ସମ୍ୱଲପୁର, (ରତ୍ନାକର ଭୋଇ): ୨୩ ଜାନୁଆରି ୧୮୦୯ ଭାରତ ଇତିହାସର ଏକ ପ୍ରମୁଖ ଦିବସ । ଏହି ଦିନ ଭାରତୀୟ ମୁକ୍ତି ସଂଗ୍ରାମର ଅନ୍ୟତମ ମହାନାୟକ ବୀର ସୁରେନ୍ଦ୍ର ସାଏ ଧରାପୃଷ୍ଠରେ ଅବତରଣ କରିଥିଲେ ସମ୍ବଲପୁର ଜିଲ୍ଲାର ବୀର ପ୍ରସବିନୀ ଖିଣ୍ଡା ମାଟିରେ। ନବ ଯୌବନରେ ପଦାର୍ପଣ ସମୟ। ଯେଉଁ ବୟସରେ ପିଲାମାନେ ପାଠପଢ଼ା, ଖେଳକୌତୁକରେ ମସ୍ଗୁଲ ରହନ୍ତି, ସେହି ବୟସରେ ହିଁ ଅସ୍ତ୍ର ଧରି ଇଂରେଜ ଶାସନ ବିରୋଧରେ ସ୍ୱର ଉଠାଇଥିଲେ ସୁରେନ୍ଦ୍ର ସାଏ। ଚୌହାନ ରାଜବଂଶର ଧରମ ସିଂହ ଓ ରେବତୀ ଦେବୀଙ୍କ ସୁପୁତ୍ର ସୁରେନ୍ଦ୍ର ଇଂରେଜ ଶାସନକୁ ଦୋହଲାଇ ଦେଇଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ସମ୍ୱଲପୁରକୁ ଇଂରେଜମାନେ ପଶିବା ପଛରେ ମରହଟ୍ଟା ଆକ୍ରମଣ ଏକ ଘଟଣା ବୋଲି ବିବେଚନା କରାଯାଏ। ମରହଟ୍ଟା ସାମ୍ରାଜ୍ୟର ପତନ ପରେ ସମ୍ୱଲପୁର ଏକ ପ୍ରକାର ଇଂରେଜମାନଙ୍କ ନିୟନ୍ତ୍ରଣକୁ ଚାଲି ଆସିଥିଲା। କେହି ଉତ୍ତରାଧିକାରୀ ନଥିବାରୁ ରାଜା ମହାରାଜ ସାଏଙ୍କ ନିଧନ ପରେ ଇଂରେଜମାନେ କାଠପୁତୁଳି ଭଳି ବିଧବା ରାଣୀ ମୋହନ କୁମାରୀଙ୍କୁ ଶାସନ ଗାଦିରେ ବସାଇଥିଲେ। ରାଣୀ ମୋହନ କୁମାରୀଙ୍କ ରାଜସ୍ବ ନୀତିକୁ ନେଇ ସ୍ଥାନୀୟ ଜମିଦାରମାନେ ଅସନ୍ତୁଷ୍ଟ ଥିଲେ। ତାଙ୍କ ଅନ୍ୟ କେତେକ ନୀତି ଯୋଗୁ ସେ ଲୋକପ୍ରିୟତା ହରାଇ ବସିଥିଲେ। ସୁରେନ୍ଦ୍ର ସାଏ ରାଜ ସିଂହାସନର ପ୍ରବଳ ଦାବିଦାର ଥିଲେ। ପିତା ଧର୍ମ ସିଂହଙ୍କ ମୃତ୍ୟୁ ପରେ କାକା ବଳରାମ ସିଂହ ତତ୍ତ୍ୱାବଧାନରେ ଘୋଡ଼ା ଚଢ଼ା ସମେତ ଅନ୍ୟାନ୍ୟ ପ୍ରଶିକ୍ଷଣ ନେଇଥିଲେ। ମାତ୍ର ୧୮ ବର୍ଷ ବୟସରେ ଇଂରେଜମାନଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରିଥିଲେ। ତେବେ ୧୮୪୦ରେ ସମ୍ୱଲପୁର ଦେହୁରୀପାଲିରେ ସୁରେନ୍ଦ୍ର ଓ ତାଙ୍କ ଭାଇ ଉଦନ୍ତଙ୍କୁ ଇଂରେଜମାନେ ଧରି ନେଇଥିଲେ। ସେତେବେଳେ ସୁରେନ୍ଦ୍ରଙ୍କ ପୁତ୍ର ମିତ୍ରଭାନୁଙ୍କୁ ମାତ୍ର ଏକ ବର୍ଷ ହୋଇଥିଲା (ଗାଂଗପୁର ରାଜ୍ୟ ହାତିବାରୀ ଜମିଦାରଙ୍କ କନ୍ୟା ସୁବର୍ଣ କୁମାରୀଙ୍କୁ ସୁରେନ୍ଦ୍ର ବିବାହ କରିଥିଲେ)। ସୁରେନ୍ଦ୍ରଙ୍କୁ ପାଞ୍ଚ ବର୍ଷ ଓ ଅନ୍ୟମାନଙ୍କୁ ୭ ବର୍ଷ କାରାଦଣ୍ଡରେ ଦଣ୍ଡିତ କରି ହଜାରିବାଗ ଜେଲ୍ରେ ବନ୍ଦୀ ରଖାଯାଇଥିଲା। ଇଂରେଜମାନେ ସୁରେନ୍ଦ୍ର ସାଏଙ୍କୁ ଏତେ ଭୟ କରୁଥିଲେ ଯେ କାରାଦଣ୍ଡ ଅବଧି ସରିବା ପରେ ବି ତାଙ୍କୁ କାରାମୁକ୍ତ କରିନଥିଲେ।
୧୮୫୭ ମସିହାରେ ଆରମ୍ଭ ହୁଏ ସିପାହୀ ବିଦ୍ରୋହ। ‘ଛୋଟା ବର୍ଦ୍ଧମାନ କା ପଲଟନ୍ ସହ ମିଶି ବିଦ୍ରୋହୀମାନେ ହଜାରିବାଗ ଜେଲ୍ ଭାଂଗି ବନ୍ଦୀମାନଙ୍କୁ ମୁକ୍ତ କରିଥିଲେ। ସେମାନଙ୍କ ମଧ୍ୟରେ ଥିଲେ ସୁରେନ୍ଦ୍ର ସାଏ ଓ ତାଙ୍କ ଭାଇ ଉଦନ୍ତ ସାଏ। ସେତେବେଳକୁ ସେ ଦୀର୍ଘ ୧୭ ବର୍ଷ ଜେଲ୍ ଭୋଗି ସାରିଥାନ୍ତି । ଘଞ୍ଚ ଜଂଗଲ ମଧ୍ୟଦେଇ ଚାଲି ଚାଲି ବର୍ଷା ମାସ ଶେଷରେ ଦୁଇ ଭାଇ ନିଜ ମାତୃଭୂମିରେ ପହଂଚି ଥିଲେ। ସୁରେନ୍ଦ୍ର ସାଏଙ୍କ ଆଗମନରେ ଇଂରେଜମାନେ ବିଚଳିତ ହୋଇ ଉଠିଥିଲେ। ତାଙ୍କୁ ଧରିବା ପାଇଁ ୨୫୦ ଟଙ୍କା ପୁରସ୍କାର ଘୋଷଣା କରିଥିଲେ। ତେବେ, ସୁରେନ୍ଦ୍ର ଇଂରେଜମାନଙ୍କୁ କଡ଼ା ଜବାବ ଦେବା ପାଇଁ ୭ ଅକ୍ଟୋବର ୧୮୫୭ରେ ୧୨ ଶହ ଲୋକଙ୍କ ସହ ସମ୍ୱଲପୁର ସହରକୁ ପ୍ରବେଶ କରିଥିଲେ। ସୁରେନ୍ଦ୍ର ଓ ତାଙ୍କ ଲୋକଙ୍କ ସଂପର୍କରେ ଖବର ରଖିବା ପାଇଁ ଇଂରେଜମାନେ ଗୁପ୍ତଚର ନିୟୋଜିତ କରିଥିଲେ। ଘଞ୍ଚ ବନାନୀ, ପାର୍ବତ୍ୟ ଦୁର୍ଗ, ଗିରିଶୃଙ୍ଗକୁ ନିଜ ଆଶ୍ରୟସ୍ଥଳୀ ଭାବେ ବାଛି ନେଇଥିଲେ ସୁରେନ୍ଦ୍ର। ସୁରେନ୍ଦ୍ର ଇଂରେଜମାନଙ୍କ ମୁକାବିଲାମାନେ ଗରିଲା ରଣନୀତି ଆପଣେଇ ଥିଲେ। ପାହାଡ଼ ଉପରୁ ପଥର ଖସାଇ ଇଂରେଜମାନଙ୍କ ଉପରେ ଅତର୍କିତ ଆକ୍ରମଣ କରୁଥିଲେ। ତାଲିମପ୍ରାପ୍ତ ଇଂରେଜ ସୈନ୍ୟମାନଙ୍କ ଯୁଦ୍ଧ କୌଶଳ କାମ ଦେଇନଥିଲା। ତେବେ ବିଶ୍ୱାସଘାତକତାର ଶିକାର ହୋଇଥିଲେ ସୁରେନ୍ଦ୍ର ସାଏ। ତାଙ୍କ ଜନ୍ମଦିନ(୨୩ ଜାନୁଆରି ୧୮୬୪)ରେ ହିଁ ଦ୍ୱିତୀୟ ଥର ପାଇଁ ସେ ଗିରଫ ହୋଇଥିଲେ। ପ୍ରଥମରେ ରାୟପୁର ଓ ନାଗପୁର ଜେଲ୍ରେ କିଛି ଦିନ ରଖିବା ପରେ ତାଙ୍କୁ ୮ ଜୁନ୍ ୧୮୬୫ରେ ସୁରେନ୍ଦ୍ରଙ୍କୁ ଅସୁରଗଡ଼ ଦୁର୍ଗରେ ବନ୍ଦୀ ରଖାଯାଇଥିଲା। ୩ ମାର୍ଚ୍ଚ ୧୮୮୩ରେ ଅସୁସ୍ଥ ହୋଇପଡ଼ିଥିଲେ ସୁରେନ୍ଦ୍ର। ପ୍ରାୟ ଏକ ପର୍ଯ୍ୟନ୍ତ ଯନ୍ତ୍ରଣାଦାୟକ ରୁଗ୍ଣ ଜୀବନ ପରେ ୨୮ ଫେବ୍ରୁଆରି ୧୮୮୪ରେ ଏହି ମହାନ ବୀରଙ୍କ ଜୀବନ ଦୀପ ନିର୍ବାପିତ ହୋଇଯାଇଥିଲା। ବୀର ସୁରେନ୍ଦ୍ର ସାଏ ଯୌବନର ଦୀର୍ଘ ୧୭ ବର୍ଷ ଏବଂ ଶେଷ ପର୍ଯ୍ୟାୟରେ ୨୦ବର୍ଷ ବନ୍ଦୀ ଜୀବନ ବିତାଇବା ଇତିହାସ ପୃଷ୍ଠାରେ ବିରଳ ଘଟଣା। ଜନ୍ମଭୂମି ପାଇଁ ଜୀବନ ଦେଇଥିବା ଏହି ମହାନାୟକଙ୍କ ପ୍ରତି ଉଚିତ ସମ୍ମାନ ମିଳିପାରି ନାହିଁ।