ବର୍ଜ୍ୟ ପରିଚାଳନା ଜ୍ଞାନକୌଶଳ ଶିଖିଲେ ୧୧୪ ପୌରସଂସ୍ଥା

ଭୁବନେଶ୍ୱର: ବର୍ଜ୍ୟବସ୍ତୁ ପରିଚାଳନା ଯନ୍ତ୍ରପାତି ଏବଂ ଉପକରଣର ଏକଦିବସୀୟ ରାଜ୍ୟସ୍ତରୀୟ ପ୍ରଦର୍ଶନୀ ଆଜି ରାଜ୍ୟ ସହରାଞ୍ଚଳ ବିକାଶ ସଂସ୍ଥା(ସୁଡା) ପରିସରରେ ଅନୁଷ୍ଠିତ ହୋଇଯାଇଛି। ବିଏମ୍‌ସି ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ସଚିବ ଜି. ମାଥିଭାଥନନ୍‌ କହିଲେ, ଏହି କାର୍ଯ୍ୟକ୍ରମରେ କାରବାର ପାଇଁ ଆସିଥିବା ପୌରସଂସ୍ଥାମାନେ ଜେମ୍‌ ପୋର୍ଟାଲ୍‌ର ବ୍ୟବହାର କରିବା ଉଚିତ। ଏହା ଉଭୟ କମ୍ପାନି ଏବଂ ପୌରସଂସ୍ଥା ପାଇଁ ସହଜ ହେବ। ବିଏମସିର ପ୍ରଶାସକ ସଂଗ୍ରାମଜିତ୍ ନାୟକ କହିଲେ, ‘ସ୍ୱଚ୍ଛ ଓଡ଼ିଶା, ସୁସ୍ଥ ଓଡ଼ିଶା’କୁ ସାକାର କରିବା ପାଇଁ ଏକାଠି ହୋଇଥିବା ରାଜ୍ୟର ୧୧୪ଟି ପୌରସଂସ୍ଥାର ପ୍ରତିନିଧି ଆଜି ଏଠାରେ ବର୍ଜ୍ୟ ପରିଚାଳନା ଜ୍ଞାନକୌଶଳ ବିଷୟରେ ଅବଗତ ହୋଇପାରିବେ। ନିଜ ଆବଶ୍ୟକତା ନେଇ ସେମାନେ ଯନ୍ତ୍ରପାତି ଓ ଉପକରଣର ପ୍ରାଯୁକ୍ତିକ, ଆର୍ଥିକ ଓ ପରିଚାଳନାଗତ ସୂଚନା ପାଇପାରିବେ। ଫଳରେ ବର୍ଜ୍ୟ ପରିଚାଳନାର ଏକ ସ୍ମାର୍ଟ ସଲ୍ୟୁସନ୍‌ ହେବ। ବିଏମ୍‌ସି କମିସନର୍ ପ୍ରେମଚନ୍ଦ୍ର ଚୌଧରୀ କହିଲେ, ଏହି ଆୟୋଜନ ଏକ ସ୍ୱତନ୍ତ୍ର ପ୍ଲାଟ୍‌ଫର୍ମ। ଏହା ଅଂଶଗ୍ରହଣକାରୀ ସମସ୍ତ ପୌରସଂସ୍ଥା ଓ ଆସିଥିବା କମ୍ପାନିଙ୍କ ପାଇଁ ଏକ ଆଦାନ ପ୍ରଦାନ ସ୍ଥଳୀ। ଗୋଟିଏ ସ୍ଥାନରେ ଚାହିଦା, ପସନ୍ଦ, ସାମଗ୍ରୀ ଓ ସମାଧାନର ସୂତ୍ର ବାହାରିବ। ଯୁଗ୍ମ ସଚିବ ତଥା ଅତିରିକ୍ତ ମିସନ୍ ନିର୍ଦେଶକ ସ୍ୱଚ୍ଛ ଭାରତ ମିସନ୍ କଲ୍ୟାଣ କୁମାର ରଥ ସ୍ୱାଗତ ଭାଷଣ ଦେଇଥିବା ବେଳେ ନଗର ଉନ୍ନୟନ ବିଭାଗର ଆର୍ଥିକ ଉପଦେଷ୍ଟା ସଂଜୟ ପରମାଣିକ, ବିଏମ୍‌ସିର ଅତିରିକ୍ତ ଆୟୁକ୍ତ ସୁରଥ ଚନ୍ଦ୍ର ମଲ୍ଲିକ, ବିଭାଗୀୟ ଉପସଚିବ ତଥା ରାଜ୍ୟ ସହରାଞ୍ଚଳ ବିକାଶ ସଂସ୍ଥାର ଅତିରିକ୍ତ ନିର୍ଦେଶକ ସାରଦା ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। ଏହି ପ୍ରଦର୍ଶନୀରେ ୧୯ଟି ଷ୍ଟଲ୍‌ରେ ୨୧ଟି କମ୍ପାନିର ବିବିଧ ସାମଗ୍ରୀ ଯଥା ବୁସ୍ କଟର୍‌, ଆର୍ଥ ଅଗର୍, ଚେନ ସ’, ୱାଟର୍‌ ପମ୍ପ, ଟିଲର, ବେଲିଂ ମେସିନ୍, ସ୍ପ୍ରେଡିଙ୍ଗ ମେସିନ୍, ବାର୍ଥ କଟର୍‌, ବ୍ୟାଟେରି ଅପରେଟର୍‌ ଯାନ, ୱେଷ୍ଟ କ୍ୟାରିଂ ଭେଇକିଲ୍, ବାୟୋଗ୍ୟାସ୍ ପ୍ଲାଣ୍ଟ, ଇଲେକ୍ଟ୍ରିକ୍ ଲୋଡର୍‌, ନାପକିନ୍‌ ଇନ୍ସେମିନେଟର୍‌ ଭଳି ପ୍ରାୟ ୫୦ରୁ ଊର୍ଧ୍ବ ପ୍ରକାର ଯନ୍ତ୍ରପାତି ପ୍ରଦର୍ଶିତ ହୋଇଥିଲା।

ସମ୍ବନ୍ଧିତ ଖବର