ନୂଆଦିଲ୍ଲୀ: ଆସନ୍ତା ଖରିଫ ଋତୁରୁ ବିଭିନ୍ନ କୃଷିଜାତ ସାମଗ୍ରୀର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍ଏସ୍ପି)କୁ ଦେଢ଼ଗୁଣ କରାଯିବ ବୋଲି ଅର୍ଥମନ୍ତ୍ରୀ ଅରୁଣ ଜେଟ୍ଲି ବଜେଟ୍ରେ ଘୋଷଣା କରିଥିଲେ ମଧ୍ୟ ଏହି ଘୋଷଣା ସବୁ କୃଷକଙ୍କୁ ଖୁସି କରିପାରିନାହିଁ। ଏହାର ପ୍ରଥମ କାରଣ ହେଲା ସରକାର ଯେଉଁ ଫର୍ମୁଲାକୁ ଆଧାର କରି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ଘୋଷଣା କରୁଛନ୍ତି ସେହି ଫର୍ମୁଲାରେ କୃଷକମାନେ ଖୁସିନାହାନ୍ତି। ଫସଲର ଉତ୍ପାଦନ ମୂଲ୍ୟ ହିସାବ କରିବା ସମୟରେ ସରକାର କେବଳ ପରିଚାଳନା ବ୍ୟୟ( ଚାଷରେ ଲାଗୁଥିବା ବିଭିନ୍ନ ସାମଗ୍ରୀ ବା ଇନ୍ପୁଟ୍ର ମୂଲ୍ୟ ଏବଂ ପରିବାର ଶ୍ରମ)କୁ ବିଚାରକୁ ନିଆଯାଉଛି। ଏହି ହିସାବରେ କୃଷକମାନେ ଜମିର ଭଡ଼ା କିମ୍ବା ପୁଞ୍ଜି ଆଦି ଖର୍ଚକୁ ବିଚାରକୁ ନିଆଯାଉନାହିଁ। ତେଣୁ ଫସଲର ମୂଲ୍ୟକୁ ଦେଢ଼ ଗୁଣ କରାଗଲେ ମଧ୍ୟ କୃଷକଙ୍କ ଆୟରେ ସେଭଳି କୌଣସି ବୃଦ୍ଧି ହେବାର ନାହିଁ।
ଏତଦ୍ବ୍ୟତୀତ ସବୁ କୃଷକଙ୍କ ନିକଟରେ ଏମ୍ଏସ୍ପି ପହଞ୍ଚେ ନାହିଁ। ସମୁଦାୟ କୃଷି ଉତ୍ପାଦର କେବଳ ୩୫ ପ୍ରତିଶତ ଏମ୍ଏସ୍ପି ପରିସରରେ ଆସୁଛି। ସେହିଭଳି ଦୁଗ୍ଧ, ଫଳ ଏବଂ ପନିପରିବା ଏମ୍ଏସ୍ପି ପରିସରରେ ଆସୁନାହିଁ ବୋଲି ଜଣେ ବରିଷ୍ଠ କୃଷି ପରାମର୍ଶଦାତା କହିଛନ୍ତି। ତେଣୁ ଦୁଗ୍ଧକୁ ଏମ୍ଏସ୍ପିରେ ସାମିଲ କରିବା ପାଇଁ ବହୁଦିନ ହେଲା ଦାବି ହୋଇ ଆସୁଛି। ଏପରିକି ଯେଉଁ ସବୁ କୃଷିଜାତ ସାମଗ୍ରୀର ଏମ୍ଏସ୍ପି ରହିଛି ସେସବୁ ସାମଗ୍ରୀକୁ ପୂର୍ଣ୍ଣମାତ୍ରାରେ ସରକାର କୃଷକଙ୍କଠାରୁ ସଂଗ୍ରହ କରୁନାହାନ୍ତି। ଅନେକ ଉତ୍ପାଦ କ୍ଷେତ୍ରରେ ସଂଗ୍ରହ ହାର ୩୦ ପ୍ରତିଶତ ପର୍ଯ୍ୟନ୍ତ ରହୁଛି।
Sambad is now on WhatsApp
Join and get latest news updates delivered to you via WhatsApp
ସରକାର ସ୍ପଷ୍ଟତା ଆଣନ୍ତୁ
ଖ୍ୟାତିସମ୍ପନ୍ନ କୃଷି ବିଜ୍ଞାନୀ ତଥା ପୂର୍ବତନ ରାଜ୍ୟସଭା ସଦସ୍ୟ ଏମ୍. ଏସ୍. ସ୍ୱାମୀନାଥନ୍ କେନ୍ଦ୍ର ବଜେଟ୍ରେ ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍ଏସ୍ପି) ବୃଦ୍ଧି ଘୋଷଣାକୁ ସ୍ୱାଗତ କରିଛନ୍ତି। ଖରିଫ ଋତୁରେ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଘୋଷଣା କରାଯାଇଛି। ତେବେ ସରକାର ଏ ନେଇ ସ୍ପଷ୍ଟତା ଆଣିବା ଉଚିତ। ୨୦୦୬ରେ କୃଷକମାନଙ୍କ ପାଇଁ ତାଙ୍କ ନେତୃତ୍ୱରେ ଗଠନ ହୋଇଥିବା କମିସନ୍ ଏମ୍ଏସ୍ପି ବୃଦ୍ଧି ପାଇଁ କରିଥିବା ସୁପାରିସ ଆଧାରରେ ଏହା କରାଯିବ କି ବୋଲି ସେ ଜାଣିବାକୁ ଆଗ୍ରହ ପ୍ରକାଶ କରିଛନ୍ତି। କୃଷି ସମ୍ପକୀୟ ଖର୍ଚ ଓ ଦର ଆୟୋଗ (ସିଏସିପି) ଦ୍ୱାରା ବର୍ଗୀଭୂତ ହୋଇଥିବା ‘ସି୨’ ଖର୍ଚ ତୁଳନାରେ ସର୍ବନିମ୍ନ ସହାୟକ ମୂଲ୍ୟ ୫୦ ପ୍ରତିଶତ ଅଧିକ ହେବା ଉଚିତ ବୋଲି ସ୍ୱାମୀନାଥନ କମିଟି ସୁପାରିସ କରିଥିଲା। ଏକ ଇଂରାଜୀ ଖବରକାଗଜକୁ ସ୍ୱାମୀନାଥନ୍ କହିଛନ୍ତି କେବଳ ଅଘୋଷିତ ଫସଲ ପାଇଁ ଏମ୍ଏସ୍ପିର ଏହି ପ୍ରସ୍ତାବିତ ବୃଦ୍ଧି ଅର୍ଥମନ୍ତ୍ରୀ ବଜେଟ୍ରେ ଘୋଷଣା କରିଛନ୍ତି। ତେଣୁ ଧାନ ଏବଂ ବାଜରା ଭଳି ଗୁରୁତ୍ୱପୂର୍ଣ୍ଣ ଫସଲର ଏମ୍ଏସ୍ପି ମୂଲ୍ୟ ବୃଦ୍ଧି ହେବନାହିଁ।
ସନ୍ଦେହରେ ଚାଷୀ
ବିଜୟଓ୍ଵାଡ଼ା: ଅର୍ଥମନ୍ତ୍ରୀ ଅରୁଣ ଜେଟ୍ଲି ବଜେଟ୍ରେ କୃଷିଜାତ ସାମଗ୍ରୀର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍ଏସ୍ପି) ବୃଦ୍ଧି ଘୋଷଣାର କାର୍ଯ୍ୟକାରିତା ନେଇ କୃଷକଙ୍କ ମନରେ ସନ୍ଦେହ ଦେଖାଦେଇଛି। ପୂର୍ବତନ ରାଜ୍ୟସଭା ସଦସ୍ୟ ୟାଲାମାଞ୍ଚାଲି ଶିବାଜୀ କହିଛନ୍ତି ଯେ, ଏମ୍ଏସ୍ପିରେ କେବଳ ୨୪ଟି ଫସଲକୁ ସାମିଲ କରାଯାଇଥିବାରୁ ଏହାର ବ୍ୟାପକତା ନାହିଁ। ଏହି କାର୍ଯ୍ୟକୁ ସମ୍ପାଦନ କରିବା କଷ୍ଟ କିନ୍ତୁ କହିବା ସହଜ। କାରଣ ଧାନ ଓ ଗହମ ସଂଗ୍ରହର ନୋଡାଲ ଏଜେନ୍ସି ତଥା ଭାରତୀୟ ଖାଦ୍ୟ ନିଗମ(ଏଫ୍ସିଆଇ) ଧୀରେ ଧୀରେ ଫସଲ କ୍ରୟରୁ ଦୂରେଇ ଯାଉଛି। ସେହିଭଳି ଭାରତୀୟ ସୁତା ନିଗମ ମଧ୍ୟ ଏଫ୍ସିଆଇ ଭଳି ପଥ ଦେଇ ଯାଉଛି। ଏଥିଯୋଗୁଁ କୃଷକମାନେ ଅସୁବିଧାରେ ରହିଛନ୍ତି। ସେହିଭଳି ଅନ୍ୟ ଜଣେ କୃଷକ ନେତା କହିଛନ୍ତି ଯେ, ଏମ୍ଏସ୍ପିକୁ ବଜେଟ୍ରେ ଆଇନଗତ ପ୍ରସ୍ତାବ ଦେବାର କୌଣସି ବ୍ୟବସ୍ଥା କରାଯାଇ ନାହିଁ।
ଫସଲ ମୂଲ୍ୟ କମ୍ ରହିଲେ ମିଳିବ କ୍ଷତିପୂରଣ!
ନୂଆଦିଲ୍ଲୀ: କୃଷକମାନେ ଅମଳ କରୁଥିବା ଫସଲର ମୂଲ୍ୟ ଯଦି ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍ଏସ୍ପି)ଠାରୁ କମ୍ ରୁହେ ତାହେଲେ ସରକାର ଏ ବାବଦରେ କ୍ଷତିପୂରଣ ଦେବା ଉପରେ ବିଚାର କରୁଛନ୍ତି। ମଧ୍ୟପ୍ରଦେଶ ସରକାରଙ୍କ ‘ଭାବାନ୍ତର ଭୁଗ୍ତାନ୍ ଯୋଜନା’ ଢାଞ୍ଚାରେ ଏହି ଯୋଜନା କାର୍ଯ୍ୟକାରୀ କରାଯିବା ଲକ୍ଷ୍ୟ ରହିଛି। କୃଷକମାନେ ସେମାନଙ୍କ ଉତ୍ପାଦିତ ସାମଗ୍ରୀର ପର୍ଯ୍ୟାପ୍ତ ମୂଲ୍ୟ ଯେଭଳି ପାଆନ୍ତି ତାହାକୁ ନିଶ୍ଚିତ କରିବା ପାଇଁ ସରକାର ନିତି ଆୟୋଗକୁ ଦାୟିତ୍ୱ ଦେଇଛନ୍ତି। ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନୁଯାୟୀ, ଏହି ଯୋଜନାକୁ ବିଭିନ୍ନ ଉପାୟରେ କାର୍ଯ୍ୟକାରୀ କରାଯିବା ରାସ୍ତା ରହିଛି। ଏଥିରେ ମଧ୍ୟ ପ୍ରଦେଶ ସରକାର କାର୍ଯ୍ୟକାରୀ କରୁଥିବା ଯୋଜନା ମଧ୍ୟ ଏକ ପନ୍ଥା ହୋଇପାରେ। ଏତଦ୍ବ୍ୟତୀତ ସର୍ବନିମ୍ନ ସହାୟକ ମୂଲ୍ୟ ଦେଇ କୃଷକଙ୍କଠାରୁ ଫସଲ କ୍ରୟ କରିବା ଏବଂ ଶେଷରେ ଘରୋଇ ବ୍ୟବସାୟୀଙ୍କ ସହିତ ଏଥିପାଇଁ ସହଯୋଗ ସ୍ଥାପନ କରିବା ମଧ୍ୟ ଅନ୍ତର୍ଭୁକ୍ତ ରହିଛି।
କେନ୍ଦ୍ର, ରାଜ୍ୟ ଓ ନିତି ଆୟୋଗ ଏକାଠି କାମ କରିବେ
ବଜେଟ୍ ଉପସ୍ଥାପନ କରିବାର ପରଦିନ ଅର୍ଥମନ୍ତ୍ରୀ ଅରୁଣ ଜେଟ୍ଲି କୃଷକମାନଙ୍କ ଦୁରାବସ୍ଥାକୁ ସ୍ୱୀକାର କରିଛନ୍ତି। କୃଷି କ୍ଷେତ୍ର ଉପରେ ରହିଥିବା ଚାପ ବାସ୍ତବ ବୋଲି ସେ କହିଛନ୍ତି। ତେବେ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍ଏସ୍ପି) ଯୁକ୍ତିଯୁକ୍ତ ହେବା ଉଚିତ। ତେବେ ଏମ୍ଏସ୍ପି ବୃଦ୍ଧି ଆଗାମୀ ଋତୁରୁ ଆରମ୍ଭ ହେବାକୁ ଥିବାରୁ କୃଷି ମନ୍ତ୍ରାଳୟ, ରାଜ୍ୟ ସରକାର ଏବଂ ନିତି ଆୟୋଗ ମିଳିତ ଭାବେ ଏ ନେଇ କାର୍ଯ୍ୟ କରିବା ଉଚିତ ବୋଲି ସେ କହିଛନ୍ତି।
‘ସି୨’ ଫର୍ମୁଲାରେ ଉତ୍ପାଦନ ମୂଲ୍ୟ ହିସାବ ଦାବି
ଫସଲର ଉତ୍ପାଦନ ମୂଲ୍ୟକୁ କୃଷିଜାତ ସାମଗ୍ରୀର ଉତ୍ପାଦନ ମୂଲ୍ୟ ଏବଂ ଦର ଆୟୋଗ ବା ସିଏସିପି ଦ୍ୱାରା ନିର୍ଧାରଣ କରାଯାଇଥାଏ। ସିଏସିପି ଏହି ଖର୍ଚକୁ ୩ଟି ବର୍ଗରେ ବିଭାଗ କରିଛି। ସେଗୁଡ଼ିକ ହେଲା ଏ୨, ଏ୨+ଏଫ୍ଏଲ୍ ଏବଂ ସି୨। ବିଶେଷଜ୍ଞଙ୍କ କହିବାନୁଯାୟୀ, କୃଷକମାନେ ଫସଲ ଉତ୍ପାଦନ ପାଇଁ କରୁଥିବା ଖର୍ଚର ବାସ୍ତବ ପ୍ରତିଫଳନ ସି୨ ଫର୍ମୁଲାରେ ହୋଇଥାଏ। କାରଣ ଏହି ଫର୍ମୁଲାରେ ଚାଷରେ ବ୍ୟବହୃତ ହେଉଥିବା ଅର୍ଥ ଏବଂ ସାମଗ୍ରୀ, ଜମି ପାଇଁ ଦିଆଯାଉଥିବା ଭଡ଼ା, ପରିବାର ସଦସ୍ୟଙ୍କ ଶ୍ରମ ମୂଲ୍ୟ ଏବଂ ସୁଧ ପଇଠ ଆଦିକୁ ବିଚାରକୁ ନିଆଯାଇଥାଏ। ତେଣୁ ଯଦି ସରକାର ସି୨ ଫର୍ମୁଲାକୁ ଆଧାର କରି ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରନ୍ତି ତାହେଲେ କୃଷକମାନେ ପ୍ରକୃତରେ ଖୁସି ହେବେ। ଏଥିପାଇଁ ସି୨ ଫର୍ମୁଲାରେ କୃଷି ସାମଗ୍ରୀର ଉତ୍ପାଦନ ଖର୍ଚ ହିସାବ କରି ଏମ୍ଏସ୍ପି ପ୍ରଦାନ ପାଇଁ ଦାବି ହେଉଛି।