ପତ୍ନୀହନ୍ତାକୁ ଆଜୀବନ କାରାଦଣ୍ଡ

କେନ୍ଦୁଝର: ପତ୍ନୀ ହତ୍ୟା ଅଭିଯୋଗରେ କେନ୍ଦୁଝର ଅତିରିକ୍ତ ଜିଲ୍ଲା ଦୌରା ଜଜ୍‌ ଜ୍ୟୋତିର୍ମୟୀ ଆଚାର୍ଯ୍ୟ ମଣିପୁର ଗ୍ରାମର ଉମାକାନ୍ତ ପ୍ରଧାନ (୩୨)ଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଆଜୀବନ କାରାଦଣ୍ଡ ଓ ୫ ହଜାର ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି। ଜୋରିମାନା ନ ଦେଲେ ଆଉ ଏକ ବର୍ଷ ଜେଲ୍‌ ଦଣ୍ଡ ଭୋଗିବାକୁ କୋର୍ଟ ରାୟରେ ଉଲ୍ଲେଖ ରହିଛି।
ବିବରଣୀରୁ ପ୍ରକାଶ, ୨୦୧୩ ମସିହା ଏପ୍ରିଲ ୪ ତାରିଖରେ ପଣ୍ଡାପଡା ଥାନା ମଣିପୁର ଗ୍ରାମର ଉମାକାନ୍ତ ପ୍ରଧାନ ସୁଷମା ଡାଙ୍ଗୁଆଙ୍କୁ ବିବାହ କରିଥିଲେ। ବିବାହ ପରେ ଅଧିକ ଯୌତୁକ ଦାବିରେ ସୁଷମାଙ୍କୁ ଶ୍ୱଶୁର ଘର ଲୋକେ ମାନସିକ ଓ ଶାରୀରିକ ନିର୍ଯାତନା ଦେଉଥିଲେ। ୨୦୧୩ ଜୁନ ୨୩ ତାରିଖରେ ସ୍ୱାମୀ ଉମାକାନ୍ତଙ୍କ ସମେତ ଦେଢଶୁର ବିଜୟ ପ୍ରଧାନ (୩୯), ଭାଉଜ ଛବିନା ପ୍ରଧାନ, ଶାଶୂ ଗୁଆଲି ପ୍ରଧାନ ମିଶି ସୁଷମାଙ୍କୁ ମାରି ଦେଇଥିବା ଥାନାରେ ଅଭିଯୋଗ ହୋଇଥିଲା। ଏ ନେଇ ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରିଥିଲା। ଆଜି ଏହି ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ଦୌରା ଜଜ୍‌ ଶ୍ରୀମତୀ ଆଚାର୍ଯ୍ୟ ଆସାମୀ ଉମାକାନ୍ତ ପ୍ରଧାନଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ ପ୍ରଦାନ କରିଥିବା ବେଳେ ଅନ୍ୟ ତିନି ଜଣଙ୍କୁ ସାକ୍ଷ୍ୟପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ କରିଥିଲେ। ସରକାରଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ପ୍ରଫୁଲ୍ଲ ପାତ୍ର ମାମଲା ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର