ଏମ୍‌ସରେ ସଂକ୍ରମଣ ଭୟ, ୨୬ରୁ ବନ୍ଦ ହେବ ଓପିଡି

ଜାରି ରହିବ ୧୦ ଜରୁରୀକାଳୀନ ସେବା, ଟେଲିମେଡିସିନର ସେବା ନେବାକୁ ପରାମର୍ଶ

ଚିକିତ୍ସିତ ହେଉଛନ୍ତି ୮୨ କୋଭିଡ୍‌ ଆକ୍ରାନ୍ତ

ଭୁବନେଶ୍ବର : ଏମ୍‌ସରେ ବଢ଼ୁଛି କରୋନା ସଂକ୍ରମଣ। ୬ ଜଣ କର୍ମଚାରୀ ଆକ୍ରାନ୍ତ ହେବା ପରେ ପୂରା ହସ୍ପିଟାଲରେ ସଂକ୍ରମଣ ଭୟ ଘାରିଛି। ତେଣୁ ଆସନ୍ତା ୨୬ ତାରିଖରୁ ଏମ୍‌ସ ଓପିଡି ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି। ତେବେ ଏହି ବନ୍ଦରୁ ଡ‌ାଏଲିସିସ୍ ଓ ରେଡିଓଥେରାପି ଭଳି ୧୦ଟି ଜରୁରୀକାଳୀନ ସେବାକୁ ବାଦ୍ ଦିଆଯାଇଛି। ଗୁରୁତର ରୋଗୀଙ୍କୁ ଏସବୁ ଜରୁରୀକାଳୀନ ସେବା ଉପଲବ୍ଧ ହେବ। ଏ ନେଇ ଏମ୍‌ସ ପକ୍ଷରୁ ଜାରି ପ୍ରେସ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି। ଅଣକୋଭିଡ୍‌ ରୋଗୀଙ୍କ ଚିକିତ୍ସାରେ ଅବହେଳା ନ ହେବା ପାଇଁ ସବୁ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଥିବା କୁହାଯାଇଛି।

ପୂର୍ବରୁ ମଧ୍ୟ କରୋନା ପାଇଁ ୨୦୨୦ ମସିହା ମାର୍ଚ ମାସରୁ ୭ ମାସ ପର୍ଯ୍ୟନ୍ତ ଏମ୍‌ସ ଓପିଡି ବନ୍ଦ ଥିଲା। ଏଥିଯୋଗୁଁ ଅଣକୋଭିଡ୍‌ ରୋଗୀଙ୍କ ଦୁର୍ଦଶା କାହିଁରେ କେତେ ବୃଦ୍ଧି ପାଇଥିଲା। ଏ ବର୍ଷ ପୁଣିଥରେ ଏପରି ପରିସ୍ଥିତି ଉପୁଜିଛି। ଏମ୍‌ସ କର୍ତ୍ତୃପକ୍ଷଙ୍କ କହିବା ଅନୁଯାୟୀ, ୧୩୬ ଶଯ୍ୟା ବିଶିଷ୍ଟ ଏମ୍‌ସର କୋଭିଡ୍‌ ଡାକ୍ତରଖାନାରେ ଏବେ ୮୨ କୋଭିଡ୍‌ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଶଯ୍ୟା ସଂଖ୍ୟା ଆହୁରି ବୃଦ୍ଧି ପାଇବ। ଅନ୍ୟଦିଗରେ ଏମ୍‌ସର ଓପିଡିକୁ ପ୍ରତିଦିନ ୩ ହଜାର ଅଣକୋଭିଡ୍‌ ରୋଗୀ ଆସିଥାଆନ୍ତି। ବର୍ତ୍ତମାନ ସ୍ଥିତିରେ ରାଜ୍ୟରେ ଯେଉଁଭଳି କୋଭିଡ୍‌ ରୋଗୀ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ଡାକ୍ତରଖାନା ପରିସରରେ ୩ ହଜାର ରୋଗୀଙ୍କ ସମେତ ସମୁଦାୟ ୬ ହଜାର ଲୋକ ସମାଗମ ହେଲେ ସ୍ଥିତି ଜଟିଳ ହେବାର ଆଶଙ୍କା ରହିଛି। ତେଣୁ ଓପିଡି ବନ୍ଦ ଲାଗି ନିଷ୍ପତ୍ତି ନିଆଯାଇଛି। ରୋଗୀଙ୍କ ସୁବିଧା ପାଇଁ ରେଡିଓଥେରାପି, ଡାଏଲିସିସ, ଟ୍ରମା ଆଣ୍ଡ ଏମରଜେନ୍ସି, ଏମରଜେନ୍ସି ଆଣ୍ଡ ଲାଇଫ ସେଭିଂ ସର୍ଜରି, ଟେଲି ମେଡିସିନ ଆଣ୍ଡ ଟେଲି କନସଲଟିଂ ସର୍ଭିସ, ଆଇପିଡି, ଫୁସଫୁସ, ନିଶ୍ଚେତକ, ଟିକାକରଣ ବିଭାଗ ଖୋଲା ରହିବ। ପୁରୁଣା ପଞ୍ଜୀକୃତ ରୋଗୀଙ୍କ ଟିକାକରଣ ବୁଧବାର, ଶୁକ୍ରବାର ହେବ। ଏପ୍ରିଲ ୨୬ ତାରିଖ ପୂର୍ବରୁ ଯେଉଁ ରୋଗୀ ପଞ୍ଜୀକୃତ ହୋଇଥିବେ, କୋଭିଡ୍‌ ଗାଇଡଲାଇନ ମଧ୍ୟରେ କେବଳ ଜଣେ ସହଯୋଗୀଙ୍କ ସହିତ ସେମାନେ ନିଜ ବିଭାଗକୁ ଯାଇ ଚିକିତ୍ସା କରିପାରିବେ। ଏଥିସହିତ ଯେଉଁ ରୋଗୀ ଭର୍ତ୍ତି ହୋଇଛନ୍ତି ସେମାନଙ୍କର ମଧ୍ୟ କୌଣସି ପ୍ରକାର ଅସୁବିଧା ହେବ ନାହିଁ। ସ୍ବଭାବିକ ଭାବରେ ସେମାନଙ୍କ ଚିକିତ୍ସା ଜାରି ରହିବ।

ଅନ୍ୟପକ୍ଷରେ ଓପିଡି ସେବା ଚାହୁଁଥିବା ରୋଗୀମାନଙ୍କୁ ସ୍ବାସ୍ଥ୍ୟ ଆପ୍‌, ଟେଲିମେଡିସିନ ସେବାର ସହାୟତା ନେବା ପାଇଁ ପରାମର୍ଶ ଦିଆଯାଇଛି। ଟେଲିମେଡିସିନ ସେବା ସୋମବାରରୁ ଶୁକ୍ରବାର ପର୍ଯ୍ୟନ୍ତ ସକାଳ ୯ଟାରୁ ସଂଧ୍ୟା ୫ଟା, ଶନିବାର ସକାଳ ୯ଟାରୁ ମଧ୍ୟାହ୍ନ ୧ଟା ପର୍ଯ୍ୟନ୍ତ ଜାରି ରହିବ। ଏ ନେଇ ଜରୁରୀ ଫୋନ ନମ୍ବର ମଧ୍ୟ ଜାରି କରାଯାଇଛି। ଏମ୍‌ସ ଭୁବନେଶ୍ବର ସ୍ବାସ୍ଥ୍ୟ ଆପ୍‌ର ସହାୟତା ସକାଳ ୮.୩୦ରୁ ଅପରାହ୍ନ ୫ଟା, ଶନିବାର ସକାଳ ୮.୩୦ରୁ ମଧ୍ୟାହ୍ନ ୧ଟା ପର୍ଯ୍ୟନ୍ତ ନିଆଯାଇ ପାରିବ। କୌଣସି ରୋଗୀଙ୍କ ଅବସ୍ଥା ଗୁରୁତର ଥିଲେ ସ୍ବାସ୍ଥ୍ୟ ଆପ୍‌, ଟେଲିମେଡିସିନ ଜରିଆରେ ସେମାନେ ଚିକିତ୍ସିତ ହେଉଥିବା ଡାକ୍ତରଙ୍କଠାରୁ ସାକ୍ଷାତ ପାଇଁ ତାରିଖ ନେଇ ପାରିବେ। ପ୍ରବେଶ ଗେଟ୍‌ରେ ସେମାନଙ୍କୁ ଏ ସଂକ୍ରାନ୍ତରେ କାଗଜ ଦେଖାଇବାକୁ ପଡ଼ିବ। ଏକ ମାସ ପର୍ଯ୍ୟନ୍ତ ଓପିଡି ବନ୍ଦ ରହିବ ବୋଲି ଅନୁମାନ ରହିଛି। କିନ୍ତୁ ଏହା ସ୍ପଷ୍ଟ ହୋଇନାହିଁ।

ଉଲ୍ଲେଖଯୋଗ୍ୟ ଯେ, ବର୍ତ୍ତମାନ ଏମ୍‌ସରେ ୭୦୦ ଜଣ ଡାକ୍ତର, ନର୍ସଙ୍କ ସମେତ ସ୍ବାସ୍ଥ୍ୟ କର୍ମୀ ରହିଛନ୍ତି। କୋଭିଡ୍‌ ପରିସ୍ଥିତିକୁ ଦୃଷ୍ଟିରେ ରଖି କିଛି ଦିନ ପୂର୍ବରୁ ନର୍ସମାନଙ୍କୁ ନିଯୁକ୍ତି ଦିଆଯାଇଥିଲା।

ସମ୍ବନ୍ଧିତ ଖବର