ଦ୍ରୁତଗତିରେ ରାସ୍ତାରେ ଯାଉଥିବା ବେଳେ ବସର ହେଲା ବ୍ରେକଫେଲ; ଘଟିଲା ଲୋମଟାଙ୍କୁରା ଘଟଣା

ଜଣେ ମୃତ, ୧ଗୁରୁତର

ନୂଆଦିଲ୍ଲୀ: ଦିଲ୍ଲୀର ରୋହିଣୀ ଅଞ୍ଚଳରେ ଶନିବାର ଏକ ‌ଲୋମଟାଙ୍କୁରା ଘଟଣା ଘଟିଯାଇଛି । ଏଠାରେ ଏକ ଡିଟିସି ବସ ଭାରସାମ୍ୟ ହରାଇବା ପରେ ଉକ୍ତ ରାସ୍ତା ଦେଇଯାଉଥିବା ଅନ୍ୟ ଗାଡ଼ିଗୁଡ଼ିକ ଉପରେ ମାଡ଼ି ଯାଇଥିଲା। ଏହି ଘଟଣାର ଦୃଶ୍ୟ ଘଟଣାସ୍ଥଳରେ ଲାଗିଥିବା ସିସିଟିଭି ଫୁଟେଜରେ କୈଦ ହୋଇଯାଇଥିଲା। ଯାହାକି ପୁଲିସ ଯାଞ୍ଚ କରିବା ସମୟରେ ସାମ୍ନାକୁ ଆସିଛି।

ସୂଚନା‌ଯୋଗ୍ୟ, ଦିଲ୍ଲୀର ରୋହିଣୀ ରାସ୍ତା ଦେଇ ଏକ ଡିଟିସି ବସ ଦ୍ରୁତଗତିରେ ଯାଉଥିଲା। ଏହି ସମୟରେ ଉକ୍ତ ବସର ବ୍ରେକଫେଲ ହୋଇଯାଇଥିଲା। ଫଳରେ ବସ ଉପରୁ ନିୟନ୍ତ୍ରଣ ହରାଇ ଦେଇଥିଲେ ଚାଳକ। ନିଜ ଗାଡ଼ି ଚାଳନା ଉପରେ ନିୟନ୍ତ୍ରଣ ରକ୍ଷା କରି ପାରି ନଥିଲେ ସେ।

ଏହାପରେ ବସ ରାସ୍ତାରେ ଯାଉଥିବା ପ୍ରତିଟି ଗାଡ଼ିକୁ ଧକ୍କା ଦେଇ ଶେଷ‌ରେ ରାସ୍ତ‌ାପାର୍ଶ୍ବରେ ଛିଡ଼ା ହୋଇଥିବ‌ା ଏକାଧିକ ଦୁଇଚକିଆ ବାଇକ୍ ଓ ସ୍କୁଟିକୁ ଧକ୍କା ଦେଇ ଅଟକି ଯାଇଥିଲା। ଏ ଭୟଙ୍କର ଦୃଶ୍ୟ ଦେଖି ରାସ୍ତାରେ ଯାଉଥିବା ଯାତ୍ରୀମାନେ ଜୀବନ ବଞ୍ଚାଇବା ପାଇଁ ଏତେତେଣେ ଦୌଡ଼ି ଚାଲି ଯାଇଥିଲେ। ଏଥିରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଏହି ଘଟଣା ପୂର୍ବରୁ ଗତମାସରେ ଏକ ଡିଟିସି ବସ ଦୁଇଟି ଇ-ରିକ୍ସା ଓ ଜଣେ ଫଳ ବିକ୍ରେତାଙ୍କୁ ଧକ୍କା ଦେଇଥିଲା। ଏହି ଧକ୍କାରେ ଜ‌ଣେ ୩୬ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଥିଲା।

ସମ୍ବନ୍ଧିତ ଖବର