ତିହାର ଜେଲ୍ ଭଳି ଭୁବନେଶ୍ବର‌ରେ ହେବ ସେଣ୍ଟ୍ରାଲ ଜେଲ୍: ରାଜଧାନୀ ଉପକଣ୍ଠରେ ୪୫ ଏକର ଜମି ଚିହ୍ନଟ

ରହିବେ ୨.୫ ହଜାରରୁ ଅଧିକ କଏଦୀ, ଟ୍ରାନ୍ସ ଜେଣ୍ଡରଙ୍କ ପାଇଁ ସ୍ବତନ୍ତ୍ର ସେଲ୍

ଭୁବନେଶ୍ବର: ଭୁବନେଶ୍ବରରେ ପ୍ରତିଷ୍ଠା ହେବ ସେଣ୍ଟ୍ରାଲ ଜେଲ୍। ଅବିକଳ ଦିଲ୍ଲୀର ତିହାର ଜେଲ ଭଳି ହେବ ଏହାର ମେଡଲ୍। ଏଥିପାଇଁ ରାଜ୍ୟ ସରକାର ରାଜଧାନୀ ଉପକଣ୍ଠରେ ୪୫ ଏକର ଜମି ଚିହ୍ନଟ କରି ସାରିଛନ୍ତି। ଜେଲ୍ କେଉଁ ଢ଼ଙ୍ଗରେ ନିର୍ମାଣ ହେବ ତାର ନକ୍ସା ମଧ୍ୟ ପ୍ରସ୍ତୁତ ସରିଲାଣି। ଆସନ୍ତା ସପ୍ତାହକ ମଧ୍ୟରେ ନିର୍ମାଣ କାମ ଆରମ୍ଭ ହେବ। ବିଶେଷତ୍ବ ହେଉଛି ଝାରପଡ଼ା ସ୍ବତନ୍ତ୍ର ଜେଲର ନାମ ପରିବର୍ତ୍ତନ ହୋଇ ଏଣିକି ଭୁବନେଶ୍ବର ସେଣ୍ଟ୍ରାଲ ଜେଲ୍ ଭାବେ ଏହା ନାମିତ ହେବ। ଏଠାରେ ଏକାବେଳକେ ଅଢେଇ ହଜାରରୁ ତିନି ହଜାର ପର୍ଯ୍ୟନ୍ତ କଏଦୀ ରହିବ ପାରିବେ। ସଂପ୍ରତି ଝାରପଡ଼ା ସ୍ବତନ୍ତ୍ର ଜେଲରେ ଏକାବେଳକେ ୯୯୧ ଜଣ କଏଦୀ ରହିବାର ବ୍ୟବସ୍ଥା ରହିଛି। କେବଳ ସେତିକି ନୁହେଁ, ଟ୍ରାନ୍ସ ଜେଣ୍ଡରମାନଙ୍କ ପାଇଁ ପ୍ରସ୍ତାବିତ ଜେଲ୍‌ରେ ସ୍ବତନ୍ତ୍ର ସେଲ୍ ରହିବ। ଜେଲ ଭିତରେ ଏକ ଉନ୍ନତମାନର ହସ୍ପିଟାଲ କରାଯିବ, ଯେଉଁଥିରେ ଦିନ ରାତି ୨୪ ଘଣ୍ଟା‌ ସ୍ବାସ୍ଥ୍ୟସେବା ମିଳି ପାରିବ। ଜେଲକୁ ଲାଗି କରି ଏକ ସ୍ବତନ୍ତ୍ର ଫାଣ୍ଡି ମଧ୍ୟ ରହିବ। ଏହି ଜେଲରେ ଜଣେ ସୁପରିନ୍‌ଣ୍ଟେଣ୍ଡେଣ୍ଟ୍ ଓ ଦୁଇ ଜଣ ଜେଲର ନିଯୁକ୍ତି ପାଇବେ।

ରାଜଧାନୀ ଉପକଣ୍ଠରେ ୪୫ ଏକର ଜମି ଚିହ୍ନଟ
ରହିବେ ୨.୫ ହଜାରରୁ ଅଧିକ କଏଦୀ
ଟ୍ରାନ୍ସ ଜେଣ୍ଡରଙ୍କ ପାଇଁ ସ୍ବତନ୍ତ୍ର ସେଲ୍
କଏଦୀଙ୍କ ପାଇଁ ବିଭିନ୍ନ ତାଲିମ ଶାଳା

ଜେଲ ବିଭାଗରୁ ମିଳିଥିବା ସୂଚନା ମୁତାବକ, ରାଜଧାନୀ ଉପକଣ୍ଠ ଜେଲ୍‌ ଟ୍ରେନିଂ ଏକାଡେମି ଓ ମୁକ୍ତାକାଶ ଜେଲ ମଝି ସ୍ଥାନରେ ସେଣ୍ଟ୍ରାଲ୍ ଜେଲ୍‌ ନିର୍ମାଣ ହେବ। ସମୁଦାୟ ୯୧ ଏକର ଜମି ଚିହ୍ନଟ ହୋଇଛି। ୪୫ ଏକର ଜମିରେ ଜେଲ ନିର୍ମାଣ ହେବାକୁ ଥିବାବେଳେ ଅନ୍ୟ ସ୍ଥାନରେ ଜେଲ୍ କର୍ମଚାରୀଙ୍କ ପାଇଁ କ୍ବାଟର୍ସ ନିର୍ମାଣ ହେବ। ଏହି ଜେଲ ରାଜ୍ୟର ସବୁଠାରୁ ବଡ଼ ଜେଲ ହେବ। ସେହିଭଳି କଏଦୀମାନଙ୍କୁ ତାଲିମ ଦେବା ପାଇଁ କମଳ, ଦରି, ଗାମୁଛା ଆଦି ତିଆରି ପାଇଁ ୟୁନିଟ ଖୋଲିବ। ତିହାର ଜେଲରେ ଯେଉଁ ଭଳି ଭାବେ କଏଦୀମାନଙ୍କ ପାଇଁ ସମସ୍ତ ସୁବିଧା ସୁଯୋଗ ରହିଛି, ସେହି ସମସ୍ତ ସୁବିଧା ଭୁବନେଶ୍ବର ସେଣ୍ଟ୍ରାଲ ଜେଲରେ ମଧ୍ୟ ରହିବ ବୋଲି ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଝାରପଡ଼ା ସ୍ବତନ୍ତ୍ର ଜେଲ୍‌କୁ ସ୍ଥାନାନ୍ତର କରିବାକୁ ଦୀର୍ଘ ବର୍ଷ ଧରି ସରକାରୀସ୍ତରରେ କସରତ ଚାଲିଥିଲା। କିନ୍ତୁ ରାଜ୍ୟ ସରକାର ଏବେ ଏଥିରେ ପୂର୍ଣ୍ଣଛେଦ ଟାଣିଛନ୍ତି।

ଏଠାରେ ପ୍ରକାଶଥାଉକି, ୧୯୬୨ ମସିହାରେ ଝାରପଡ଼ାକୁ ରାଜଧାନୀ ଉପକଣ୍ଠ ବୋଲି ବିବେଚନା କରାଯାଇ ୧୬ଏକର ଜମିରେ ସ୍ୱତନ୍ତ୍ର ଜେଲ୍ ପ୍ରତିଷ୍ଠା କରାଯାଇଥିଲା। ସେତେବେଳେ ଖୁବ କମ୍ ସଂଖ୍ୟକ ଲୋକେ ଜେଲ୍ ଚାରିପଟେ ବସବାସ କରୁଥିଲେ। କିନ୍ତୁ ରାଜଧାନୀ ବଢ଼ିବା ସହିତ ଝାରପଡ଼ା ଜେଲ୍ ଆଖାପାଖରେ ଜନବସତି ହୁହୁ ହୋଇ ବଢ଼ି ଯାଇଥିଲା। ଝାରପଡ଼ା ଜେଲ୍‌ରେ ଅନେକ ହାଇପ୍ରୋଫାଇଲ ଅପରାଧୀ, ମାଓବାଦୀ ପ୍ରମୁଖ ଅଛନ୍ତି। ସେମାନଙ୍କ ସାକ୍ଷାତ କରିବାକୁ ଆସିବା ବେଳେ ଜେଲ୍‌ ଆଗରେ ଏକ ଆସାମାଜିକ ପରିବେଶ ସୃଷ୍ଟି ହେଉଛି। ୨୦୦୯ ନଭେମ୍ବର ମାସରେ ଝାରପଡ଼ା ଆଞ୍ଚଳିକ ସୁରକ୍ଷା ମଞ୍ଚ ଜେଲ୍ ସ୍ଥାନାନ୍ତର ପାଇ ଦାବି କରିଥିଲା। ୨୦୧୨ ଅଗଷ୍ଟ ମାସରେ ବିଧାନସଭାର ଏକ ୫ଜଣିଆ କମିଟି ଝାରପଡ଼ା ଜେଲ୍ ପରିଦର୍ଶନରେ ଯାଇଥିଲେ। ୨୦୧୪ ମସିହାରେ ତତ୍କାଳୀନ ବିଧାୟକ ବିଜୟ ମହାନ୍ତି ବିଧାନସଭାରେ ଏ ନେଇ ପ୍ରଶ୍ନ ଉଠାଇଥିଲେ। ପୁଣି ଥରେ ୨୦୧୫ ମସିହାରେ ବିଧାନସଭାର ଏକ ଟିମ୍ ଝାରପଡ଼ା ଜେଲ୍ ପରିଦର୍ଶନରେ ଆସିଥିଲେ। ଏହାର କିଛି ଦିନ ପରେ ଜେଲ୍ ବିଭାଗ ପକ୍ଷରୁ କୁହାଗଲା, ଚନ୍ଦକା ଏସ୍ଓଜି କାର୍ଯ୍ୟାଳୟ ନିକଟରେ ୩୦ ଏକର ଜମିଟି ଚିହ୍ନଟ ହୋଇଛି, ଜେଲ୍ ସେଠାକୁ ଉଠିଯିବ। ଏ ବାବଦରେ ୧୦ କୋଟି ଟଙ୍କା ମଞ୍ଜୁର ହୋଇଛି। କିନ୍ତୁ ଏହା କେବଳ କାଗଜପତ୍ରରେ ହିଁ ରହି ଯାଇଥିଲା।

ସମ୍ବନ୍ଧିତ ଖବର