ଭାରତ ମହାସାଗର: ଚୀନ୍‌ ପଟୁ ବିପଦ ବଢ଼ୁଛି

-୬ ପରମାଣୁ ବୁଡ଼ା ଜାହାଜ ନିର୍ମାଣ କରୁଛି ଭାରତ

ନୂଆଦିଲ୍ଲୀ: ଭାରତ ମହାସଗରରେ ଶକ୍ତିବୃଦ୍ଧି ପାଇଁ ଅହରହ ପ୍ରୟାସ ଚଳାଇଥିବା ଚୀନ୍‌ ଏବେ ଭାରତର ସୁରକ୍ଷା ପାଇଁ ଚିନ୍ତାର କାରଣ ହୋଇଛି। ଉଭୟ ବୁଡ଼ା ଜାହାଜ ଓ ଯୁଦ୍ଧ ଜାହାଜ ମୁତୟନ କରି ଏହି ବିଶାଳ କ୍ଷେତ୍ରରେ ଚୀନ୍‌ ନିଜ ଆଧିପତ୍ୟ ବିସ୍ତାର କରିବାକୁ ଚାହୁଥିବାରୁ ଏହାର ମୁକାବିଲା ପାଇଁ ଭାରତ ମଧ୍ୟ ବିଶାଳ ପ୍ରସ୍ତୁତି ଚଳାଇଛି। ଏବେ ଭାରତ ୬ଟି ଆଣବିକ ଶକ୍ତି ସଂପନ୍ନ ଯୁଦ୍ଧ ବୁଡ଼ା ଜାହାଜ ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ ଚଳାଇଛି । ଭାରତୀୟ ସେନାର ଆକ୍ରମଣ କ୍ଷମତା ବୃଦ୍ଧି କ୍ଷେତ୍ରରେ ଏହି ପରମାଣୁ ବୁଡ଼ା ଜାହାଜ ନିର୍ଣ୍ଣାୟକ ସାବ୍ୟସ୍ତ ହେବ। ଭାରତ-ପ୍ରଶାନ୍ତ କ୍ଷେତ୍ରରେ ଚୀନ୍‌ ନିଜ ନୌସେନାର ଶକ୍ତି ବୃଦ୍ଧି ପାଇଁ ବିଗତ ୨ ବର୍ଷ ଭିତରେ ଅନେକ ଉତ୍ତେଜନା ସୃଷ୍ଟିକାରୀ ପଦକ୍ଷେପ ନେଇଥିବାରୁ ଭାରତ ମଧ୍ୟ ନିଜକୁ ସମାନ୍ତରାଳ ଶକ୍ତି ଭାବେ ଉପସ୍ଥାପନ କରିବାକୁ ପ୍ରସ୍ତୁତ ହେଉଛିି ।

ଓ୍ଵାନ୍‌ ବେଲ୍‌ଟ ଓ୍ଵାନ୍‌ ରୋଡ୍‌ ପ୍ରକଳ୍ପ ମାଧ୍ୟମରେ ପୂରା ବିଶ୍ୱରେ ଏକଚାଟିଆ କାରବାର ଏବଂ ସମଗ୍ର ଦକ୍ଷିଣ ଚୀନ୍‌ ସାଗରକୁ ନିଜ କବ୍‌ଜାରେ ରଖିବାକୁ ଚାହୁଥିବା ଚୀନ୍‌କୁ ଘେରିବା ପାଇଁ ଏବେ ଭାରତ, ଆମେରିକା, ଜାପାନ ଓ ଅଷ୍ଟ୍ରେଲିଆ ମିଳିତ ରଣନୀତି ପ୍ରସ୍ତୁତ କରୁଛନ୍ତି। ଏଭଳି ସ୍ଥିତିରେ ଭାରତୀୟ ନୌସେନା ୬ଟି ପରମାଣୁ ଶକ୍ତି ସଂପନ୍ନ ବୁଡ଼ା ଜାହାଜ ନିର୍ମାଣ ପ୍ରକ୍ରିୟା ତ୍ୱରାନ୍ଵିତ କରିଥିବାରୁ ରଣନୀତିକ ଦୃଷ୍ଟିରୁ ଏହା ଅତୀବ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଇଛି । ନୌସେନା ମୁଖ୍ୟ ଆଡମିରାଲ ସୁନିଲା ଲାମ୍ବା କହିଛନ୍ତି ଯେ ସାମୁଦ୍ରିକ କ୍ଷେତ୍ରରେ ସୁରକ୍ଷା ସ୍ଥିତି ସଂପର୍କରେ ଆମେ ସମସ୍ତେ ଭଲ ଭାବେ ଅବଗତ ଅଛନ୍ତି। ତେବେ ଅଣପାରମ୍ପରିକ ବିପଦ ଆଶଙ୍କା ଅଧିକ ଥିବାରୁ ଏହାର ମୁକାବିଲା ପାଇଁ ଭାରତୀୟ ନୌସେନା ପ୍ରସ୍ତୁତ ହେଉଛି ବୋଲି ସେ କହିଛନ୍ତି। ସାମରିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ କୁହାଯାଉଥିବା ପାକିସ୍ତାନର ଗ୍ଵାଦର ପୋର୍ଟକୁ ଚୀନ୍‌ ନିଜ ନିୟନ୍ତ୍ରଣରେ ପରିଚାଳନା କରୁଥିବାରୁ ଏ ସଂପର୍କରେ ନୌସେନାଧ୍ୟକ୍ଷ କହିଥିଲେ ଯେ ଏଭଳି ନିରପତ୍ତା ଆହ୍ଵାନ ସଂପର୍କରେ ଭାରତ ଭଲଭାବେ ଅବଗତ ଅଛି ଏବଂ ସେହି ଆଧାରରେ ପଦକ୍ଷେପ ନେଉଛି।
ପାକିସ୍ତାନକୁ ପ୍ରଧାନ୍ୟ ଦେଇ ଚୀନ୍‌ ପାକ୍‌ ଅଧିକୃତ କଶ୍ମୀର(ପିଓକେ)ରେ ପାକ୍‌-ଚୀନ୍‌ ଆର୍ଥିକ କରିଡର କାର୍ଯ୍ୟକୁ ତ୍ୱରାନ୍ଵିତ କରିଥିବାରୁ ଭାରତ ଏହାର କଡ଼ା ବିରୋଧ କରି ଆସିଛି। ଚୀନ୍‌ର ବିସ୍ତାରବାଦ ନୀତିରେ ଅଙ୍କୁଶ ଲଗାଇବାକୁ ଓବିଓଆର୍‌ର ବିକଳ୍ପ ଭାରତ ଖୋଜୁଛି। ଏଭଳି ସ୍ଥିତିରେ ଭାରତ ଉପରେ ଚାପ ସୃଷ୍ଟି କରିବାକୁ ଚୀନ୍‌ ଏବେ ଭାରତ ମହାସାଗର ଉପରେ ନଜର କେନ୍ଦ୍ରୀଭୂତ କରିଛି।

ଦକ୍ଷିଣ ଚୀନ୍‌ ସାଗର ବିବାଦ ନେଇ ଚୀନ୍‌ ସ୍ଥିତି ସ୍ପଷ୍ଟ କରିବାକୁ ଭାରତ ବିଭିନ୍ନ ଅନ୍ତର୍ଜାତୀୟ ଫୋରମ୍‌ରେ ମତ ରଖିବା ପରେ ଚୀନ୍‌ ଏଥିରେ କ୍ଷୁବ୍ଧ ହୋଇଛି । ଦକ୍ଷିଣ ଚୀନ୍‌ ସାଗରରେ କୌଣସି ରାଷ୍ଟ୍ରର ମୁକ୍ତ ଚଳପ୍ରଚଳ ଉପରେ କଟକଣା ଲାଗିବା ଉଚିତ ନୁହେଁ ବୋଲି ଭାରତ ତା’ର ନୀତି ସ୍ପଷ୍ଟ କରିଦେଇଛି । ଅନ୍ୟପକ୍ଷରେ, ଚୀନ୍‌ ସମଗ୍ର ଦକ୍ଷିଣ ଚୀନ୍‌ ସାଗରରେ ନିଜର ଆଧିପତ୍ୟ ଜାହିର କରୁଥିବାରୁ ଏହାକୁ ଅନ୍ୟ ରାଷ୍ଟ୍ରମାନେ ଘୋର ବିରୋଧ କରି ଆସୁଛନ୍ତି। ଏ ବାବଦରେ ଅନ୍ତର୍ଜାତୀୟ ନ୍ୟାୟ ଅଦାଲତର ରାୟକୁ ଚୀନ୍‌ ଗ୍ରହଣ କରିନଥିବାରୁ ଆସିଆନ୍‌ ସମ୍ମିଳନୀରେ ବିଶ୍ୱନେତାମାନେ ଚୀନ୍‌ ଉପରେ ଚାପ ସୃଷ୍ଟି କରିଥିଲେ।

ସମ୍ବନ୍ଧିତ ଖବର