୧୦୦ରୁ ଊର୍ଦ୍ଧ୍ବ ବ୍ୟକ୍ତିଙ୍କୁ ହତ୍ୟା କରିଥିବା ଡାକ୍ତର, ମର ଶରୀର ହେଉଥିଲା କୁମ୍ଭୀରଙ୍କ ଆହାର

ହତ୍ୟାକାଣ୍ଡର ପତ୍ତା ମିଳୁନଥିଲା

ନୂଆଦିଲ୍ଲୀ: ଦିଲ୍ଲୀର ଆୟୁର୍ବେଦ ଡାକ୍ତର ଦେବେନ୍ଦ୍ର ଶର୍ମା। ସାରା ଜୀବନ ସେ ଜଣେ ଭଦ୍ର ଡାକ୍ତର ପରିଚୟ ନେଇ ବଞ୍ଚିଥାନ୍ତେ। କିନ୍ତୁ ଅର୍ଥ ଲୋଭ ତାଙ୍କୁ ଅନ୍ଧ କରିଦେଲା। ଶେଷରେ ଯେଉଁ ହାତରେ ଜୀବନ ବଞ୍ଚାଉଥିଲେ ‌ସେହି ହାତରେ ଜୀବନ ନେବାକୁ ପଛାଇଲେନି। ପ୍ରାୟ ୧୦୦ରୁ ଅଧିକ ଜୀବନ ନେଇଥିବା ଏହି ଡାକ୍ତର ଏବେ ଜେଲ୍‌ରେ ଅଛନ୍ତି। କିଡନି ପ୍ରତିରୋପଣ ରୢା‌କେଟ୍‌ଠାରୁ ଆରମ୍ଭ କରି ନକଲି ଗ୍ୟାସ୍‌ ଏଜେନ୍ସି ଏବଂ ଚୋରା ଗାଡ଼ି ବିକିବା କାର୍ଯ୍ୟରେ ସେ ଲିପ୍ତ ଥିଲେ। ନିଜ ନକଲି ଗ୍ୟାସ୍‌ ଏଜେନ୍ସି ପାଇଁ ଗ୍ୟାସ୍‌ ସିଲିଣ୍ଡର ପାଇବାକୁ ସେ ଗ୍ୟାସ୍‌ ଡେଲିଭରି ଟ୍ରକ୍‌ ଡ୍ରାଇଭରମାନଙ୍କୁ ଟାର୍ଗେଟ୍‌ କରି ହତ୍ୟା କରୁଥିଲେ। ପରେ ସେ ଗାଡ଼ିରୁ ସିଲିଣ୍ଡର ଚୋରାଇ ନେଉଥିଲେ। ସେ ମଧ୍ୟ ଅନେକ କ୍ୟାବ୍‌ ଚାଳକଙ୍କୁ ହତ୍ୟା କରିଛନ୍ତି। ଏହିଭଳି ୧୦୦ରୁ ଅଧିକ ଲୋକଙ୍କୁ ସେ ହତ୍ୟା କରିଛନ୍ତି। ଏହି ଡାକ୍ତର ଜଣଙ୍କ ଗତ ବୁଧବାର ଦିନ ଗିରଫ ହୋଇଥିବା ବେଳେ ଜେରାରୁ ଅନେକ ଚାଂଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ଜାନୁଆରିରୁ ୨୦ ଦିନ ପାଇଁ ପାରୋଲ୍‌ରେ ବାହାରକୁ ବାହାରିଥିବା ଏହି ଡାକ୍ତର ଆଉ ଜେଲ୍‌କୁ ଫେରିନଥିଲେ । ଶେଷରେ ବହୁ ଖୋଜାଖୋଜି କରିବାପରେ ପୁଲିସ ତାଙ୍କୁ ଗିରଫ କରିଛି। ତେବେ ଏହି ଡାକ୍ତରଙ୍କୁ ଜେରା କରିବାପରେ ଅନେକ ରହସ୍ୟର ପର୍ଦ୍ଦାଫାସ ହୋଇଛି। ତଦନ୍ତରୁ ଜଣାପଡ଼ିଛି ଯେ, ସେ ଲୋକମାନଙ୍କୁ ମାରିବାପରେ ସେମାନଙ୍କ ମୃତଦେହ ଉତ୍ତରପ୍ରଦେଶର କାସଗଂଜ ସ୍ଥିତ ହଜ୍‌ରା କେନାଲ୍‌ରେ ପକାଇ ଦେଉଥିଲେ। ଏହି କେନାଲ୍‌ରେ ଅନେକ କୁମ୍ଭୀର ଥିବାରୁ ସେମାନେ ମର ଶରୀରକୁ ଆହାର ଭାବେ ଗ୍ରହଣ କରୁଥିଲେ। ତେଣୁ ଶର୍ମାଙ୍କ ପାପ କର୍ମର କିଛି ପ୍ରମାଣ ମିଳୁନଥିଲା।

୧୯୮୪ରେ ଶର୍ମା ତାଙ୍କ ଡିଗ୍ରି ଶେଷ କରିବା ପରେ ରାଜସ୍ଥାନର ଦୌସା ସ୍ଥିତ ବନ୍ଦିକୁଇରେ ଏକ କ୍ଲିନିକ୍‌ ଖୋଲିଥିଲେ। ୧୯୯୫ରେ ସେ ଆଲିଗଡ଼ ସ୍ଥିତ ତାଙ୍କ ଗ୍ରାମକୁ ଫେରି ଆସିଲେ। ପ୍ରଥମେ ସେ ଏକ ନକଲି ଗ୍ୟାସ୍‌ ଏଜେନ୍ସି ଖୋଲିଲେ। ଏଥିପାଇଁ ଲକ୍ଷ୍ନୌରୁ ସେ ପ୍ରତିଦିନ କୁକିଂ ଗ୍ୟାସ୍‌ ସିଲିଣ୍ଡର ନେଉଥିଲେ। ଆଲିଗଡ଼ରୁ ଲକ୍ଷ୍ନୌ ନିୟମିତ ଯାତାୟତ କରିବା ସମ୍ଭବ ନଥିଲା। ତେବେ ଦଲାଲ୍‌ପୁର ଗ୍ରାମର କିଛି ବ୍ୟକ୍ତିଙ୍କ ସଂପର୍କରେ ଆସିବାପରେ ଶର୍ମାଙ୍କ ଉଦ୍ଦେଶ୍ୟ ବଦଳିଗଲା। ସେମାନଙ୍କ ଗହଣରେ ରହି ଶର୍ମା ପ୍ରଥମେ ଏଲ୍‌ପିଜି ସିଲିଣ୍ଡର ବହନ କରୁଥିବା ଟ୍ରକ୍‌ ଚିହ୍ନଟ କରି ଏହି ଟ୍ରକ୍‌ ଡ୍ରାଇଭର୍‌କୁ ହତ୍ୟା କରୁଥିଲେ ଏବଂ ପରେ ଗାଡ଼ିରେ ଥିବା ସିଲିଣ୍ଡରଗୁଡ଼ିକୁ ନିଜର ନକଲି ଏଜେନ୍ସିକୁ ନେଇ ଯା‌ଉଥିଲେ । ଡ୍ରାଇଭରଙ୍କ ମର ଶରୀରକୁ ନଦୀରେ ଫୋପାଡ଼ି ପରେ ଟ୍ରକ୍‌କୁ ବିକ୍ରି କରିଦିଆଯାଉଥିଲା । ସେ ଟ୍ୟାକ୍ସି ଡ୍ରାଇଭରଙ୍କୁ ମଧ୍ୟ ଟାର୍ଗେଟ୍‌ କରୁଥିଲେ। ଟ୍ୟାକ୍ସି ଡ୍ରାଇଭରଙ୍କୁ ମାରି ସେ କୁମ୍ଭୀର ଥିବା କେନାଲ୍‌ରେ ଫୋପାଡ଼ି ଦେଉଥିଲେ ଏବଂ ସେହି ଗାଡ଼ି ବିକ୍ରି କରୁଥିଲେ। ସେ ବେଆଇନ କିଡନି ପ୍ରତିରୋପଣ ରୢାକେଟ୍‌ରେ ସାମିଲ ହେଲେ ଏବଂ ୨୦୦୪ରେ ଗିରଫ ହୋଇଥିଲେ। ଚଳିତ ଜାନୁଆରି ୨୮ରେ ପାରୋଲ୍‌ରେ ଜେଲ୍‌ରୁ ବାହାରି ଅଣ୍ଡରଗ୍ରାଉଣ୍ଡ୍‌ ହୋଇ ଯାଇଥିଲେ। ଦିଲ୍ଲୀ ପୁଲିସ ତାଙ୍କୁ ୪ ଦିନ ତଳେ ତାଙ୍କୁ ଗିରଫ କରିଥିଲା‌।

ସମ୍ବନ୍ଧିତ ଖବର