ବିନା ଜୈବ ବଳୟରେ ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦

ଅହମଦାବାଦ: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଜୁନ୍ ୯ରୁ ୧୯ ତାରିଖ ମଧ୍ୟରେ ଖେଳାଯିବାକୁ ଥିବା ପାଞ୍ଚ ଟିକିଆ ଟ୍ବେଣ୍ଟି-୨୦ ଶୃଙ୍ଖଳା ବିନା ଜୈବ ବଳୟରେ ଖେଳାଯିବ। ଅର୍ଥାତ୍ ଖେଳାଳିମାନେ କଠୋର କୋଭିଡ୍ ନିୟମ ଭିତରେ ରହିବେ ନାହିଁ। ବିସିସିଆଇ ସଂପାଦକ ଜୟ ଶାହ ଏହି ସୂଚନା ଦେଇଛନ୍ତି। ‘‘ମୁଁ ଭାବୁଛି ଆଇପିଏଲ୍-୨୦୨୨ ଆମ ଖେଳାଳିଙ୍କ ପାଇଁ ଶେଷ ଜୈବ ବଳୟ ହେବ। ଭାରତ-ଦକ୍ଷିଣ ଆଫ୍ରିକା ଶୃଙ୍ଖଳାରେ ଖେଳାଳିଙ୍କର କୋଭିଡ୍ ପରୀକ୍ଷା କରାଯିବ। ହେଲେ ସେମାନେ ଜୈବ ବଳୟ ଭିତରେ ରହିବେ ନାହିଁ।’’ ବୋଲି ଶାହ କହିଛନ୍ତି। କୋଭିଡ୍-୧୯ ସଂକ୍ରମଣ ପରିପ୍ରେକ୍ଷୀରେ ଗତ ତିନି ବର୍ଷ ହେବ ଖେଳାଳିମାନେ କଠୋର ଜୈବ ବଳୟ ଭିତରେ ଶୃଙ୍ଖଳା ଖେଳି ଆସୁଛନ୍ତି। ଯାହା ଖେଳାଳିଙ୍କ ପ୍ରଦର୍ଶନ ଉପରେ ପ୍ରତିକୂଳ ପ୍ରଭାବ ପକାଉଥିଲା ବେଳେ ଅନେକ ସମୟରେ ସେମାନେ ମାନସିକ ଚାପର ସମ୍ମୁଖୀନ ହେଉଛନ୍ତି। ଏହି କାରଣରୁ ଅନେକ ଖେଳାଳି ଆଇପିଏଲ୍‌ରୁ ମଧ୍ୟ ଓହରି ଯାଇଥିଲେ।

ଅବଶ୍ୟ ଖେଳାଳିମାନଙ୍କୁ ସେମାନଙ୍କ ସହ ନିଜ ପରିବାରକୁ ରଖିବାକୁ ଅନୁମତି ମିଳୁଥିଲା। ହେଲେ ପରିବାରବର୍ଗଙ୍କୁ ମଧ୍ୟ କୋଭିଡ୍ ନିୟମକୁ କଡ଼ା‌ କଡ଼ି ଭା‌ବେ ପାଳନ କରିବାକୁ ପଡ଼ୁଥିଲା। ଚଳିତ ବର୍ଷର ୭୦ ଆଇପିଏଲ୍ ମ୍ୟାଚ୍ ସଫଳତାର ସହ ଆୟୋଜନ କରିଥିବାରୁ ମୁମ୍ବାଇ କ୍ରିକେଟ୍ ସଂଘକୁ ଏହି ଅବସରରେ ଶାହ ପ୍ରଶଂସା କରିଥିଲେ। ପଦାର୍ପଣରେ ଗୁଜରାଟ ଟାଇଟନ୍ସ ଆଇପିଏଲ୍‌ର ଫାଇନାଲ୍‌କୁ ଯିବା ବ୍ୟକ୍ତିଗତ ଭାବେ ତାଙ୍କୁ ଢେର ଖୁସି ଦେଇଛି ବୋଲି ମଧ୍ୟ ଶାହ ମତ ପ୍ରକାଶ କରିଥିଲେ।

ସୂଚନାଯୋଗ୍ୟ ଯେ ଭାରତ-ଦକ୍ଷିଣ ଆଫ୍ରିକା ଶୃଙ୍ଖଳାର ଦ୍ବିତୀୟ ମ୍ୟାଚ୍ କଟକର ବାରବାଟୀ ଷ୍ଟାଡିୟମ୍‌ରେ ଖେଳାଯିବ। ଏହି ମ୍ୟାଚ୍ ବିନା ଜୈବ ବଳୟରେ ଖେଳାଯିବ ବୋଲି ଶାହ ଘୋଷଣା କରିବା ଓଡ଼ିଶା କ୍ରିକେଟ୍ ସଂଘକୁ ଆଶ୍ବସ୍ତ କରିଛି। ପୂର୍ବରୁ ବିସିସିଆଇ ଏହି ମ୍ୟାଚ୍ ଲାଗି ଶତପ୍ରତିଶତ ଦର୍ଶକ କ୍ଷମତାକୁ ଅନୁମତି ଦେଇ ସାରିଛି।

ସମ୍ବନ୍ଧିତ ଖବର