ରାସ୍ତା ମରାମତି ଅଧାପନ୍ତରିଆ, ବ୍ୟାରିକେଡ୍‌ ନାହିଁ

ଚମ୍ପୁଆ: କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକ୍ ଅନ୍ତର୍ଗତ କଣ୍ଡରା-ଅଂଶେଇକଳା ରାସ୍ତା ମରଣଯନ୍ତା ପାଲଟିଛି। ରାସ୍ତା ପ୍ରଶସ୍ତୀକରଣ ପାଇଁ ରାସ୍ତାକଡ଼ ଖୋଳା ଯାଇଥିବା ବେଳେ କଲଭର୍ଟ ନିର୍ମାଣ ଅଧାପନ୍ତରିଆ ‌ରହିଛି। ଏଭଳି ସ୍ଥିତିରେ ଦୁର୍ଘଟଣା ଘଟିବାର ସମ୍ଭାବନା ରହିଛି। ବର୍ଷା ଦିନ ହୋଇଥିବାରୁ ରାସ୍ତାରେ ଯାତାୟାତ ପାଇଁ ଲୋକେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି।

ଶ୍ରାବଣ ମାସରେ ଚାଲିଛି ରାସ୍ତା କାମ। କେଉଁଠି କଲଭର୍ଟ କାମ ଅଧା ତ କେଉଁଠି ରାସ୍ତା କଡ଼ ଖୋଳାଯାଇଛି। କେଉଁଠି ରାସ୍ତାକଡ଼ରେ ଚିପ୍ସ ଗଦା କରାଯାଇଛି। ଏମିତି ଚାଲିଛି ରାସ୍ତା ନିର୍ମାଣ କାମ, ରାସ୍ତାରେ ଯାଉଥିବା ଯାତ୍ରୀଙ୍କ ଜୀବନକୁ ବିପଦରେ ପକାଇ ବିନା ବ୍ୟାରିକେଡ଼୍ ବାଡ ବତାରେ ଦୀର୍ଘ ଦିନ ଧରି ମୁକୁଳା ପଡିଛି। ଯୋଡ଼ା ବ୍ଲକ କଣ୍ତରା–ଅଂଶେଇକଳା ଯିବା ରାସ୍ତା କଡ ଜଙ୍ଗଲ ନିକଟରେ ଥିବା ଖାଲ। ଏହି ରାସ୍ତାର ଅଂଶେଇକଳା ଗାଁ ନିକଟରେ ନିମାର୍ଣ ଚାଲିଥିବା କଲଭର୍ଟର କାର୍ଯ୍ୟ ଏଯାଏଁ ସରିନି। ଫଳରେ କଲଭର୍ଟ କଡ଼ରେ ଲୋକେ କାଦୁଆ ରାସ୍ତାରେ ଯାଆସ କରୁଛନ୍ତି। ବିଭିନ୍ନ ସ୍ଥାନରେ ରାସ୍ତାର ଉଭୟ ପାର୍ଶ୍ବରେ ଖୋଳି ଦେଇଛି ରାସ୍ତା ନିମାର୍ଣ କରୁଥିବା ଠିକାସଂସ୍ଥା। ରାସ୍ତା କାମ ବିଳମ୍ବ ଘଟୁଥିବାରୁ ଯାତୟାତରେ ଅସୁବିଧା ହେଉଛି। ଏ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।

ପ୍ରାପ୍ତ ସୂଚନା ମୁତାବକ, ୫୨୦ନଂ ଜାତୀୟ ରାଜପଥ କଣ୍ତରା ଛକ ଠାରୁ ପୁରୁଷୋତ୍ତମପୁର ଗ୍ରାମକୁ ଯାଇଥିବା ପ୍ରାୟ ୧୦କିମି ରାସ୍ତାର ଓସାର କରିବା ପାଇଁ ରାସ୍ତା ଦୁଇ ପାର୍ଶ୍ବରେ ଜେସିବି ମେସିନ ଲଗାଇ ବିଭିନ୍ନ ସ୍ଥାନରେ ଖୋଳି ଦିଆଯାଇଛି। ମାତ୍ର ଉକ୍ତ କାମଗୁଡିକ ମନ୍ତ୍ରର ଗତିରେ ଚାଲୁଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଏହି ରାସ୍ତାଟି ଝାଡ଼ଖଣ୍ତ ରାଜ୍ୟକୁ ସଂଯୋଗ ରହିଥିବା ବେଳେ ଦୈନିକ ଯୋଡ଼ା ବ୍ଲକ ଓ ଚମ୍ପୁଆ ବ୍ଲକ ଅଂଚଳର ଲୋକେ ଯାତାୟାତ କରିବା ପାଇଁ ନିର୍ଭର କରିଥାନ୍ତି।  ଏଭଳି ଏକ ଗୁରୁତ୍ବପୁର୍ଣ୍ଣ ରାସ୍ତାର ମରାମତି ବିଳମ୍ବ  ହେଉଥିବାରୁ ଲୋକେ ବିଭିନ୍ନ ସ୍ଥାନକୁ କାମଧନ୍ଦାରେ ଯାଆସ କରିବାରେ ଅସୁବିଧା ହେଉଥିବା ପ୍ରକାଶ କରିଛନ୍ତି। ନିର୍ମାଣ କରୁଥିବା ଠିକାସଂସ୍ଥା ଏଭଳି ଅସୁରକ୍ଷିତ ଭାବେ ରାସ୍ତାକାମ ଅଧାରେ ଛାଡ଼ି ଦେଇଥିବାରୁ ସ୍ଥାନୀୟ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। କଲଭର୍ଟ କାମ ବର୍ଷା ଦିନ ପୂର୍ବରୁ ସରିବାକୁ ଥିବା ବେଳେ ତାହା ମଧ୍ୟ ଅଧାପନ୍ତରିଆ ଭାବରେ ପଡ଼ି ରହିଛି। ଲୋକେ ବିଲ ଭିତରେ ପାଦଚଲା ରାସ୍ତାରେ ଯାଆସ କରୁଛନ୍ତି। ବର୍ଷାରେ ସେହି ରାସ୍ତାଟି କାଦୁଅ ହୋଇଯାଇଥିବାରୁ ନାନା ଅସୁବିଧା ହେଉଛି।  ତୁରନ୍ତ ଏଥିପ୍ରତି ବିଭାଗୀୟ ଦୃଷ୍ଟିଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର