ଗଡ଼ିପାରୁନି ଟୟ ଟ୍ରେନ୍‌: ପଦାରେ ପଡ଼ିଲା ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ବିଫଳତା

ଅଧାବାଟରେ ଅଟକିଲା, ବସ୍‌ରେ ଫେରିଲେ, ପର୍ଯ୍ୟଟକଙ୍କ ସୁରକ୍ଷା ନେଇ ଉଠିଲା ପ୍ରଶ୍ନ

ବାରଙ୍ଗ: ଗଡ଼ି ପାରୁନି ନନ୍ଦନକାନନ ଟୟ ଟ୍ରେନ୍‌। ନିଆଁ ଲାଗିବାର ମାସକ ପରେ ଆରମ୍ଭ ହୋଇଥିବା ଏହି ଟ୍ରେନ୍‌ ସେବାକୁ ୪୮ ଘଣ୍ଟା ନ ପୂରୁଣୁ ପୁଣି ଥରେ ଅଚଳ ହୋଇଯାଇଛି। ୬୦ ପର୍ଯ୍ୟଟକଙ୍କୁ ବସାଇ ନନ୍ଦନକାନନ ପରିସରରେ ଷଷ୍ଠ ଘେରା ପରିଭ୍ରମଣ କରୁଥିବା ବେଳେ ଅପରାହ୍ନ ୪ଟାରେ ଟ୍ରେନ୍‌ ଅଧା ବାଟରେ ଅଟକି ରହିଥିଲା। ଚାଳକଙ୍କ ସମସ୍ତ ପ୍ରକାର ଉଦ୍ୟମ ବିଫଳ ହେବା ପରେ ନନ୍ଦନକାନନ କର୍ତ୍ତୃପକ୍ଷ ପର୍ଯ୍ୟଟକଙ୍କୁ ଉଦ୍ଧାର କରିବାକୁ ଯାଇଥିଲେ। ଟ୍ରେନ୍‌ ଅଟକି ଥିବା ସ୍ଥାନକୁ ଏକ ବସ୍‌ ପଠାଇ ପର୍ଯ୍ୟଟକଙ୍କୁ ଫେରାଇ ଆଣି ସେମାନଙ୍କ ଟିକେଟ ବାବଦ ଅର୍ଥ ଫେରସ୍ତ କରିଥିଲେ।

ପର୍ଯ୍ୟଟକଙ୍କ କହିବାନୁଯାୟୀ ପରିକ୍ରମା ବେଳେ ଟୟ ଟ୍ରେନ୍ ଧକେଇ ଧକେଇ ଚାଲୁଥିଲା। ମଝିରେ ମଝିରେ ଅଟକି ଯାଉଥିଲା। ୬ଷ୍ଠ ଘେରା ବୁଲିଲା ବେଳକୁ ଆଉ ଆଗକୁ ବଢ଼ିପାରି ନ ଥିଲା। ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ପୂରାପୁରି ଅଟକି ରହିଯାଇଥିଲା। କ’ଣ ହୋଇଛି ଚାଳକ ଜାଣିପାରି ନ ଥିଲେ। ବାରମ୍ବାର ଷ୍ଟାର୍ଟ କରି ଚାଲିଥିଲେ ମଧ୍ୟ କିଛି ସୁଫଳ ମିଳି ନ ଥିଲା। ବରଂ ସମ୍ପୂର୍ଣ୍ଣ ଅଟକି ଯାଇଥିଲା। ଖବର ନେବାରୁ ଜଣାପଡିଥିଲା ଯେ ୫ଟି ବଗି ଟାଣିବା ଲାଗି ଇଞ୍ଜିନରେ ଲାଗିଥିବା ପମ୍ପ୍‌ ଠିକ୍‌ ଭାବେ କାମ କରୁ ନଥିବାରୁ ଏପରି ହୋଇଛି।

ସୂଚନାଯୋଗ୍ୟ ଯେ ଗତ ଅକ୍ଟାବର ୧୭ରେ ଟୟ ଟ୍ରେନ୍‌ ଆରମ୍ଭ ହେବାର ପ୍ରଥମ ଦିନରେ ପର୍ଯ୍ୟଟକଙ୍କୁ ପରିଭ୍ରମଣ କରାଇବା ସମୟରେ ଇଞ୍ଜିନ ଅାଗରେ ଥିବା ବ୍ୟାଟେରି ବାକ୍ସରେ ସର୍ଟସର୍କିଟ ହୋଇ ଅଗ୍ନିକାଣ୍ଡ ଘଟିଥିଲା। ଏହାଦ୍ବାରା ଟୟ ଟ୍ରେନର ଚାଳକ ଓ ବସିଥିବା ପର୍ଯ୍ୟଟକ ବର୍ତ୍ତିଯାଇଥିଲେ। ସେବେଠାରୁ ଟୟ ଟ୍ରେନକୁ ବନ୍ଦ ରଖାଯାଇ ମରାମତି ଚାଲିଥିଲା। ମରାମତି ସରିବାର ସପ୍ତାହକ ପରେ ବି ପର୍ଯ୍ୟଟକଙ୍କୁ ବସାଇ ପରିଭ୍ରମଣ କରାଇବାର ସହାସ ଜୁଟାଇ ପାରୁ ନଥିଲେ। ୭ ଦିନ ଧରି ପରୀକ୍ଷଣ ଭାବେ ବାରମ୍ବାର ରେଳ ଧାରଣାରେ ଗଡ଼ାଇଥିଲେ। ପରିସ୍ଥିତି ଅନୁଧ୍ୟାନ କରିବା ପରେ ମଙ୍ଗଳବାର ପୁଣି ଥରେ ଚଳାଚଳ କରିଥିଲା। ପ୍ରଥମ ଦିନ ୧.୦୬ କିମି ରେଳପଥରେ ୬ ଘେରାରେ ପର୍ଯ୍ୟାୟକ୍ରମେ ମୋଟ ୨୨୨ ଜଣ ପର୍ଯ୍ୟଟକଙ୍କୁ ବସାଇ ସଫଳତାର ସହିତ ପରିକ୍ରମା କରାଇଥିଲା।

ମାତ୍ର ବୁଧବାର ଅପରାହ୍ନରେ ଷଷ୍ଠ ଘେରା ପରିକ୍ରମା ବେଳେ ପୁଣି ଅଚଳ ହୋଇଯାଇଥିଲା। ଆଜି ମୋଟ ୨୦୦ ପର୍ଯ୍ୟଟକ ଟ୍ରେନ୍‌ରେ ପରିକ୍ରମା କରିଛନ୍ତି। ସମ୍ୟକ ଯାନ୍ତ୍ରିକ ତ୍ରୁଟି ପାଇଁ ଏପରି ଅଘଟଣ ଘଟିଛି। ଖୁବ୍‌ ଶୀଘ୍ର ମରାମତି କରି ଟ୍ରେନ୍‌ ଚାଲୁ କରାଯିବ ବୋଲି ନନ୍ଦନକାନନ ଉପନିର୍ଦ୍ଦେଶକ ସଞ୍ଜିତ୍ କୁମାର ସୂଚନା ଦେଇଛନ୍ତି। ତେବେ ପର୍ଯ୍ୟଟକଙ୍କୁ ବସାଇ ପରିଭ୍ରମଣ କରାଇବାର ପ୍ରଥମ ଓ ଦ୍ବିତୀୟ ଦିନରେ ଅଚଳ ହେବା ଦ୍ବାରା ଟୟ ଟ୍ରେନ ପର୍ଯ୍ୟଟକଙ୍କ ଅସ୍ଥା ହରାଇଛି ବୋଲି ଚର୍ଚ୍ଚା ଜୋର୍‌ ଧରିଛି।

ସମ୍ବନ୍ଧିତ ଖବର