ସରିଲା ମିଛଧରା ପରୀକ୍ଷା, ରି‌ପୋର୍ଟକୁ ଅପେକ୍ଷା

ନକଲି ଡାକ୍ତର ରଙ୍ଗିଲା ରମେଶ ମାମଲା

ଭୁବନେଶ୍ବର: ନକଲି ଡାକ୍ତର ରଙ୍ଗିଲା ରମେଶକୁ ଆଜି ମିଛଧରା ଯନ୍ତ୍ର ସମ୍ମୁଖରେ ବସାଯାଇଥିଲା। ଏହି ପରୀକ୍ଷା ବେଳେ ବିଶେଷଜ୍ଞମାନେ ତାକୁ ଶହେରୁ ଅଧିକ ପ୍ରଶ୍ନ କରିଥିବା ଜଣାପଡ଼ିଛି। ପଶ୍ନୋତ୍ତର ସମୟରେ ବିଶେଷଜ୍ଞମାନେ ତା’ର ହାର୍ଟ ବିଟ୍‌, ପଲ୍‌ସ ରେଟ୍‌, ବ୍ଲଡ୍‌ ପ୍ରେସର ଆଦି ମାପିଥିଲେ। ପରୀକ୍ଷା ରିପୋର୍ଟ ମିଳିବା ପରେ ରମେଶ କଥାରେ କେତେ ମିଛ ରହିଛି, ତାହା ଜଣାପଡ଼ିବ। ପରୀକ୍ଷା ପରେ ତାକୁ ଜେଲ୍‌ ପଠାଇଦିଆଯାଇଛି।

ମିଛଧରା ପରୀକ୍ଷା ବେଳେ ରମେଶକୁ ବହୁ ଦିଗରୁ ପ୍ରଶ୍ନ କରାଯାଇଥିଲା। ବ୍ୟବସାୟ, କ୍ଲିନିକ୍‌, ବିବାହ ପ୍ରସଙ୍ଗ, ସମ୍ପତ୍ତି, ତା’ ସହିତ ଥିବା ବ୍ୟକ୍ତିବିଶେଷ, ପିଲାଛୁଆ ଆଦି ବହୁ କଥାକୁ ନେଇ ଶହେରୁ ଅଧିକ ପ୍ରଶ୍ନ କରାଯାଇଥିଲା। ସବୁ ପ୍ରଶ୍ନର ଉତ୍ତର ଦେଇଛି ରମେଶ। କିନ୍ତୁ କେତେ ସତ କହିଛି, ତାହା ସ୍ପଷ୍ଟ ହୋଇନାହିଁ। ସୂଚନାଯୋଗ୍ୟ, ଗତ ଫେବ୍ରୁଆରି ୧୪ରେ ନକଲି ଡାକ୍ତର ରଙ୍ଗିଲା ରମେଶକୁ କମିସନରେଟ୍‌ ପୁଲିସ ଗିରଫ କରିଥିଲା। ଦିଲ୍ଲୀର ଶିକ୍ଷୟିତ୍ରୀ ପତ୍ନୀଙ୍କୁ ଠକେଇ କରିଥିବା ଅଭିଯୋଗ ଆଧାରରେ ତାକୁ ଗିରଫ କରାଯାଇଥିଲା। ପରେ ପ‌ରେ ତା’ ନାଁରେ ଅଭିଯୋଗର ତାଲିକା ଲମ୍ବିବାରେ ଲାଗିଲା। ଗୌହାଟିରୁ ଡାକ୍ତରାଣୀ ସ୍ତ୍ରୀ ଓ ପଞ୍ଜାବରୁ ଅଧ୍ୟାପିକା ସ୍ତ୍ରୀ ରମେଶ ନାଁରେ ଠକେଇ ଅଭିଯୋଗ ଆଣିଥିଲେ।

ମିଛ କହି ସେମାନଙ୍କୁ ବିବାହ ଫାନ୍ଦରେ ପକାଇବା‌ ପରେ ସେମାନଙ୍କଠାରୁ ବିଭିନ୍ନ ବାହାନାରେ ଲକ୍ଷ ଲକ୍ଷ ଟଙ୍କା ଚଳୁ କରିନେଇଥିବା ସେମାନେ ଅଭିଯୋଗ କରିଥିଲେ।
ସେହିଭଳି କୋଲକାତାର ଜଣେ ବ୍ୟବସାୟୀ ମଧ୍ୟ ତା’ ନାଁରେ ଠକେଇ ଅଭିଯୋଗ ଆଣିଥିଲେ। ଏମିତିରେ ତା’ ନାଁରେ ମୋଟ ୧୫ ମାମଲା ରୁଜୁ ହେଲା। ମାମଲା ବଢ଼ିବଢ଼ି ଚାଲିବାରୁ ପୁଲିସ ତାକୁ ବିଭିନ୍ନ ପର୍ଯ୍ୟାୟରେ ତିନି ତିନି ଥର ରିମାଣ୍ଡ ଆଣି ଜେରା କରିଥିଲା। କିନ୍ତୁ ଧୂର୍ତ୍ତ ରମେଶ ସବୁ ଅଭିଯୋଗକୁ ବାଏଁବାଏଁ ଉଡ଼ାଇ ଦେଇଥିଲା। ପୁଲିସ ତା’ଠାରୁ ସତ ଆଦାୟ କରିପାରିନଥିଲା। ମହାମିଛୁଆ ରମେଶ ପୁଲିସକୁ ଭକୁଆ କରି ମିଛ ପରେ ମିଛ କହି ଚାଲିଲା। ତେଣୁ ତା’ର ରହସ୍ୟ ଭେଦ କରିବାକୁ ପୁଲିସ ‌ଶେଷରେ ମିଛଧରା ପରୀକ୍ଷା କରାଇଛି।

ସମ୍ବନ୍ଧିତ ଖବର