କାଞ୍ଜିପାଣିରେ ତୁଷାରପାତ

କେନ୍ଦୁଝର: ହାଡଭଙ୍ଗା ଜାଡରେ କେନ୍ଦୁଝର ଥରୁଥିବା ବେଳେ ଏ ବର୍ଷର ପ୍ରଥମ ତୁଷାରପାତ କାଞ୍ଜିପାଣି ଘାଟିରେ ଦେଖିବାକୁ ମିଳିଛି। ଗତ ବୁଧବାର ଓ ଗୁରୁବାର ଭୋର୍‌ ସମୟରେ କାଞ୍ଜିପାଣି ଘାଟି ଅଂଚଳର ତଣ୍ଡିଯୋଡାରେ ହାଲ୍‌କା ତୁଷାରପାତ ହୋଇଛି। ଗତ କିଛି ଦିନ ଧରି ପ୍ରବଳ ଶୀତ ଅନୁଭୂତ ହେଉଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ସ୍ଥାନୀୟ ଲୋକଙ୍କ ସୂଚନା ଅନୁସାରେ, କାଞ୍ଜିପାଣି ଘାଟି ନିକଟସ୍ଥ ତଣ୍ଡିଯୋଡାଠାରେ ଗତ ଦୁଇ ଦିନ ଧରି ହାଲ୍‌କା ତୁଷାରପାତ ହେଉଛି। ବୁଧବାର ଭୋର୍‌ ସମୟରେ ହାଲକା ତୁଷାରପାତ ହୋଇଥିବା ବେଳେ ଗୁରୁବାର ଭୋର ସମୟରେ ବି ତୁଷାରପାତ ହୋଇଥିବା ସ୍ଥାନୀୟ କାଞ୍ଜିପାଣି ଗ୍ରାମର ସମୀର ମନ୍ତ୍ରୀ ପ୍ରକାଶ କରିଛନ୍ତି। ପାଣିପାଗ ବିଭାଗ ସୂଚନା ଅନୁସାରେ, ଗତ ୧୪ ତାରିଖରେ କେନ୍ଦୁଝର ସହର ଏବଂ ଏହାର ଆଖପାଖ ଅଂଚଳରେ ତାପମାତ୍ରା ୧୦.୨ ଥିବା ବେଳେ ୧୫ ତାରିଖରେ ଏହା ୯.୪ ଡିଗ୍ରୀରେ ପହଞ୍ଚିଥିଲା। ୧୬ ତାରିଖରେ ୯.୧ ଡିଗ୍ରୀ, ୧୭ ତାରିଖରେ ୮.୪ ଡିଗ୍ରୀ, ୧୮ ତାରିଖରେ ୭.୯ ଡିଗ୍ରୀ ଏବଂ ୧୯ ତାରିଖରେ ତାପମାତ୍ରା ୭.୮ ଡିଗ୍ରୀକୁ ଖସି ଆସିଥିଲା। କାଞ୍ଜିପାଣି ଘାଟିରେ ବର୍ତ୍ତମାନ ୩ରୁ ୪ ଡିଗ୍ରୀ ମଧ୍ୟରେ ତାପମାତ୍ରା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ପାହାଡିଆ ଅଂଚଳରେ ପ୍ରବଳ ଶୀତ ଲହରି ଯୋଗୁ ଲୋକେ ରାତିରେ ନିଆଁ ଜାଳି ଉଜାଗର ରହୁଥିବା ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର