା ପାଇଁ ଘରୋଇ ଡାକ୍ତରଖାନାକୁ ଯାଇଥିଲେ। ଏହା ପ୍ରଥମଥର ପାଇଁ ନୁହେଁ; ପୂର୍ବରୁ ମଧ୍ୟ ଡାଏଲିସିସ ପାଇଁ ଆସି ତାଙ୍କୁ ଫେରିଯିବାକୁ ପଡ଼ିଥିଲା। ବୁଲି ବୁଲି ବେପାର କରି ଜୀବିକା ନିର୍ବାହ କରୁଥିବା ପ୍ରମୋଦ କହନ୍ତି, ୨୦୧୨ ମସିହାରେ ଭୁବନେଶ୍ବରସ୍ଥିତ ଘରୋଇ ଡାକ୍ତରଖାନାରେ ତାଙ୍କର କିଡ୍‌ନି ଷ୍ଟୋନ ଅସ୍ତ୍ରୋପଚାର ହେଲା। କିନ୍ତୁ ସେ ସୁସ୍ଥ ହେବା ପରିବର୍ତ୍ତେ ଅବସ୍ଥା ଆହୁରି ଜଟିଳ ହୋଇପଡ଼ିଲା। ୨୦୧୯ରେ ସେ ଏମ୍‌ସ ଆସି ଏଠାରେ ପ୍ରଥମେ ୟୁରୋଲୋଜି ଏବଂ ପରେ ନେଫ୍ରୋଲୋଜି ବିଭାଗରେ ଦେଖାଇବାରୁ ତାଙ୍କ କିଡନି ନଷ୍ଟ ହୋଇଯାଇଥିବା ଜଣାପଡ଼ିଥିଲା। ଡାକ୍ତରଙ୍କ ଚିକିତ୍ସା ମଧ୍ୟ ଭଲ ଥିଲା। ଆଶା ଥିଲା ସେ ସୁସ୍ଥ ହୋଇଯିବେ। କିଛି ଦିନ ପରେ ଡାକ୍ତର ଡାଏଲିସିସର ଆବଶ୍ୟକତା ଥିବା କହିଥିଲେ। ତେବେ ଦୁଇଥର ଡାଏଲିସିସ୍‌ ପରେ ଆଉ ଏଠାରେ ଡାଏଲିସିସ ସମ୍ଭବ ନୁହେଁ ବୋଲି ଡାକ୍ତର କହିଲେ। ତେଣୁ ବାଧ୍ୟ ହୋଇ ପ୍ରମୋଦ କଟକ ଏସ୍‌ସିବି ଗଲେ, ମାତ୍ର ସେଠାରେ ଚିକିତ୍ସା ବ୍ୟବସ୍ଥା ନେଇ ସନ୍ତୁଷ୍ଟ ହୋଇ ନପାରି ୨୦୨୦ ନଭେମ୍ବର ମାସରୁ ଘରୋଇ ଡାକ୍ତରଖାନାକୁ ଯାଇ ଚିକିତ୍ସିତ ହେଉଛନ୍ତି। ସେଠାରେ ନିୟମିତି ଡାଏଲିସିସ କରାଉଛନ୍ତି।

ପ୍ରମୋଦ କହିଛନ୍ତି, ୨୦୧୨ରୁ ଆଜି ପର୍ଯ୍ୟନ୍ତ ତାଙ୍କ ଚିକିତ୍ସାରେ ୮ ଲକ୍ଷ ଟଙ୍କା ଖର୍ଚ ହୋଇ ସାରିଛି। ଏଥିପାଇଁ ସେ ନିଜର ୨ ମାଣ ଜମି ସହ ଅନେକ ମୂଲ୍ୟବାନ ସାମଗ୍ରୀ ବିକ୍ରି କରିଛନ୍ତି। ପ୍ରତି ମାସରେ ୨ରୁ ୩ଥର ଡାଏଲିସିସ୍‌ ଯୋଗୁଁ ଖର୍ଚ ବଢ଼ି ଚାଲିଛି। ବର୍ତ୍ତମାନ ହାର୍ଣ୍ଣିଆ ଯୋଗୁଁ ପେଟ କଷ୍ଟ ହେବାରୁ ସେହି ଘରୋଇ ଡାକ୍ତରଖାନା ଯିବା ପରିବର୍ତ୍ତେ ଉନ୍ନତମାନର ଚିକିତ୍ସା ପାଇଁ ଏମ୍‌ସ ଆସିଥିଲେ। ବିପିଏଲ ପରିବାରର ହୋଇଥିବାରୁ ତାଙ୍କର ରାସନ କାର୍ଡ ରହିଛି, ଏହା ଦାଖଲ କଲେ ରିହାତିରେ ଡାଏଲିସିସ୍‌ ସହିତ ଚିକିତ୍ସା ବ୍ୟବସ୍ଥା ହୋଇପାରିବ। ମାତ୍ର ଟିକେଟ ନ ମିଳିବାରୁ ଗେଟ୍‌ ପାଖରୁ ହିଁ ସେ ଫେରିଯିବାକୁ ବାଧ୍ୟ ହେଲେ। ପ୍ରମୋଦ କେବଳ ‌‌ଗୋଟିଏ ଉଦାହରଣ ମାତ୍ର। ଏଭଳି ଅନେକ କିଡ୍‌ନି ରୋଗୀ ଅଛନ୍ତି, ଯେଉଁମାନେ ଟିକେଟ କାଉଣ୍ଟର୍‌ରୁ ହିଁ ଫେରିଯାଉଛନ୍ତି। ଏମ୍‌ସ କର୍ତ୍ତୃପକ୍ଷ ମଧ୍ୟ ଏହି ସମସ୍ୟାକୁ ସ୍ବୀକାର କରିଛନ୍ତି। କିଡନି ରୋଗ ବିଭାଗରେ ମାତ୍ର ଜଣେ ସହଯୋଗୀ ପ୍ରଫେସର ଥିବାରୁ ଦିନକୁ ୧୫ରୁ୨୦ ଜଣ ଡାଏଲିସିସ୍‌ କରାଯାଇ ପାରୁଛି। ଓପିଡିରେ ମଧ୍ୟ ସର୍ବାଧିକ ୪୦ଜଣଙ୍କୁ ଟିକେଟ ଦେବାକୁ ସେମାନେ ବାଧ୍ୟ ହେଉଛନ୍ତି।

ସମ୍ବନ୍ଧିତ ଖବର