ଭୁବନେଶ୍ବର: ଓଡ଼ିଶା ରାଜ୍ୟ ଚେସ୍ ସଂଘ (ଓସ୍କା) ଏବଂ ପୁରୀ ଜିଲ୍ଲା ଚେସ୍ ସଂଘ (ପିଡିସିଏ)ର ମିଳିତ ଆନୁକୂଲ୍ୟରେ ୨୬ତମ ମାଖନଲାଲ ହାଲଦାର ସ୍ମାରକୀ ସର୍ବଭାରତୀୟ ଓପନ୍ ଚେସ୍ ପ୍ରତିଯୋଗିତା ଗତ ରବିବାର ଅନୁଷ୍ଠିତ ହୋଇଯାଇଛି। ଗୁଜରାଟର ଆନଦକତ୍ କର୍ତ୍ତବ୍ୟ (୧୦.୫ ପଏଣ୍ଟ), ପଶ୍ଚିମବଙ୍ଗ ଆଇଏମ୍ ଅର୍ଘ୍ୟଦୀପ ଦାସ (୯.୫), ଶୀର୍ଷ ମାନ୍ୟତାପ୍ରାପ୍ତ ତାମିଲନାଡୁ ଗ୍ରାଣ୍ଡମାଷ୍ଟର୍ ଆର୍ ଆର୍ ଲକ୍ଷ୍ମଣ ପ୍ରଥମ ୩ ସ୍ଥାନରେ ରହିଥିଲେ। ଓଡ଼ିଶାର ରବୀନ୍ଦ୍ର କୁମାର ଓଝା (୦), ହର୍ଷିତ ରଂଜନ ସାହୁ (୯), ସଂଜୀବନ ନାୟକ (୮.୫), ଓମ୍ ଆଦିତ୍ୟ ଖାଡ଼ଙ୍ଗା (୮.୫) ଯଥାକ୍ରମେ ପଞ୍ଚମରୁ ଅଷ୍ଟମ ସ୍ଥାନରେ ରହି ରାଜ୍ୟ ଗୌରବ ରଖିଥିଲେ। ପ୍ରିୟାଂଶ ଦାସ, ରାଜେନ୍ଦ୍ର କୁମାର ସାହୁ, ସୌମ୍ୟରଂଜନ ମିଶ୍ର, ରବୀନ୍ଦ୍ର ସାହୁ, ସତ୍ୟମ ସର୍ବଜିତ୍ ମିଶ୍ର, ମନୋଜ କୁମାର ତ୍ରିପାଠୀ, କୌସ୍ତଭ ଦାଶ, ଶାଶ୍ବତ କୁମାର ଦାଶ, ଶାନ୍ତନୁ ବରାଳ, ଶୁଭ୍ରାଂଶୁ ଶେଖର ଦାଶ ଏକାଦଶରୁ ୨୦ତମ ସ୍ଥାନରେ ରହି ପୁରସ୍କୃତ ହୋଇଥିଲେ। ସ୍ବତନ୍ତ୍ର ପୁରସ୍କାର ବର୍ଗର ଉପକନିଷ୍ଠ ବର୍ଗରେ ଶ୍ରୀହନ ସାବତ, କନିଷ୍ଠ ବର୍ଗରେ ଆରିନ ଅନ୍ବେଷ ସ୍ବାଇଁ, କଲେଜ ଛାତ୍ର ବର୍ଗରେ ଅମିତାଂଶୁ ପ୍ରିୟଦର୍ଶନ ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଶ୍ରେଷ୍ଠ ମହିଳା ଖେଳାଳି ଭାବେ ଲକ୍ଷ୍ନୌର ରୁବି ପଟ୍ଟନାୟକ ଏବଂ ଶ୍ରେଷ୍ଠ ଭେଟେରାନ୍ ଖେଳାଳି ଭାବେ ୬୪ ବର୍ଷୀୟ ନାରାୟଣ ସ୍ବାଇଁ ପୁରସ୍କୃତ ହୋଇଥିଲେ। ପିଡିସିଏ ଓ ଓସ୍କା ସଭାପତି କୁମାର ହାଲଦାର ଏହାକୁ ଉଦ୍ଘାଟନ କରିଥିଲେ। ଓସ୍କା ସମ୍ପାଦକ ସ୍ମୃତି ରଂଜନ ଦାସ, ପିଡିସିଏ ସମ୍ପାଦକ ଡକ୍ଟର ବିମଳ ପ୍ରସାଦ ମହାନ୍ତି, କୋଷାଧ୍ୟକ୍ଷ ଶ୍ୟାମଲ କୁଣ୍ଡୁ, ମୁଖ୍ୟ ଆର୍ବିଟର୍ ଦେବାଶିଷ ପାଣିଗ୍ରାହୀ, ଡେପୁଟି ଆର୍ବିଟର୍ ଦୀପକ କୁମାର ପଲାଇ ଉପସ୍ଥିତ ଥିଲେ।