ଅଚଳାବସ୍ଥା ପାଇଁ ସରକାର ଦାୟୀ: ଖଡ଼୍‌ଗେ

ଶୀତ ଅଧିବେଶନକୁ ବର୍ଜନ କଲା ଟିଆର୍‌ଏସ୍‌ , ନିଲମ୍ବିତ ସାଂସଦଙ୍କ ଧାରଣାସ୍ଥଳରେ ପାୱାର, ଜୟା ବଚ୍ଚନ

ନୂଆଦିଲ୍ଲୀ: ସଂସଦର ଶୀତ ଅଧିବେଶନରେ ଲାଗି ରହିଥିବା ଅଚଳାବସ୍ଥା ପାଇଁ ସରକାରଙ୍କୁ ଦାୟୀ କରିଛନ୍ତି ରାଜ୍ୟସଭାରେ ବିରୋଧୀ ଦଳର ନେତା ମଲ୍ଲିକାର୍ଜୁନ ଖଡ୍‌‌ଗେ। ରାଜ୍ୟସଭାର ୧୨ ଜଣ ସାଂସଦଙ୍କୁ ନିଲମ୍ବନ ପ୍ରସଙ୍ଗରେ ଆମେ ଅଧ୍ୟକ୍ଷ ଏବଂ ସରକାରଙ୍କୁ ଭେଟୁଛୁ। ସାଂସଦମାନଙ୍କୁ ଏଭଳି ନିଲମ୍ବନ କରାଯାଇ ପାରିବ ନାହିଁ‌ ବୋଲି ଯୁକ୍ତି ବାଢ଼ିଛୁ। ସେମାନଙ୍କୁ ତ୍ରୁଟିପୂର୍ଣ୍ଣ ଏବଂ ଅସାମ୍ବିଧାନିକ ଭାବେ ନିଲମ୍ବିତ କରାଯାଇଛି। ସେମାନଙ୍କ ନିଲମ୍ବନ ସମ୍ବିଧାନ ଓ ଗଣତନ୍ତ୍ର ବିରୋଧୀ।

ମୌସୁମୀ ଅଧିବେଶନରେ ଘଟିଥିବା ଘଟଣା ପାଇଁ ଶୀତ ଅଧିବେଶନରେ ଦଣ୍ଡିତ କରାଯିବା ଠିକ୍ ନୁହେଁ। ସେହିଭଳି ଅଧିବେଶନ ଚାଲୁ ନଥିବା ସମୟରେ ମଧ୍ୟ ସାଂସଦମାନଙ୍କୁ ପୂର୍ବ ଅଧିବେଶନର ଘଟଣା ପାଇଁ ନିଲମ୍ବନ କରିବା ଅଧିକାର ମଧ୍ୟ ସରକାରଙ୍କର ନାହିଁ। ଏଥିରୁ ଜଣାପଡ଼ୁଛି ସରକାରଙ୍କର ଗୃହ ଚଳାଇବା ଉଦ୍ଦେଶ୍ୟ ନାହିଁ। ସେମାନଙ୍କ ନିଲମ୍ବନ ନଉଠିବା ପର୍ଯ୍ୟନ୍ତ ଆମର ଲଢ଼େଇ ଜାରି ରହିବ ବୋଲି ସେ କହିଛନ୍ତି।

ଆନ୍ଦୋଳନରତ କୃଷକଙ୍କ ମୃତ୍ୟୁ ସଂପର୍କିତ ତଥ୍ୟ ସରକାରଙ୍କ ପାଖରେ ନଥିବାରୁ ଆଜି ଲୋକସଭାରୁ କଂଗ୍ରେସ ସମେତ ଏନସିପି ଏବଂ ଡିଏମକେ ସଦସ୍ୟମାନେ କକ୍ଷତ୍ୟାଗ କରିଛନ୍ତି। ଅନ୍ୟପକ୍ଷରେ ତେଲେଙ୍ଗାନା ରାଷ୍ଟ୍ରୀୟ ସମିତିର ସାଂସଦମାନେ ଶୀତ ଅଧିବେଶନରେ ଆଉ ଯୋଗଦେବେ ନାହିଁ ବୋଲି ଆଜି ନିଷ୍ପତ୍ତି ନେଇଛନ୍ତି। ଟିଆରଏସର ସାସଂଦମାନେ ଉଭୟ ସଦନରୁ ବାହାରି ଆସି ସଂସଦ ବାହାରେ ପ୍ରଥମେ ପ୍ରତିବାଦ କରିଥିଲେ ଏବଂ ପରେ ଶୀତ ଅଧିବେଶନକୁ ପୂରା ବର୍ଜନ କରିବା ପାଇଁ ଘୋଷଣା କରିଥିଲେ। ତେଲେଙ୍ଗାନାରୁ ଚାଉଳ ସଂଗ୍ରହ ପାଇଁ ଦଳର ସାଂସଦମାନେ ଦାବି କରିଆସୁଛନ୍ତି।

ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ନିକଟରେ ନିଲମ୍ବିତ ସାଂସଦମାନେ ଧାରଣାରେ ବସିଥିବାବେଳେ ଏନସିପି ମୁଖ୍ୟ ଶରଦ ପାୱାର ଏବଂ ଏସପି ସାଂସଦ ଜୟା ବଚ୍ଚନ ସେମାନଙ୍କ ନିକଟରେ ପହଞ୍ଚିଥିଲେ।

ସମ୍ବନ୍ଧିତ ଖବର