ଡ୍ରମ୍‌ ଭିତରୁ ମହିଳାଙ୍କ କଟା ଶବ ଉଦ୍ଧାର

ବେଙ୍ଗାଲୁରୁ: ରବିବାର ଦିନ ବେଙ୍ଗାଲୁରୁର ଆର୍‌କେ ପୁରମ୍‌ ଅଞ୍ଚଳରୁ ଜଣେ ୭୦ ବ‌ର୍ଷୀୟା ମହିଳାଙ୍କ କଟା ଶବ ଉଦ୍ଧାର କରାଯାଇଥିବା କଥା ପୁଲିସ କହିଛି।

ସୁଶୀଳାମ୍ମା ନାମ୍ନୀ ସେ ବୟସ୍କା ମହିଳା ଆର୍‌କେ ପୁରମ ନିକଟ ନିସର୍ଗ ଲେଆଉଟ୍‌ରେ ଗୋଟାଏ ଫ୍ଲାଟ୍‌ ଭଡ଼ା ନେଇ ତାଙ୍କ ଝିଅ ସହିତ ରହୁଥିଲେ। ତାଙ୍କୁ ହତ୍ୟା କରି ଶବକୁ ଖଣ୍ଡବିଖଣ୍ଡ କରି ଡ୍ରମ୍‌ ଭର୍ତ୍ତି କରାଯିବା ପରେ ସେ ଡ୍ରମ୍‌କୁ ଏକ ପରିତ୍ୟକ୍ତ ଘର ପାଖରେ ଥିବା ଖାଲି ପ୍ଲଟ୍‌ରେ ଫିଙ୍ଗିଦିଆଯାଇଛି।

ପୂର୍ବାଞ୍ଚଳ ଅତିରିକ୍ତ ପୁଲିସ କମିସନର୍‌ ରମଣ ଗୁପ୍ତା କହିଛନ୍ତି, ମହିଳାଜଣଙ୍କ ତାଙ୍କ ଝିଅ ଓ ୨/୨ଜଣ ଆତ୍ମୀୟଙ୍କ ସହିତ ରହୁଥିଲେ। ତାଙ୍କ ଆତ୍ମୀୟମାନେ ଆଖପାଖରେ ରହନ୍ତି।

ସେ ସ୍ଥାନରୁ ଦୁର୍ଗନ୍ଧ ଆସୁଥିବା କଥା ସ୍ଥାନୀୟ ଲୋକେ ଅଭିଯୋଗ କରିବା ପରେ ପୁଲିସ ଘଟଣାସ୍ଥଳକୁ ଯାଇ ସୁଶୀଳାମ୍ମାଙ୍କ ଶବ ଉଦ୍ଧାର କରିଥିଲା। ଅଭିଯୁକ୍ତମାନେ କାଟି ପକାଇଥିବା ମହିଳାଙ୍କ ଗୋଡ଼ ଓ ହାତ ଏପର୍ଯ୍ୟନ୍ତ ମିଳିନାହିଁ।

ସାମ୍ବାଦିକମାନଙ୍କୁ ଅତିରିକ୍ତ ପୁଲିସ କମିସନର୍‌ କହିଛନ୍ତି, ବରିଷ୍ଠ ପୁଲିସ ଅଧିକାରୀମାନେ ଘଟଣାସ୍ଥଳରେ ଅନୁସନ୍ଧାନ କରୁଛନ୍ତି। ସମ୍ଭବତଃ ଶନିବାର ଦିନ ସୁଶୀଳାମ୍ମାଙ୍କୁ ହତ୍ୟା କରାଯାଇଛି। ଆମ ଅଧିକାରୀମାନେ ସବୁ ପ୍ରକାରର ତଦନ୍ତ କରିବେ। ତଦନ୍ତ ତ୍ବରାନ୍ବିତ କରି ହତ୍ୟାକାରୀମାନଙ୍କୁ ଯଥାଶୀଘ୍ର ଧରିବା ଆମର ଉଦ୍ଦେଶ୍ୟ।

ସଦ୍ୟତମ ସୂଚନା ଅନୁସାରେ, ୩ଜଣ ବ୍ୟକ୍ତିଙ୍କୁ ଧରି ନେଇ ପୁଲିସ ହତ୍ୟାକାଣ୍ଡ ବିଷୟରେ ପଚରା ଉଚରା କରୁଛି।

ସମ୍ବନ୍ଧିତ ଖବର