ବିନାଦର୍ଶକରେ ଟୋକିଓ ଅଲିମ୍ପିକ୍ସ

ଟୋକିଓ: ଚଳିତ ମାସ ୨୩ ତାରିଖରୁ ଆରମ୍ଭ ହେବାକୁ ଥିବା ଟୋକିଓ ଅଲିମ୍ପିକ୍ସକୁ ଷ୍ଟାଡିୟମ୍‌ରେ ଦେଖିବା ଲାଗି ଦର୍ଶକଙ୍କୁ ଅନୁମତି ମିଳିବନି। କରୋନା ସଂକ୍ରମଣର ମହାସଙ୍କଟ ପୁଣି ଥରେ ଫେରିବାରୁ ଜାପାନ ସରକାର ଗୁରୁବାର ଟୋକିଓରେ ଭୂତାଣୁ ଏମରଜେନ୍ସି ବା ଭୂତାଣୁ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି। ଏହି କଟକଣା ପୂରା ଅଲିମ୍ପିକ୍ସ ସରିବା ପର୍ଯ୍ୟନ୍ତ ରହିବ। ତେଣୁ ବିନା ଦର୍ଶକରେ ଏହି ବହୁ ଦେଶୀୟ ପ୍ରତିଯୋଗିତା ଆ‌‌ୟୋଜିତ ହେବ ବୋଲି ‌ଆୟୋଜକ ସହର ପକ୍ଷରୁ କୁହାଯାଇଛି। ପୂର୍ବରୁ ବିଦେଶୀ ଦର୍ଶକଙ୍କ ଟୋକିଓ ପ୍ରବେଶ ଉପରେ ଅଙ୍କୁଶ ଜାରି କରାଯାଇଥିଲା ବେଳେ ଏବେ ଘରୋଇ ଦର୍ଶକଙ୍କ ଉପରେ ସମାନ କଟକଣା ଜାରି କରାଯାଇଛି।

ପୂର୍ବରୁ ମଧ୍ୟ ଟୋକିଓରେ ତିନିଟି ଦଫାରେ ଜରୁରୀକାଳୀନ ପରିସ୍ଥିତି ଜାରି ହୋଇସାରିଛି। ସୂଚନାଯୋଗ୍ୟ ଯେ କରୋନା ସଂକ୍ରମଣର ମହାବିପଦକୁ ଆଖି ଆଗରେ ରଖି ପ୍ରତିଦିନ ମାତ୍ର ୧୦,୦୦୦ ଦର୍ଶକ (ଯାହା ପୂର୍ଣ୍ଣ କ୍ଷମତାର ଅଧା)ଙ୍କୁ ଷ୍ଟାଡିୟମରେ ଖେଳ ଦେଖିବା ଲାଗି ଅନୁମତି ଦିଆଯିବ ବୋଲି ଆୟୋଜନ ସମିତି ଗତମାସରେ ଘୋଷଣା କରିଥିଲା। ବିଦେଶ ଦର୍ଶକଙ୍କ ଉପରେ କିନ୍ତୁ ପୂର୍ବଭଳି କଟକଣା ଜାରି ରହିବ ବୋଲି କହିଥିଲା। ଏବେ ବିନା ଦର୍ଶକରେ ଅଲିମ୍ପିକ୍ସ ଆୟୋଜନ ହେବ। କରୋନା ମହାବାରୀରେ ଜାପାନର ୧୪,୮୦୦ ନାଗରିକ ପ୍ରାଣ ହରାଇଥିଲା ବେଳେ ଅଲିମ୍ପିକ୍ସ ବେଳେ ସେଠାକୁ ଆଉ ଏକ ଲହର ଆସିପାରେ ବୋଲି ପୂର୍ବରୁ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଚେତାବନୀ ଦେଇସାରିଛନ୍ତି। ଏଥରର ଅଲିମ୍ପିକ୍ସରେ ପାଖାପାଖି ୨୦୦ ଦେଶର ୧୧,୦୦୦ରୁ ଅଧିକ ଖେଳାଳି ଭାଗ ନେବାର ଥିଲା ବେଳେ କେତେକ ଦଳ ଟୋକିଓ ପହଞ୍ଚିବା ଆରମ୍ଭ କରିସାରିଲେଣି। ସେଥିମଧ୍ୟରୁ କିଛି ଖେଳାଳିଙ୍କ ରିପୋର୍ଟ କରୋନା ପଜିଟିଭ୍ ଆସିବା ଆୟୋଜନ ସମିତିର ଚିନ୍ତାକୁ ବହୁଗୁଣ ବଢ଼ାଇ ଦେଇଛି।

ସମ୍ବନ୍ଧିତ ଖବର