ପାରୋଲରେ ଜେଲ୍‌ରୁ ବାହାରି ଖଣ୍ଡାରେ କେକ୍ କାଟିଲେ ଡେରାମୁଖ୍ୟ

ବାଗପତ: ଡେରା ସଚ୍ଚା ସୌଦା ମୁଖ୍ୟ ଗୁରମିତ ରାମ ରହିମ ସିଂହ ଏକ ୪୦ ଦିନିଆ ପାରୋଲରେ ଜେଲରୁ ବାହାରିବା ପରେ ଏକ ଖଣ୍ଡାରେ କେକ୍ କାଟି ଖୁସି ମନାଇବା ଦେଖିବାକୁ ମିଳିଛି। ଏକ ବିରାଟ କେକ୍ ସହ ରାମ ରହିମଙ୍କର ଭିଡିଓ ଭାଇରାଲ ହୋଇଛି। ଦୁଇଜଣ ଶିଷ୍ୟାଙ୍କ ସହ ଦୁଷ୍କର୍ମ କରିବା ଅପରାଧରେ ହରିୟାଣାର ରୋହତକ-ସ୍ଥିତ ସୁନାରିଆ‌ ଜେଲରେ ୨୦ ବର୍ଷର ସଜା କାଟୁଥିବା ରାମ ରହିମ ଶନିବାର ପାରୋଲରେ ଜେଲରୁ ବାହାରିବା ପରେ ଉତ୍ତରପ୍ରଦେଶର ବାଗପତଠାରେ ଥିବା ବର୍ଣ୍ଣାୱା ଆଶ୍ରମରେ ପହଞ୍ଚିଥିଲେ। ତାଙ୍କ ପାରୋଲ ଆବେଦନରେ ସେ ଦର୍ଶାଇଥିଲେ ଯେ ସେ ପୂର୍ବତନ ଡେରା ମୁଖ୍ୟ ଶାହ ସତନାମ ସିଂହଙ୍କ ଜନ୍ମଦିନ ଉତ୍ସବ ପାଳିବା ପାଇଁ ଯିବେ, ଯାହା ଜାନୁଆରି ୨୫ ବୁଧବାର ପଡ଼ୁଛି। ତେବେ କୌଣସି ହତିଆରକୁ ସର୍ବସାଧାରଣରେ ପ୍ରଦର୍ଶନ କରିବା (ଖଣ୍ଡାରେ କେକ୍ କାଟିବା) ଅସ୍ତ୍ରଶସ୍ତ୍ର ଆଇନ ଅନୁଯାୟୀ ନିଷିଦ୍ଧ।

ସୋମବାର ତାଙ୍କ ସମ୍ପ୍ରଦାୟର ସ୍ବେଚ୍ଛାସେବୀମାନଙ୍କ ଦ୍ବାରା ହରିୟାଣା ଓ ଅନ୍ୟ କେତେକ ରାଜ୍ୟରେ ଭିନ୍ନ ଭିନ୍ନ ସ୍ଥାନରେ ଆୟୋଜିତ ଏକ ବିରାଟ ସ୍ବଚ୍ଛତା ଅଭିଯାନକୁ ରାମ ରହିମ ଆଭାସୀ ଭାବେ ଉଦ୍‌ଘାଟନ କରିଥିଲେ। ହରିୟାଣାର ରାଜ୍ୟସଭା ସଦସ୍ୟ କିଷନ ଲାଲ ପନୱାର ଓ ପୂର୍ବତନ ମନ୍ତ୍ରୀ କ୍ରିଷନ କୁମାର ବେଦୀଙ୍କ ସମେତ କେତେକ ବରିଷ୍ଠ ବିଜେପି ନେତା ମଧ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ଦେଖାଯାଇଥିଲା।

ସମ୍ବନ୍ଧିତ ଖବର