ଓମିକ୍ରନ ପାଇଁ କେଉଁ ଟିକା ପ୍ରଭାବି ?

ନୂଆଦିଲ୍ଲୀ : ସମଗ୍ର ବିଶ୍ବରେ କରୋନାର ନୂଆ ପ୍ରଜାତି ବି.୧.୧.୫୨୯ ବା ଓମିକ୍ରନକୁ ନେଇ ଆତଙ୍କ ଖେଳିଯାଇଛି । ଏହା ଦ୍ବାରା ପୁଣି ଥରେ କରୋନା ସମଗ୍ର ବିଶ୍ବକୁ କବଳିତ କରିବାର ଆଶଙ୍କା ଦେଖାଦେଇଛି । ସବୁଠାରୁ ବଡ଼ ପ୍ରଶ୍ନ ହେଉଛି କେଉଁ ଟିକା ଏହି ନୂଆ ପ୍ରଜାତି ପାଇଁ ପ୍ରଭାବି ହୋଇପାରିବ ।

ଋଷୀୟ ଟିକା ସ୍ପୁଟନିକ-ଭି ଉତ୍ପାଦନ କରୁଥିବା ରସିଆନ ଡାଇରେକ୍ଟ ଇନଭେଷ୍ଟମେଣ୍ଟ ଫଣ୍ଡର ନିର୍ଦ୍ଦେଶକ କିରିଲ ଡିମିଟ୍ରିଏଭ କହିଛନ୍ତି ଯେ, କରୋନାର ସବୁ ପ୍ରକାରର ପ୍ରଜାତି ବିପକ୍ଷରେ ତାଙ୍କ ଟିକା ୯୧ ପ୍ରତିଶତ ପର୍ୟ୍ୟନ୍ତ ପ୍ରଭାବି । ନୂଆ ପ୍ରଜାତି ଓମିକ୍ରନ ବିପକ୍ଷରେ ବି ଏହା ପ୍ରଭାବଶାଳୀ ରହିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି ।

ଅନ୍ୟପକ୍ଷରେ କରୋନା ଟିକା ନିର୍ମାଣ କରୁଥିବା ବିଶ୍ବର ୨ଟି ପ୍ରମୁଖ କମ୍ପାନି ବାୟୋଏନଟେକ୍ ଓ ଫାଇଜର କହିଛନ୍ତି ଯେ ଓମିକ୍ରନ ବିପକ୍ଷରେ ସେମାନଙ୍କ ଟିକା କାମ କରିବ କି ନା ସେ ନେଇ ସେମାନେ ନିଶ୍ଚିନ୍ତ ହୋଇପାରିନାହାନ୍ତି । ତେବେ ଏହି ଭାରିଆଣ୍ଟର ରୂପରେଖ ଆହୁରି ସ୍ପଷ୍ଟ ହେବା ପରେ ଆଗାମୀ ୧୦୦ ଦିନରେ ଏଥିପାଇଁ ଟିକାର ବିକାଶ କରିହେବ ବୋଲି ଏହି ଦୁଇ କମ୍ପାନି ଦୃଢୋକ୍ତି ପ୍ରକାଶ କରିଛନ୍ତି ।

ଦକ୍ଷିଣ ଆଫ୍ରିକାରେ ପ୍ରଥମେ ଚିହ୍ନଟ ହୋଇଥିବା ବି.୧.୧.୫୨୯ ଭାରିଆଣ୍ଟକୁ ଗତ କାଲି ଓମିକ୍ରନ ନାମରେ ନାମିତ କରିଥିଲା ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ।

ସମ୍ବନ୍ଧିତ ଖବର