ପ୍ରଥମ ଟେ୍ଵଣ୍ଟି-୨୦ ଜିତିଲା ଶ୍ରୀଲଙ୍କା

ଢାକା: ବଂଲାଦେଶ ବିପକ୍ଷ ଦୁଇଟିକିଆ ଟେଷ୍ଟ୍‍ ଶୃଙ୍ଖଳାକୁ ୧-୦ରେ ଜିତିଥିବା ଶ୍ରୀଲଙ୍କା ଗୁରୁବାର ପ୍ରଥମ ଟେ୍ଵଣ୍ଟି-୨୦ ମ୍ୟାଚ୍‌କୁ ଜିତିନେଇଛି। ଫଳରେ ଏହି ୨ ଟିକିଆ ଟେ୍ଵଣ୍ଟି-୨୦ ଶୃଙ୍ଖଳାରେ ୧-୦ରେ ଅଗୁଆ ହୋଇଛି। ଏହି ମ୍ୟାଚ୍‌ରେ ବାଂଲାଦେଶ ପ୍ରଥମ ବ୍ୟାଟିଂ କରି ୧୯୩/୫ କରିଥିଲା। ମୁସ୍‌ଫିକର୍‌ ରହିମ୍‌ (୬୬*) ଏବଂ ସୌମ୍ୟ ସରକାର (୫୧) ଅର୍ଧଶତକ ହାସଲ କରିଥିଲା ବେଳେ ଅଧିନାୟକ ମହମ୍ମଦୁଲ୍ଲା ୪୩ ରନ୍‌ କରିଥିଲେ। ଜୀବନ ମେଣ୍ଡିସ୍‌ ୨ ଓ୍ଵିକେଟ୍‌ ନେଇଥିଲେ। ଜବାବରେ ଶ୍ରୀଲଙ୍କା ୧୬.୪ ଓଭରରେ ୪ ଓ୍ଵିକେଟ୍‌ ହରାଇ ମ୍ୟାଚ୍‌ ଜିତିନେଇଥିଲା। କୁଶାଲ ମେଣ୍ଡିସ୍‌ ୫୩, ଦନୁସ୍କା ଗୁଣତିଲକା ୩୦, ଦାସୁନ ସନକା ୪୩* ଏବଂ ଥିସରା ପେରେରା ୩୯* ରନ୍‌ କରିଥିଲେ। ନଜମୁଲ ଇସ୍‌ଲାମ ୨ ଓ୍ଵିକେଟ୍‌ ନେଇଥିଲେ। କୁଶାଲ ମେଣ୍ଡିସ୍‌ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।

ମୀର୍‌ପୁର ପିଚ୍‌ ନିମ୍ନ ମାନର: ଆଇସିସି
ବାଂଲାଦେଶର ମୀର୍‌ପୁର ପିଚ୍‌କୁ ଆଇସିସି ନିମ୍ନ ମାନର ବୋଲି ଆଖ୍ୟା ଦେଇଛି। ସେର୍‌ ବାଂଲା ଜାତୀୟ ଷ୍ଟାଡିୟମ୍‌ର ଏହି ପିଚ୍‌ ହାରାହାରିଠୁ ବି ଖରାପ ବୋଲି ମାନ୍ୟତା ପାଇଛି। ବାଂଲାଦେଶ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟ ବେଳେ ପିଚ୍‌ର ଅବସ୍ଥା ଅତ୍ୟନ୍ତ ଖରାପ ଥିଲା ବୋଲି ଆଇସିସି କହିଛି। ଫଳରେ ମୀର୍‌ପୁର ପିଚ୍‌ ଖାତରେ ଗୋଟିଏ ବିଯୁକ୍ତ ପଏଣ୍ଟ୍‌ ଯୋଡ଼ି ହୋଇଯାଇଛି। ଆସନ୍ତା ୫ ବର୍ଷ ପର୍ଯ୍ୟନ୍ତ ଏହି ପଏଣ୍ଟ୍‌ କାଏମ ରହିବ। ଏହି ସମୟ ମଧ୍ୟରେ ଯଦି ପଏଣ୍ଟ୍‌ ସଂଖ୍ୟା ୫ରେ ପହଞ୍ଚିଯାଏ, ତେବେ ଗୋଟିଏ ବର୍ଷ ପାଇଁ ଏହି ଷ୍ଟାଡିୟମ୍‌ କୌଣସି ଆନ୍ତର୍ଜାତିକ ମ୍ୟାଚ୍‌ ଆୟୋଜନରୁ ବାସନ୍ଦ ହେବ। ଗତବର୍ଷ ସେପ୍ଟେମ୍ବରରେ ବାଂଲାଦେଶ-ଅଷ୍ଟ୍ରେଲିଆ ଟେଷ୍ଟ ବେଳେ ମଧ୍ୟ ମୀର୍‌ପୁର ପିଚ୍‌ ଆଇସିସି ଦ୍ୱାରା ନିମ୍ନ ମାନର ଆଖ୍ୟା ପାଇଥିଲା।

ସମ୍ବନ୍ଧିତ ଖବର