ଏମ୍‌ସ କଶ୍ମୀର ଛାତ୍ର ନିଖୋଜ ମାମଲା : ଗୁର୍‌ଗାଓଁରେ ପୁଲିସର ଛାନ୍‌ଭିନ୍‌

ଖଣ୍ଡଗିରି: ଭୁବନେଶ୍ୱର ଏମ୍‌ସର ନିଖୋଜ କଶ୍ମୀର ଛାତ୍ର ସୋହେଲ୍‌କୁ ଦିଲ୍ଲୀ ଯାଇଥିବା କମିସନରେଟ୍‌ ପୁଲିସ ଟିମ୍‌ ଗୁର୍‌ଗାଓଁ ଅଞ୍ଚଳରେ ଖୋଜିବା ଆରମ୍ଭ କରିଛି। ପ୍ରଥମ ଦିନରେ ପୁଲିସକୁ କୌଣସି ପ୍ରକାର ସଫଳତା ମିଳିନଥିବା ଖବର ମିଳିଛି। ଦିଲ୍ଲୀ ମେଟ୍ରୋ ପୁଲିସ ସହାୟତାରେ ପ୍ରଥମ ଦିନ କମିସନରେଟ୍‌ ପୁଲିସ ବେଶ୍‌ କିଛି ତଦନ୍ତ କରିଥିଲେ ବି ସୋହେଲ୍‌ ବାବଦରେ ସାମାନ୍ୟତମ ସୂଚନା ମିଳିପାରିନାହିଁ। ସୋହେଲ୍‌ଙ୍କ ବାପା ଓ ସୋହେଲ୍‌କୁ ଦେଖିଥିବା ନେଇ ଫୋନ୍‌ କରିଥିବା ଜମ୍ମୁକଶ୍ମୀରର ଯୁବକଜଣଙ୍କ ଆସନ୍ତାକାଲି ଏହି ପୁଲିସ ଟିମ୍‌ ସହ ଯୋଗଦେବା ପରେ କିଛି ସୁଫଳ ମିଳିବା ନେଇ ପୁଲିସ ଆଶାବାଦୀ ରହିଛି।

ସୂଚନାନୁସାରେ ଦିଲ୍ଲୀ ଯାଇଥିବା ୩ ଜଣିଆ ପୁଲିସ ଟିମ୍‌ ଆଜି ସେହି ଫୋନ୍‌ କରିଥିବା ଯୁବକ(ସମ୍ପର୍କୀୟ ଭାଇ)ଙ୍କ ସହ ଭେଟ ହୋଇପାରିନାହିଁ। ଉକ୍ତ ଯୁବକ ଜଣଙ୍କ ଜମ୍ମୁକଶ୍ମୀରରୁ ଦିଲ୍ଲୀରେ ପହଞ୍ଚି ପାରିନାହାନ୍ତି। ସେ ଆସନ୍ତାକାଲି ଦିଲ୍ଲୀରେ ପହଞ୍ଚିବେ। ସେହିଭଳି ଗତ ୧୮ ତାରିଖରୁ ଭୁବନେଶ୍ୱର ଏମ୍‌ସରେ ରହିଥିବା ସୋହେଲ୍‌ର ବାପା ଏଜାଜ୍‌ ଅହମ୍ମଦ ଓ ଭାଇ ମୁଶାରଫ୍‌ ମଧ୍ୟ ଦିଲ୍ଲୀ ଫେରି ଯାଇଛନ୍ତି। ଉକ୍ତ ଯୁବକ ଓ ସୋହେଲ୍‌ଙ୍କ ବାପା ଭାଇ ଆସନ୍ତାକାଲି ଦିଲ୍ଲୀରେ ପହଞ୍ଚି ସୋହେଲ୍‌ ସନ୍ଧାନରେ ଯାଇଥିବା ପୁଲିସ ଟିମ୍‌ ସହ ମିଶିବେ। ତେଣୁ ଆଜି ପ୍ରଥମ ଦିନ ସେମାନଙ୍କ ଅନୁପସ୍ଥିତିରେ ପୁଲିସ ଟିମ୍‌ର ତଦନ୍ତ ଏକ ପ୍ରକାର ଅଧୁରା ରହିଛି। କିନ୍ତୁ ଦିଲ୍ଲୀରେ ଆଜି ପୁଲିସ ଟିମ୍‌ ପ୍ରାଥମିକ ତଦନ୍ତ ଆରମ୍ଭ କରିଛି। ମେଟ୍ରୋ ୨୯ ଥାନା ପୁଲିସ ସହଯୋଗରେ ଖଣ୍ଡଗିରି ଥାନା ଟିମ୍‌ ହୁଡ଼ା ମେଟ୍ରୋ ଷ୍ଟେସନ ଅଞ୍ଚଳ ବୁଲିଛି। ସେଠିକାର ସିସିଟିଭିରୁ କିଛି ତଥ୍ୟ ମିଳିପାରିନାହିଁ। ସେହିଭଳି ହୁଡ଼ା ଅଞ୍ଚଳର ନିକଟସ୍ଥ ମୁସଲମାନ୍‌ ବସ୍ତିମାନଙ୍କରେ ପଚରାଉଚରା ଚଳାଇଛି। ମାତ୍ର ସେମାନେ ସୋହେଲ୍‌ ବାବଦରେ କିଛି ତଥ୍ୟ ଦେଇ ପାରିନାହାନ୍ତି। ଆସନ୍ତକାଲି ପୁଲିସ ଟିମ୍‌ ସହ ଉକ୍ତ ଯୁବକ ଭେଟ ହେବା ପରେ ପୁଲିସ ଗୁର୍‌୍‌ଗାଓଁ ଓ ପରେ ନୋଏଡ଼ା ଯାଇ ଜମ୍ମୁକଶ୍ମୀର ବ୍ୟାଙ୍କ ଏଟିଏମ୍‌ ଓ କିଛି ଏସ୍‌ଟିଡି ବୁଥ୍‌କୁ ଯାଇ ଛାନ୍‌ଭିନ୍‌ କରିବ। ଉକ୍ତ ଅଞ୍ଚଳର ସିସିଟିଭି ଫୁଟେଜ୍‌ ଯାଞ୍ଚ୍‌ କରିବ। ଆଜି ଭଳି ଆସନ୍ତାକାଲି ମଧ୍ୟ ଉକ୍ତ ଅଞ୍ଚଳର ମୁସଲମାନ୍‌ ବସ୍ତି ଅଞ୍ଚଳରେ ବୁଲିବା କାର୍ଯ୍ୟକ୍ରମ ରହିଛି। ବିଶେଷକରି ଜମ୍ମୁକଶ୍ମୀର ଅଞ୍ଚଳର ଲୋକମାନେ ରହୁଥିବା ସ୍ଥାନରେ ପୁଲିସ ସୋହେଲଙ୍କୁ ଖୋଜିବା କାର୍ଯ୍ୟକ୍ରମ ରହିଛି ବୋଲି ସୂଚନା ମିଳିଛି। ସୂଚନାନୁସାରେ ଆଜି ଦିଲ୍ଲୀ ମେଟ୍ରୋ ପୁଲିସ ଖଣ୍ଡଗିରି ଥାନା ପୁଲିସ ଟିମ୍‌କୁ ପୂର୍ଣ୍ଣ ସହଯୋଗ କରି ସୋହେଲ୍‌କୁ ଖୋଜିଛି। ମାତ୍ର ନିଖୋଜ ହେବା ଓ ଖୋଜାଖୋଜି ଆରମ୍ଭ କରିବା ମଧ୍ୟରେ କିଛିଟା ବିଳମ୍ବ ହୋଇ ଯାଇଥିବାରୁ ସମସ୍ୟା ଉପୁଜିଛି। ସୂଚନାଯୋଗ୍ୟ ଯେ ଗତ ୫ ତାରିଖ ଦିନ ଗୁର୍‌୍‌ଗାଓଁ ହୁଡ଼ା ମେଟ୍ରୋ ଅଞ୍ଚଳରୁ ଜଣେ ଯୁବକ ସୋହେଲ୍‌ଙ୍କ ବାପାଙ୍କୁ ଫୋନ୍‌ କରିଥିଲେ। ଯୁବକ ଜଣଙ୍କ ସୋହେଲ୍‌ଙ୍କ ଅଞ୍ଚଳର ଓ ସମ୍ପର୍କୀୟ ଭାଇ ହେବେ ବୋଲି ବାପା ଏଜାଜ୍‌ ପୁଲିସକୁ କହିଥିଲେ। ଏକ ବ୍ୟାଙ୍କ ଏଟିଏମ୍‌ ଓ ଏସ୍‌ଟିଡି ବୁଥ୍‌ ନିକଟରେ ସେ ସୋହେଲ୍‌ ଭଳି ଜଣେ ଯୁବକକୁ ଦେଖିଥିଲେ ବୋଲି ଫୋନ୍‌ କରି କହିଥିଲେ। ସେତେବେଳେ ସେ ଜାଣିନଥିଲେ ଯେ ସୋହେଲ୍‌ ନିଖୋଜ ହୋଇଛି। ପରେ ଗଣମାଧ୍ୟମରୁ ଜାଣିବା ପରେ ସେ ବାପା ଏଜାଜ୍‌ଙ୍କ ମୋବାଇଲ୍‌କୁ ଫୋନ୍‌ କରି ଜଣାଇଥିଲେ। ତେଣୁ ସେହି ସୂଚନାକୁ ଆଧାର କରି ଖଣ୍ଡଗିରି ଥାନା ଟିମ୍‌ ଦିଲ୍ଲୀ ଯାଇଛି। ପୂର୍ବରୁ ଖଣ୍ଡଗିରି ଥାନାର ଏକ ୪ ଜଣିଆ ଟିମ୍‌ କୋଲକାତା ହାଓ୍ଵଡ଼ାରେ ୪ ଦିନ ବୁଲି ବୁଲି ଖାଲି ହାତରେ ଫେରିଥିଲା।

ସମ୍ବନ୍ଧିତ ଖବର