କାନକୁହା କଥାରେ ବିଶ୍ବାସ କରି ଉପ-ରାଜ୍ୟପାଳଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣିଛି ଆପ୍ : ହାଇକୋର୍ଟ

ନୂଆଦିଲ୍ଲୀ : ଦିଲ୍ଲୀ  ଉପ-ରାଜ୍ୟପାଳ ବିନୟ କୁମାର ସାକ୍ସେନାଙ୍କୁ ଦିଲ୍ଲୀ ହାଇକୋର୍ଟରୁ ଆଶ୍ବସ୍ତି ମିଳିଛି । ହାଇକୋର୍ଟ ଉପରାଜ୍ୟପାଳଙ୍କ ସପକ୍ଷରେ ଓ ଆପ ନେତାମାନଙ୍କ ବିରୋଧରେ ଏକ ଅନ୍ତରୀଣ ଇନଜଙ୍କସନ ବା ନିଷେଧାଜ୍ଞା ଜାରି କରିଛନ୍ତି । ଏହା ସହିତ ହାଇକୋର୍ଟ ଆପ ଉପରେ ବିରକ୍ତ ହୋଇ କହିଛନ୍ତି ଯେ ସେମାନଙ୍କ ଦ୍ବାରା ଅଣାଯାଇଥିବା ଦୁର୍ନୀତି ଅଭିଯୋଗ କାନ କୁହା କଥା ଉପରେ ପର୍ଯ୍ୟବେଶିତ । କୌଣସି ତଥ୍ୟପ୍ରମାଣ ନ ଥାଇ ସେମାନେ କେବଳ ଉପରାଜ୍ୟପାଳଙ୍କ ଭାବମୂର୍ତ୍ତୀ କ୍ଷୁର୍ଣ୍ଣ କରିବାକୁ ଏହି ଅଭିଯୋଗ ଆଣିଛନ୍ତି ।

କୋର୍ଟଙ୍କ ଏହି ନିର୍ଦ୍ଦେଶ ଆସିବା ପରେ ଉପରାଜ୍ୟପାଳ ତାଙ୍କ ମାନହାନୀ କରୁଥିବା ସୋସିଆଲ ମିଡିଆ ପୋଷ୍ଟକୁ ହଟାଇବା ସହ ଭବିଷ୍ୟତରେ ଏପରି ମାନହାନୀ କଲାଭଳି ସୋସିଆଲ ମିଡିଆ ପୋଷ୍ଟ ନ କରିବାକୁ ଆପ ନେତାମାନଙ୍କୁ ନିର୍ଦ୍ଦେଶ ଦେବାକୁ କୋର୍ଟଙ୍କୁ ଅନୁରୋଧ କରିଥିଲେ  ।

ଏହା ସହିତ ଉପରାଜ୍ୟପାଳ  ଟୁଇଟରରେ ସତ୍ୟମେବ ଜୟତେ ଲେଖି ନିଜର ବିଜୟ ମନାଇଥିଲେ ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ,  ଆପ ନେତାମାନେ ଦାବି କରିଥିଲେ ଯେ ଖଦି ଏବଂ ଗ୍ରାମ୍ୟଦ୍ୟୋଗ ଆୟୋଗ (କେଭିଆଇସି) ର ଅଧ୍ୟକ୍ଷ ଥିବା ସମୟରେ ସାକ୍ସେନା ୧୪୦୦ କୋଟି ଟଙ୍କାର ଦୁର୍ନୀତିରେ ଜଡିତ ଥିଲେ । ଏହା ସହିତ ନିଜ ଝିଅଙ୍କୁ ଖଦି କମିଶନରେ ଏକ ପ୍ରକଳ୍ପ ପ୍ରଦାନ ପାଇଁ ସେ ନିଜ କ୍ଷମତାର ଦୁରୁପଯୋଗ କରିଥିଲେ ।

ଏହା ବିରୋଧରେ ଉପରାଜ୍ୟପାଳ ୫ ଜଣ ଆପ ନେତାଙ୍କ ବିରୋଧରେ ୨ କୋଟି ଟଙ୍କାର ମାନହାନି ମକଦ୍ଦମା କରିଛନ୍ତି । ଏହି ୫ ଜଣ ଆପ ନେତା ହେଉଛନ୍ତି ଅତିଶି ମାରଲେନା, ସୌରଭ ଭରଦ୍ୱାଜ, ଦୁର୍ଗେଶ ପାଠକ, ସଞ୍ଜୟ ସିଂ ଏବଂ ଜସ୍ମିନ ଶାହା ।

ସମ୍ବନ୍ଧିତ ଖବର