ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ହେବ ଫ୍ଲାଏଓଭର

ଖୋର୍ଦ୍ଧା ନାଗରିକ ମଞ୍ଚର ଦାବି ପରେ ଅଣ୍ଡରପାସ୍ ଯୋଜନା ବନ୍ଦ, ପ୍ରଧାନମନ୍ତ୍ରୀ ଓ ନୀତିନ ଗଡ଼କାରୀଙ୍କୁ ଧନ୍ୟବାଦ ଦେଲେ ଅପରାଜିତା ସାଂସଦଙ୍କୁ ଧନ୍ୟବାଦ ଦେଲା ଖୋର୍ଦ୍ଧା ନାଗରିକ ମଞ୍ଚ

ଭୁବନେଶ୍ବର: ଟାଙ୍ଗିରୁ ଭୁବନେଶ୍ବର ପର୍ଯ୍ୟନ୍ତ ଜାତୀୟ ରାଜପଥକୁ ୬ ଥାକିଆ କରାଯାଉଥିବା ବେଳେ ଏଥିରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଏକ ଫ୍ଲାଏଓଭର ନିର୍ମାଣ ହେବ। ଏ ନେଇ ଜାତୀୟ ରାଜପଥ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି। ଏହା ସହ ନିଜିଗଡ଼ ତାପଙ୍ଗ ଏବଂ ପଲ୍ଲା ତୋଟାପଡ଼ା ନିକଟରେ ଅଣ୍ଡରପାସ୍ ନିର୍ମାଣ ହେବ। ଏଥିପାଇଁ ଜାତୀୟ ରାଜପଥ କର୍ତ୍ତୃପକ୍ଷ ୧୬.୬୮କୋଟି ଟଙ୍କା ଖର୍ଚ୍ଚ କରିବେ ବୋଲି ଜଣାପଡ଼ିଛି। ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ଏହି ନିଷ୍ପତ୍ତି ପରେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ସଡ଼କ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରଣାଳୟ ମନ୍ତ୍ରୀ ନୀତିନ ଗଡ଼କାରୀଙ୍କୁ ଧନ୍ୟବାଦ ଦେଇଛନ୍ତି।

ଆଜି ଏନେଇ ସାଂସଦ ଶ୍ରୀମତୀ ଷଡଙ୍ଗୀ ତାଙ୍କ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଦଳମତ ନିର୍ବିଶେଷରେ ସମସ୍ତ ଦଳର ବିଧାୟକ ଯଥା ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ, ଜଟଣୀ ବିଧାୟକ ସୁର ରାଉତରାୟ, ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ, ଖୋର୍ଦ୍ଧା ବିଧାୟକ ଜିତୁ ମିତ୍ର ଏବଂ ଖୋର୍ଦ୍ଧା ନାଗରିକ ମଞ୍ଚ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଅଣ୍ଡରପାସ୍ ବଦଳରେ ଫ୍ଲାଏଓଭର ନିର୍ମାଣ କରିବାକୁ କହିଥିଲେ। ଏହା ପରେ ମୁଁ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କାରୀଙ୍କୁ ଭେଟି ଦାବିପତ୍ର ଦେଇଥିଲି। ‌କେନ୍ଦ୍ର ମନ୍ତ୍ରୀ ଆମ ଦାବି ଗ୍ରହଣ କରିଥିବାରୁ ପ୍ରଧାନମନ୍ତ୍ରୀ ଏବଂ କେନ୍ଦ୍ରମନ୍ତ୍ରୀଙ୍କୁ ଧନ୍ୟବାଦ। ଏହାସହ ସମସ୍ତ ଦଳର ବିଧାୟକ ଏବଂ ଖୋର୍ଦ୍ଧା ନାଗରିକ ମଞ୍ଚକୁ ଧନ୍ୟବାଦ।
ଏନ୍‌ଏଚ୍‌ଏଆଇର ଓଡ଼ିଶା ମୁଖ୍ୟ ଆର୍‌.ପି ପଣ୍ଡା କହିଛନ୍ତି ଯେ, ଆମର ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଏକ ଅଣ୍ଡରପାସ୍ ନିର୍ମାଣ କରିବାର ଯୋଜନା ଥିଲା। କିନ୍ତୁ ସ୍ଥାନୀୟ ଲୋକ ଏବଂ ଲୋକପ୍ରତିନିଧିଙ୍କ ଦାବି ପରେ ଏଠାରେ ଏକ ଫ୍ଲାଏଓଭର ନିର୍ମାଣ କରିବାକୁ ନିଷ୍ପତ୍ତି ହୋଇଛି। ଏଠାରେ ୩୦ ମିଟରର ଏକ ଫ୍ଲାଏଓଭର ହେବ। ଏଥିପାଇଁ ୪.୧୯କୋଟି ଖର୍ଚ୍ଚ ହେବ। ନିଜିଗଡ଼ ତାପଙ୍ଗ ନିକଟରେ ଅଣ୍ଡରପାସ୍‌ ପାଇଁ ୧.୯୭କୋଟି ଏବଂ ପଲ୍ଲା ତୋଟାପଡା ନିକଟରେ ଅଣ୍ଡରପାସ୍‌ ପାଇଁ ୧୦.୫୨କୋଟି ଖର୍ଚ୍ଚ ହେବ। ଏବେ ଏହି ରାସ୍ତା ନିର୍ମାଣ ଚାଲିଥିବାରୁ ଫ୍ଲାଏଓଭର ଓ ଅଣ୍ଡରପାସ୍ ନିର୍ମାଣ କାମ ଖୁବ୍‌ ଶୀଘ୍ର ଆରମ୍ଭ ହେବ ବୋଲି ଶ୍ରୀ ପଣ୍ଡା କହିଛନ୍ତି।

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଫ୍ଲାଏଓଭର ନିର୍ମାଣ ନେଇ ନିଷ୍ପତ୍ତି ହୋଇଥିବାରୁ ଖୋର୍ଦ୍ଧା ନାଗରିକ ମଞ୍ଚର ସଭାପତି ସୌମ୍ୟରଞ୍ଜନ ପଟ୍ଟନାୟକ, ସମ୍ପାଦକ ସଞ୍ଜୟ ପଟ୍ଟନାୟକ, ସମାଜସେବୀ ପ୍ରକାଶ ସାମନ୍ତରାୟ, ଶିଶିର ପରିଡ଼ା ପ୍ରମୁଖ ସାଂସଦ ଶ୍ରୀମତୀ ଷଡ଼ଙ୍ଗୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସୂଚନାଯୋଗ୍ୟ ଯେ, ଅଣ୍ଡରପାସ୍ ନିର୍ମାଣକୁ ବିରୋଧ କରି ଗତ ଏପ୍ରିଲ ୨ ତାରିଖରେ ଖୋର୍ଦ୍ଧା ନାଗରିକ ମଞ୍ଚ ଜାତୀୟ ରାଜପଥ ଉପରେ ଆନ୍ଦୋଳନ କରିବା ସହ କାମ ବନ୍ଦ କରିଥିଲା। ଏହା ପରେ ଏପ୍ରିଲ ୫ରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ବିକ୍ଷୋଭ ପ୍ରଦର୍ଶନ ହୋଇଥିଲା। ସବୁ ଦଳର ବିଧାୟକମାନେ ଯୋଗଦେବା ସହ ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ ଯୋଗ ଦେଇ ଦାବି ପୂରଣ ପାଇଁ ଉଦ୍ୟମ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।

ସମ୍ବନ୍ଧିତ ଖବର