ଚୀନଠାରୁ ୨୫ଟି ଲଢୁଆ ବିମାନ କିଣିଲା ପାକିସ୍ତାନ, ରାଫେଲର ମୁକାବିଲା କରିପାରିବ ତ ?

ଇସଲାମାବାଦ : ଭାରତର ରାଫେଲ ଲଢୁଆ ବିମାନ କିଣା ଜବାବରେ ପାକିସ୍ତାନ ଚୀନଠାରୁ ୨୫ଟି ଜେ-୧୦ସି ଲଢୁଆ ବିମାନ କିଣିଛି । ଆସନ୍ତା ମାର୍ଚ୍ଚ ୨୩ ପାକିସ୍ତାନର ଜାତୀୟ ଦିବସ ଅବସରରେ ଏସବୁ ଲଢୁଆ ବିମାନର ପ୍ରଦର୍ଶନ କରାଯିବ ବୋଲି ପାକିସ୍ତାନର ଆଭ୍ୟନ୍ତରୀଣ ବ୍ୟାପାର ମନ୍ତ୍ରୀ ଶେଖ୍ ରସିଦ କହିଛନ୍ତି ।

ରାଓ୍ବଲପିଣ୍ଡିଠାରେ ସାମ୍ବାଦିକମାନଙ୍କୁ ସେ କହିଛନ୍ତି ମାର୍ଚ୍ଚ ୨୩ ଜାତୀୟ ଦିବସ ପାଳନ ଅବସରରେ ଅନେକ ଭିଭିଆଇପିଙ୍କୁ ଆମନ୍ତ୍ରିତ କରାଯାଇଛି । ସେମାନଙ୍କ ଆଗରେ ଏହି ଜେ-୧୦ସି ସ୍କ୍ବାର୍ଡନର ପ୍ରଦର୍ଶନ କରାଯିବ ।

ଗତ ବର୍ଷ ପାକିସ୍ତାନ-ଚୀନର ମିଳିତ ସାମରିକ ଅଭ୍ୟାସ ବେଳେ ପାକିସ୍ତାନର ପାଇଲଟ ଓ ବିଶେଷଜ୍ଞମାନେ ଜେ-୧୦ସି ବିମାନ ଚଳାଇବାର ଅଭିଜ୍ଞତା ହାସଲ କରିଥିଲେ ।

ସୂଚନାଯୋଗ୍ୟ ଯେ, ଭାରତର ରାଫେଲର ମୁକାବିଲା କରିବାକୁ ପାକିସ୍ତାନ ପାଖରେ ଆମେରିକା ନିର୍ମିତ ଏଫ-୧୬ ଲଢୁଆ ବିମାନ ରହିଛି । ଏହା ସତ୍ତ୍ବେ ପାକିସ୍ତାନ ନିଜର ବାୟୁସେନାର ଦକ୍ଷତା ବଢାଇବାକୁ ଚୀନଠାରୁ ଏସବୁ ଲଢୁଆ ବିମାନ କିଣୁଛି ।

ସୂଚନାଯୋଗ୍ୟ ଯେ, ଭାରତ ଫ୍ରାନ୍ସଠାରୁ ୩୬ଟି ରାଫେଲ ବିମାନ କିଣିଛି । ଗତ ବର୍ଷଠାରୁ ଏସବୁ ବିମାନର ଡେଲିଭରୀ ଆରମ୍ଭ ହୋଇଛି । ତେବେ ଚୀନର ଜେ୧୦ସି ବିମାନ ରାଫେଲର ମୁକାବିଲା କରିପାରିବ ନାହିଁ ବୋଲି କେତେକ ବାୟୁ ବିଶେଷଜ୍ଞ କହିଛନ୍ତି । ଏପରିକି କେତେକ ପାକ୍ ସିନେଟର ମଧ୍ୟ ଏହାର ଦକ୍ଷତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି .

ସମ୍ବନ୍ଧିତ ଖବର