ବିଶ୍ବର ଦୀର୍ଘତମ ଯାତ୍ରୀବାହୀ ଟ୍ରେନ୍‌, ୨୨ଟି ସୁଡ଼ଙ୍ଗ ଓ ୪୮ଟି ପୋଲ ଦେଇ କରିଛି ଯାତ୍ରା

ସ୍ବିଜରଲାଣ୍ଡରେ ରେଳ ଚଳାଚଳର ୧୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଏକ କମ୍ପାନି ଏପରି ଏକ ଟ୍ରେନ୍‌ ନିର୍ମାଣ କରିଛି ଯାହା ବିଶ୍ବର ଦୀର୍ଘତମ ଯାତ୍ରୀବାହୀ ଟ୍ରେନ୍‌ର ମାନ୍ୟତା ରଖୁଛି। ସ୍ବିଜରଲାଣ୍ଡର ପର୍ବତ ରେଳପଥରେ ବିଶ୍ବର ବିରଳ ଜ୍ଞାନକୌଶଳର ଉପଯୋଗ ହୋଇଥିବା ଚର୍ଚ୍ଚା ହେଉଥିବା ବେଳେ ସ୍ବିସ୍‌ ଆଲ୍‌ପ୍‌ସ ପାର୍ବତ୍ୟାଞ୍ଚଳର ସର୍ପିଳ ରେଳପଥରେ ଏହି ୧.୨ ମାଇଲ୍‌ (ପ୍ରାୟ ୧୯୦୦ ମିଟର) ଲମ୍ବର ଟ୍ରେନ୍‌ଟି ଗତ ଅକ୍ଟୋବର ୨୯ ତାରିଖରେ ୩,୦୦୦ ଯାତ୍ରୀଙ୍କୁ ଧରି ଗତି କରୁଥିବାର ଦୃଶ୍ୟ ଅତ୍ୟନ୍ତ ମନୋରମ ଜଣାପଡୁଛି। ଏଥିରେ ୨୫ଟି ବିଦ୍ୟୁତ୍‌ ଟ୍ରେନ୍‌ ଯୋଡ଼ାଯାଇ ୧୦୦ ବଗି ବିଶିଷ୍ଟ ବିଶାଳ ଟ୍ରେନ୍‌ କରାଯାଇଛି। ପ୍ରତି ଇଞ୍ଜିନ୍‌କୁ ଚଳାଉଥିବା ଚାଳକମାନଙ୍କୁ ପ୍ରତି ମୁହୂର୍ତ୍ତରେ ଅତ୍ୟନ୍ତ ସତର୍କତା ଅବଲମ୍ବନ କରିବାକୁ ପଡ଼ିଥିଲା।

ସମଗ୍ର ଟ୍ରେନ୍‌କୁ ନିୟନ୍ତ୍ରଣରେ ରଖିବା ଲାଗି ପ୍ରତି ଚାଳକ ଅନ୍ୟ ଚାଳକଙ୍କ ବେଗ ସହ ତାଳମେଳ ରଖିଥିଲେ। ବିଶେଷ କରି ଏକାଧିକ ପର୍ବତ ଦେଇ ଯାଇଥିବା ଏହି ୨୫ କି.ମି. ଦୀର୍ଘର ରେଳପଥଟି ଅଣଓସାରିଆ (ନ୍ୟାରୋ ଗଜ୍‌ ବିଶିଷ୍ଟ) ହୋଇଥିବାରୁ ପ୍ରତି ଉଠାଣି ଓ ଗଡ଼ାଣିରେ ଗାଡ଼ିର ବେଗ ବଢ଼ାଇବା କି କମାଇବାରେ ଟିକେ ଏପଟସେପଟ ହୋଇଗଲେ ରେଳପଥ ଉପରେ ଭୀଷଣ ଚାପ ପଡ଼ିବା ସହ ଟ୍ରେନ୍‌ଟି ଦୁର୍ଘଟଣାଗ୍ରସ୍ତ ହେବାର ଆଶଙ୍କା ମଧ୍ୟ ରହିଥିଲା। ସେଥିପାଇଁ ୨୨ଟି ସୁଡ଼ଙ୍ଗ ଓ ୪୮ଟି ପୋଲ ଦେଇ ଯାଉଥିବା ଏହି ଟ୍ରେନ୍‌ଟିର ସର୍ବାଧିକ ବେଗକୁ ଘଣ୍ଟାପ୍ରତି ୩୫ କି.ମି. ରଖାଯାଇଥିଲା। ରେଳବାଇ ଜ୍ଞାନକୌଶଳ କ୍ଷେତ୍ରରେ ନିଜର ବିରଳ ଦକ୍ଷତା ପ୍ରମାଣ କରିସାରିଥିବା ସ୍ବିଜରଲାଣ୍ଡ ରେଳବାଇ ଏବେ ଅଙ୍କାବଙ୍କା ପାହାଡ଼ୀ ରାସ୍ତାରେ ଦୀର୍ଘତମ ଟ୍ରେନ୍‌ ଚଳାଇବାର କୀର୍ତ୍ତିମାନ ସ୍ଥାପନ କରିଛି। ଅବଶ୍ୟ ଏହା ପୂର୍ବରୁ ୨୦୦୧ରେ ଅଷ୍ଟ୍ରେଲିଆରେ ସମତଳ ରେଳପଥରେ ଗଡ଼ିଥିବା ୭.୨୪ କି.ମି. ଲମ୍ବର ମାଲଗାଡ଼ି ଏ ଯାବତ୍‌ ବୃହତ୍ତମ ମାଲଗାଡ଼ିର ମାନ୍ୟତା ରଖିଛି।

ସମ୍ବନ୍ଧିତ ଖବର