୩୩୦୦ କୋଟିର ହୱାଲା ରୢାକେଟ୍‌ ଧରାପଡ଼ିଲା, ଚେନ୍ନାଇର ଶିକ୍ଷାନୁଷ୍ଠାନରେ ଆୟକର ଚଢ଼ଉ

ନୂଆଦିଲ୍ଲୀ: ଭିତ୍ତିଭୂମି କ୍ଷେତ୍ରରେ ଚାଲିଥିବା ୩୩୦୦ କୋଟି ଟଙ୍କାର ହୱାଲା କାରବାରକୁ ଧରିଛି ଆୟକର ବିଭାଗ। ଏହି କାରବାର ଦିଲ୍ଲୀ, ମୁମ୍ବାଇ ଓ ହାଇଦ୍ରାବାଦ ଭଳି ବିଭିନ୍ନ ସହରରେ ଚାଲିଥିଲା। ଏହି ରୢାକେଟ୍‌କୁ ଧରିବା ଲାଗି ଆୟକର ବିଭାଗ ତରଫରୁ ଚଳିତ ମାସର ପ୍ରଥମ ସପ୍ତାହରେ ଦିଲ୍ଲୀ, ମୁମ୍ବାଇ, ହାଇଦ୍ରାବାଦ, ଏରୋଡ୍‌, ପୁନେ, ଆଗ୍ରା ଓ ଗୋଆ ଭଳି ସହରର ୪୨ଟି ସ୍ଥାନରେ ଚଢ଼ଉ କରାଯାଇଥିଲା। ବଡ଼ କର୍ପୋରେଟ୍ ସଂସ୍ଥା ଓ ହୱାଲା ବେପାରିଙ୍କ ମଧ୍ୟରେ ରହିଥିବା ସମ୍ପର୍କର ପ୍ରମାଣ ଚଢ଼ଉ ବେଳେ ମିଳିଥିଲା। ଜାଲ୍‌ କଣ୍ଟ୍ରା‌କ୍ଟ ଜରିଆରେ ପ୍ରାୟ ୩୩୦୦ କୋଟି ଟଙ୍କାର ପାଣ୍ଠି ହଡ଼ପ କରାଯାଇଥିବା ଜଣାପଡ଼ିଛି। ବେଆଇନ କଣ୍ଟ୍ରାକ୍ଟ ଓ ବିଲ୍ ଜରିଆରେ ଭିତ୍ତିଭୂମି କ୍ଷେତ୍ରରେ କାର୍ଯ୍ୟ କରୁଥିବା ବଡ଼ ବଡ଼ କର୍ପୋରେଟ୍ ସଂସ୍ଥା ଯେଉଁ ରୢାକେଟ୍‌ ଚଲାଇଥିଲେ ତାହା ଧରାପଡ଼ିଛି ବୋଲି ଆୟକର ବିଭାଗର ସର୍ବୋଚ୍ଚ ନିଷ୍ପତ୍ତି ଗ୍ରହଣକାରୀ ସଂସ୍ଥା କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ (ସିବିଡିଟି) ପକ୍ଷରୁ କୁହାଯାଇଛି। ଏଣ୍ଟ୍ରି ଅପରେଟର, ଲବିଷ୍ଟ୍‌ ଓ ହୱାଲା ବେପାରିଙ୍କ ଜରିଆରେ ଭିତ୍ତିଭୂମି ପ୍ରକଳ୍ପ ପାଣ୍ଠି ହଡ଼ପ କରାଯାଉଥିବା ବୋଲି ସିବିଡିଟି କହିଛି। ତେବେ କେଉଁ ସବୁ ସଂସ୍ଥା ଏହି ବେଆଇନ କାରବାର କରୁଥିଲେ ସେମାନଙ୍କ ନାମ ପ୍ରକାଶ କରାଯାଇନାହିଁ। ଦକ୍ଷିଣ ଭାରତର ଭିତ୍ତିଭୂମି ପ୍ରକଳ୍ପ ଏବଂ ଆର୍ଥିକ ଦୁର୍ବଳ ଶ୍ରେଣୀର ଲୋକଙ୍କ ପ୍ରକଳ୍ପରେ ଏହି ବେଆଇନ କାରବାର କରାଯାଇଥିଲା। ଆନ୍ଧ୍ର ପ୍ରଦେଶର ଜଣେ ବିଶିଷ୍ଟ ବ୍ୟକ୍ତିଙ୍କୁ ୧୫୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ନଗଦ ରାଶି ପ୍ରଦାନ କରାଯାଇଥିବା ଚଢ଼ଉ ବେଳେ ଜଣାପଡ଼ିଥିଲା। ଚଢ଼ଉରୁ ୪.୧୯ କୋଟି ଟଙ୍କା ମୂଲ୍ୟର ନଗଦ ରାଶି ଏବଂ ୩.୨ କୋଟି ଟଙ୍କା ମୂଲ୍ୟର ଗହଣା ଜବତ କରାଯାଇଛି।

ଚେନ୍ନାଇର ଶିକ୍ଷାନୁଷ୍ଠାନରେ ଆୟକର ଚଢ଼ଉ
ନୂଆଦିଲ୍ଲୀ: ଆୟକର ବିଭାଗ ତରଫରୁ ଚେନ୍ନାଇର ଏକ ଶିକ୍ଷାନୁଷ୍ଠାନ ଉପରେ ଚଢ଼ଉ କରି ୩୫୦ କୋଟି ଟଙ୍କାର ଅଘୋଷିତ ଆୟ ଚିହ୍ନଟ କରାଯାଇଛି। ଟିକସ ଫାଙ୍କିବା ଉଦ୍ଦେଶ୍ୟରେ ଅନୁଷ୍ଠାନ ପକ୍ଷରୁ ଏହି ଆୟକୁ ସାର୍ବଜନୀନ କରାଯାଇନଥିଲା। ଚଢ଼ଉ ବେଳେ ଆୟକର ବିଭାଗ ତରଫରୁ ୮ କୋଟି ଟଙ୍କାର ନଗଦ ଟଙ୍କା ଏବଂ ଗହଣା ଜବତ କରାଯାଇଛି। ସେଥି ମଧ୍ୟରେ ରହିଛି ୫ କୋଟି ଟଙ୍କା ମୂଲ୍ୟର ନଗଦ ଟଙ୍କା ଓ ୩ କୋଟି ଟଙ୍କାର ଗହଣା। ଏହି ଶିକ୍ଷାନୁଷ୍ଠାନର ଚେନ୍ନାଇ ଓ ଏହାର ଆଖପାଖ ଅଞ୍ଚଳରେ ଇଞ୍ଜିନିୟରିଂ, ପଲିଟେକ୍‌ନିକ୍, ଡେଣ୍ଟାଲ୍‌, ନର୍ସିଂ କଲେଜ, ହସ୍ପିଟାଲ୍ ଏବଂ ସ୍କୁଲ୍ ଆଦି ରହିଛି। ଏହି ସଂସ୍ଥାର ମାଛଧରା, ସିମେଣ୍ଟ୍‌, ଦୁଗ୍ଧ, ପାଣି ବୋତଲ ଏବଂ ଲୁହା ଓ ଇସ୍ପାତ କାରବାର ମଧ୍ୟ ରହିଛି।

ସମ୍ବନ୍ଧିତ ଖବର