ଗରିମା ଯୋଜନାରେ କୁଶଳୀ ଶ୍ରମିକଙ୍କୁ ଭତ୍ତା

ଭୁବନେଶ୍ବର : ପରିମଳ ବ୍ୟବସ୍ଥାରେ କାମ କରୁଥିବା ଶ୍ରମିକମାନଙ୍କୁ କୁଶଳୀ ଓ ଅତି କୁଶଳୀ ଆଖ୍ୟା‌ ଦେବା ସହ ସେମାନଙ୍କ ପାଇଁ ଭତ୍ତା ବ୍ୟବସ୍ଥା ହୋଇଛି। ସର୍ବନିମ୍ନ ମଜୁରୀ ବୃଦ୍ଧି ପାଇବା ସହ ଗରିମା ଯୋଜନାରେ ଅତିରିକ୍ତ ୧୫ ପ୍ରତିଶତ ଭତ୍ତା ଦେବା ପାଇଁ ‌ସରକାର ଘୋଷଣା କରିଛନ୍ତି। ଦରମା ସହିତ ଏହି ଭତ୍ତା ପ୍ରଦାନ କରିବାକୁ ଗୃହ ଓ ନଗର ଉନ୍ନୟନ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ‘ବିପଦପୂର୍ଣ୍ଣ ଓ କଠିନ କାର୍ଯ୍ୟ ଭତ୍ତା’ ନାମରେ ପରିମଳ କର୍ମଚାରୀଙ୍କୁ ଏହା ପ୍ରଦାନ କରାଯିବ। ପରିମଳ କର୍ମଚାରୀଙ୍କୁ ମର୍ଯ୍ୟାଦା ଓ ସୁରକ୍ଷା ଯୋଗାଇବା‌ ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀଙ୍କର ଏହି ଯୋଜନା ଏକ ମାଇଲ୍‌ଖୁଣ୍ଟ ବୋଲି ଗୃହ ଓ ନଗର ଉନ୍ନୟନ, ପଞ୍ଚାୟତିରାଜ, ପାନୀୟଜଳ ଏବଂ ଆଇନ ମନ୍ତ୍ରୀ ପ୍ରତାପ ଜେନା ଏକ ପ୍ରେସ୍‌ ବିବୃତିରେ କହିଛନ୍ତି।

ପରିମଳ କର୍ମଚାରୀଙ୍କ କାର୍ଯ୍ୟକୁ ଆଧାର କରି ଦୁଇଟି ଶ୍ରେଣୀରେ ବିଭକ୍ତ କରାଯାଇଛି। ସେଗୁଡ଼ିକ ହେଉଛି ପାଇଖାନା ଟାଙ୍କିରୁ ମେସିନ୍‌ ସାହାଯ୍ୟରେ ମଳ ସଂଗ୍ରହ, ସ୍ବେରେଜ୍‌ ବ୍ୟବସ୍ଥାର ରକ୍ଷଣାବେକ୍ଷଣ, ଆବଦ୍ଧ ସ୍ଥାନର ସଫେଇ କାମ ଏବଂ ପାଇଖାନା ଟାଙ୍କି ସଫା(ହାତରେ) ଓ ରକ୍ଷଣାବେକ୍ଷଣ କରୁଥିବା ଶ୍ରମିକଙ୍କୁ ଅତିକୁଶଳୀ ବିଭାଗରେ ଶ୍ରେଣୀ-୧‌ରେ ସାମିଲ କରାଯାଇଛି। ଏମାନଙ୍କର ଦୈନିକ ମଜୁରୀ ୫୦ ପ୍ରତିଶତ ବୃଦ୍ଧି ପାଇ ୪୬୧ ଟଙ୍କା ଧାର୍ଯ୍ୟ କରାଯାଇଛି। ସେହିଭଳି ଖୋଲା ନାଳ ସଫେଇ, ସର୍ବସାଧାରଣ ଶୌଚାଳୟ ସଫା, ମଳ ପଙ୍କ ବିଶୋଧନ ପ୍ଲାଣ୍ଟର ରକ୍ଷଣାବେକ୍ଷଣ କାମ କରୁଥିବା ଶ୍ରମିକମାନଙ୍କୁ କୁଶଳୀ ଶ୍ରେଣୀ-୨ରେ ସାମିଲ କରାଯାଇଛି। ଏମାନଙ୍କର ମଜୁରୀ ୩୩ ପ୍ରତିଶତ ବୃଦ୍ଧି ପାଇ ୪୦୧ ଟଙ୍କା ଧାର୍ଯ୍ୟ କରାଯାଇଛି। ଉଭୟ ବର୍ଗର ଏହି ଶ୍ରମିକମାନଙ୍କୁ ମଜୁରୀ ବାଦ୍‌ ଅତିରିକ୍ତ ୧୫ ପ୍ରତିଶତ ଭତ୍ତା ପ୍ରଦାନ ବ୍ୟବସ୍ଥା ହୋଇଛି। ଏବେଠାରୁ ଏହି ଶ୍ରମିକମାନେ କୁଶଳୀ ଓ ଅତିକୁଶଳୀ ଶ୍ରମିକ ଭାବରେ ମର୍ଯ୍ୟାଦା ପାଇବେ। ଏଥିରେ ସହରକୁ ସୁସ୍ଥ ଓ ପରି‌ଷ୍କାର ରଖିବା ପାଇଁ ସେମାନେ ଉତ୍ସାହିତ ହେବ‌େ ବୋଲି ମନ୍ତ୍ରୀ ଆଶା ପ୍ରକଟ କରିଛନ୍ତି।

ସମ୍ବନ୍ଧିତ ଖବର