ରାଜ୍ୟ ସରକାର ଏଥନୋଗ୍ରାଫି ରିପୋର୍ଟ ଦିଅନ୍ତୁ: ଅର୍ଜୁନ ମୁଣ୍ଡା

ଅନୁସୂଚିତ ଜନଜାତିରେ ଅନ୍ତର୍ଭୁକ୍ତ କରିବା ନେଇ ରାଜନୈତିକ ବୟାନବାଜି ନହେଉ

ଭୁବନେଶ୍ବର : ଓଡ଼ିଶାରେ ଏବେବି ବହୁ ଜନଜାତି ଅଛନ୍ତି ଯେଉଁମାନେ ଆଦିବାସୀ ଭାବେ ଗଣା ହେଉନାହାନ୍ତି। ହେଲେ ରାଜ୍ୟ ସରକାର କେବଳ ଚିଠି ଲେଖି ଦେଇ, ରାଜନୈତିକ ବୟାନବାଜି କରି ବିଭିନ୍ନ ବର୍ଗର ଲୋକଙ୍କୁ ଅନୁସୂଚିତ ଜନଜାତି ବର୍ଗରେ ସାମିଲ୍ କରିଦେବାକୁ କହୁଛନ୍ତି। ରାଜ୍ୟ ସରକାର ଏହି ଅଭ୍ୟାସ ଛାଡ଼ି ଯେଉଁ ବର୍ଗକୁ ଅନୁସୂଚିତ ଜନଜାତିରେ ସାମିଲ୍ କରିବାକୁ ଚାହୁଁଛନ୍ତି ସେମାନଙ୍କର ଏଥ୍‌ନୋଗ୍ରାଫି ରିପୋର୍ଟ ପ୍ରଦାନ କରନ୍ତୁ ବୋଲି କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡା କହିଛନ୍ତି।

ଓଡ଼ିଶା ଗସ୍ତରେ ଆସିଥିବା ଶ୍ରୀ ମୁଣ୍ଡା କହିଛନ୍ତି ଯେ, ଓଡ଼ିଶାର କେତେକ ବର୍ଗଙ୍କୁ ଅନୁସୂଚିତ ଜନଜାତିରେ ଅନ୍ତର୍ଭୁକ୍ତ କରିବା ଏକ ରାଜନୈତିକ ନିଷ୍ପତ୍ତି ନୁହେଁ, ଏହା ସମ୍ପୂର୍ଣ୍ଣଭାବେ ସାମ୍ବିଧାନିକ ବିଷୟ। ଏଥିପାଇଁ ସମ୍ବିଧାନ ଅନୁସାରେ କିଛି ପ୍ରଣାଳୀ ନିର୍ଦ୍ଧାରଣ କରାଯାଇଛି। ନିର୍ଦ୍ଧାରିତ ପ୍ରଣାଳୀକୁ ପୂରଣ କରିବା ସହ ସାମ୍ବିଧାନିକ ତର୍ଜମା ପରେ ଅନୁସୂଚିତ ଜାତି ବା ଜନଜାତିରେ ଅନ୍ତର୍ଭୁକ୍ତ କରାଯାଇଥାଏ। ସାମ୍ବିଧାନିକ ପ୍ରଣାଳୀକୁ ଅନୁସରଣ ନକରି ରାଜ୍ୟ ସରକାର କେବଳ ଚିଠି ଲେଖିଦେଇ ରାଜନୈତିକ ଅଭିଯୋଗ ଉଠାଉଛନ୍ତି ବୋଲି ଶ୍ରୀ ମୁଣ୍ଡା କହିଛନ୍ତି।

ସେ କହିଛନ୍ତି ଯେ, ରାଜ୍ୟ ସରକାର ଯେଉଁ ୧୨୦ଟି ଗୋଷ୍ଠୀର କଥା କହୁଛନ୍ତି ସେଥିରୁ ନିକଟରେ ବିନା ତଥ୍ୟ ପ୍ରମାଣ ସହ ୧୦ଟି ଗୋଷ୍ଠୀ ପାଇଁ ଚିଠି ଲେଖିଛନ୍ତି। ବାକି ୧୧୦ଟି ମଧ୍ୟରୁ ୭୧ଟିର ଆଦୌ କୌଣସି ପ୍ରାମାଣିକ ତଥ୍ୟ ନାହିଁ। ସେହି ୭୧ଟି ମଧ୍ୟରୁ ୩୮ଟିର ଏଥ୍‌ନୋଗ୍ରାଫି ରିପୋର୍ଟ ନଥିବା କାରଣରୁ ବାରମ୍ବାର ପ୍ରତ୍ୟାଖ୍ୟାନ ହେଉଛି। ହେଲେ ରାଜ୍ୟ ସରକାର ତାହାର ଏଥ୍‌ନୋଗ୍ରାଫି ରିପୋର୍ଟ ପ୍ରସ୍ତୁତ କରୁନାହାନ୍ତି। ସେହିପରି ବାକି ୩୩ଟିରୁ ୨ଟିର କିଛି ତଥ୍ୟ ନାହିଁ, ୫ଟିର ଅତିରିକ୍ତ ତଥ୍ୟ ମଗାଯାଇଛି ଓ ୨୬ଟିର ତର୍ଜମା ନିମନ୍ତେ ଆରଜିଆଇକୁ ପଠାଯାଇଛି। ଅନ୍ୟପକ୍ଷରେ ୧୩ଟି ଜନଜାତି ନେଇ ନିଷ୍ପତ୍ତି ନିଆଯାଇଥିବାବେଳେ ଆଉ ୩୬ଟି ପାଇଁ ନିଷ୍ପତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏପରିକି ପାଉଡି ଏବଂ ପାଉରି ଭୂୟାଁ ପିବିିଟିଜିରେ ଆସୁଥିବାବେଳେ ସେମାନେ ଆଜି ପର୍ଯ୍ୟନ୍ତ ଅନୁସୂଚିତ ଜନଜାତି ବର୍ଗରୁ ବଞ୍ଚିତ ଥିଲେ। ଏବେ ତାଙ୍କୁ ପିବିଟିଜିରେ ଅନ୍ତର୍ଭୁକ୍ତ କରାଯାଇଛି ବୋଲି ଶ୍ରୀ ମୁଣ୍ଡା କହିଛନ୍ତି।

ଏହି ଅବସରରେ ମନ୍ତ୍ରୀ ଶ୍ରୀ ମୁଣ୍ଡା କହିଛନ୍ତି ଯେ, ସାମଗ୍ରିକ ବିକାଶ, ସବୁଜ ବିକାଶ, ଯୁବ ଶକ୍ତି, ଦେଶର ଶେଷ ବ୍ୟକ୍ତି ପାଖକୁ ବଜେଟକୁ ପହଞ୍ଚାଇବା, ସଶକ୍ତ ଆର୍ଥିକ କ୍ଷେତ୍ର, ଭିତ୍ତିଭୂିମି ଓ ପୁଞ୍ଜିନିବେଶ ଏବଂ କ୍ଷମତାର ବିକାଶକୁ ଆଧାର କରି ମୋଦୀ ସରକାର କେନ୍ଦ୍ରରେ ଏକ ଜନକଲ୍ୟାଣକାରୀ କେନ୍ଦ୍ରୀୟ ବଜେଟ୍‌ ଉପସ୍ଥାପନ କରିଛନ୍ତି। ସମଗ୍ର ଦେଶବାସୀଙ୍କୁୁ ସାମାଜିକ ନ୍ୟାୟ, ସମ୍ମାନ ଓ ସମାନ ସୁଯୋଗ ପ୍ରଦାନ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱାଧିନ କେନ୍ଦ୍ର ସରକାରଙ୍କର ଏହି ବଜେଟ୍। ଏହି ବଜେଟ୍‌କୁ କୃଷକ, ମହିଳା, ଯୁବ, ଉଦ୍ୟୋଗୀ, ଆଦିବାସୀ ଜାତି ଓ ଜନଜାତି, ପଛୁଆ ବର୍ଗ, ଆର୍ଥିକ ଅନଗ୍ରସର ଦୁର୍ବଳ ଶ୍ରେଣୀ, ମଧ୍ୟମ ବର୍ଗ ସମସ୍ତେ ପ୍ରଶଂସା କରିଛନ୍ତି। ଏହା କେବଳ ୨୦୨୩-୨୪ ଆର୍ଥିକ ବର୍ଷର ବଜେଟ୍ ନୁହେଁ ବରଂ ଆଗାମୀ ୨୫ ରୁ ୫୦ ବର୍ଷ ପାଇଁ ବିକଶିତ ଅର୍ଥ ବ୍ୟବସ୍ଥା ପାଇଁ ବଜେଟ୍ ବୋଲି ଶ୍ରୀ ମୁଣ୍ଡା କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସଭାପତି ସମୀର ମହାନ୍ତି, ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର, ଗଣମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଲିକ, ବରିଷ୍ଠ ନେତା ସୁଦର୍ଶନ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର