ଖୋର୍ଧା-ବଲାଙ୍ଗୀର ରେଳପଥ ନିର୍ମାଣରେ କଚ୍ଛପ ଗତି : ୮୦ କିଲୋମିଟରକୁ ୨୨ ବର୍ଷ

୨୦୦ କିଲୋମିଟର କାମ କେବେ ସରିବ?

ଖୋର୍ଧା : ଖୋର୍ଧା-ବଲାଙ୍ଗୀର ରେଳପଥ ପ୍ରକଳ୍ପ ଆରମ୍ଭ ହେବାର ୨୨ ବର୍ଷ ଅତିକ୍ରାନ୍ତ ହୋଇଗଲାଣି। ମାତ୍ର ଏହି ସମୟ ମଧ୍ୟରେ ରେଳ ବିଭାଗ ମାତ୍ର ପାଖାପାଖି ୮୦ କିଲୋମିଟର ରେଳପଥ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ସମର୍ଥ ହୋଇଛି। ଆହୁରି ପ୍ରାୟ ୨୦୦ କିଲୋମିଟର ରେଳପଥ ନିର୍ମାଣ କାର୍ଯ୍ୟ ଶେଷ ହେଲେ ଏହି ପ୍ରକଳ୍ପ ବାସ୍ତବ ରୂପ ନେବ। ତେବେ ୧୯୯୪-୯୫ରେ ଆରମ୍ଭ ହୋଇଥିବା ଖୋର୍ଧା-ବଲାଙ୍ଗୀର ରେଳପଥର ନିର୍ମାଣ କାର୍ଯ୍ୟ ଆସନ୍ତା ୨୦୨୧ ଜୁନ୍‌ ମାସ ସୁଦ୍ଧା ସରିବ ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି। ବାସ୍ତବରେ ଏହି ସମୟ ସୀମା ମଧ୍ୟରେ ଏହି ପ୍ରକଳ୍ପ କାର୍ଯ୍ୟ ଶେଷ ହେବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଖୋର୍ଧା-ବଲାଙ୍ଗୀର ରେଳପଥ ନିର୍ମାଣ କାର୍ଯ୍ୟ ଅତ୍ୟନ୍ତ ମନ୍ଥର ଗତିରେ ଚାଲିଛି। ପ୍ରକଳ୍ପ ପାଇଁ ଆବଶ୍ୟକ କର୍ମଚାରୀ ନାହାନ୍ତି କି ଯେଭଳି ଦ୍ରୁତଗତିରେ ପ୍ରକଳ୍ପ କାର୍ଯ୍ୟ ହେବା କଥା ତାହା ହେଉନାହିଁ। ପ୍ରକଳ୍ପ କାର୍ଯ୍ୟକୁ ତ୍ଵରାନ୍ଵିତ କରିବା ବଦଳରେ ମାତ୍ର ୧୦/୧୨ କିଲୋମିଟର ରେଳପଥ ନିର୍ମାଣ କାର୍ଯ୍ୟ ପାଇଁ ଯୋଜନା କରାଯାଇଛି। ଅନ୍ୟପକ୍ଷରେ ପ୍ରକଳ୍ପରେ ନିୟୋଜିତ ଯନ୍ତ୍ରୀମାନଙ୍କୁ ଅନ୍ୟସ୍ଥାନକୁ ସ୍ଥାନାନ୍ତରିତ କରାଯାଇ ପ୍ରକଳ୍ପ କାର୍ଯ୍ୟରେ ଜାଣିଶୁଣି ବିଳମ୍ବ କରାଯାଉଛି। ଜମି ଅଧିଗ୍ରହଣ ସମସ୍ୟାରୁ ରେଳ ବିଭାଗ ନିସ୍ତାର ପାଉ ନଥିବା ବେଳେ ଯନ୍ତ୍ରୀମାନଙ୍କୁ ବଦଳି କରି ପ୍ରକଳ୍ପ କାର୍ଯ୍ୟ କିପରି ଶେଷ କରିବ ତାହା ବିଭିନ୍ନ ମହଲରେ ଆଲୋଚନାର ବିଷୟ ପାଲଟିଛି। ଜଣେ ମୁଖ୍ୟଯନ୍ତ୍ରୀଙ୍କ ସମେତ ୧୭ ଜଣ ବରିଷ୍ଠ ଓ କନିଷ୍ଠ ଯନ୍ତ୍ରୀ ଙ୍କୁ ନେଇ ଏହି ପ୍ରକଳ୍ପ ଚାଲିଥିବା ବେଳେ ଗତ ୧୦ ତାରିଖରେ ୪ ଜଣ ଯନ୍ତ୍ରୀଙ୍କୁ ବିଶାଖାପାଟଣା ୟୁନିଟ୍‌କୁ ବଦଳି କରାଯାଇଛି। ପ୍ରଶାସନିକ କାରଣ ଦେଖାଇ ସେମାନଙ୍କୁ ଗତ ୧୬ ତାରିଖରୁ ମଧ୍ୟ ରିଲିଭ କରିଦିଆଯାଇଛି। ଖୋର୍ଧା-ବଲାଙ୍ଗୀର ରେଳପଥ ପ୍ରକଳ୍ପ କାର୍ଯ୍ୟ କରିବା ପାଇଁ ଅଧିକ କର୍ମଚାରୀ ଓ ଯନ୍ତ୍ରୀଙ୍କ ଆବଶ୍ୟକତା ଥିବା ବେଳେ ଏହି ପ୍ରକଳ୍ପରୁ ଯନ୍ତ୍ରୀଙ୍କୁ ସ୍ଥାନାନ୍ତରିତ କରିବା ପଛରେ ରେଳ ମନ୍ତ୍ରଣାଳୟର କି ଉଦ୍ଦେଶ୍ୟ ରହିଛି ତାହା ସନ୍ଦେହର କୁହେଳିକା ସୃଷ୍ଟି କରିଛି।

୧୯୯୪-୯୫ ମସିହାରେ ଆରମ୍ଭ ହୋଇଥିବା ୨୮୯ କିଲୋମିଟର ଖୋର୍ଧା-ବଲାଙ୍ଗୀର ରେଳପଥ ନିର୍ମାଣ କାର୍ଯ୍ୟ ବର୍ତ୍ତମାନ ସୁଦ୍ଧା ଖୋର୍ଧା ରୋଡ୍‌ରୁ ମାତ୍ର ୬୦ କିଲୋମିଟର ଦୂର ନୟାଗଡ଼ ସହର ସହିତ ସଂଯୋଗ ହୋଇପାରିଛି। ସେଭଳି ବଲାଙ୍ଗୀରରୁ ବଇଁଶାପଲ୍ଲୀ ପର୍ଯ୍ୟନ୍ତ ପ୍ରାୟ ୨୦ କିଲୋମିଟର ରେଳପଥର ନିର୍ମାଣ କାର୍ଯ୍ୟ ସରିଆସିଲାଣି। ଚଳିତବର୍ଷ ଏହି ରେଳପଥ ନିର୍ମାଣ କାର୍ଯ୍ୟ ତ୍ଵରାନ୍ଵିତ କରିବା ପାଇଁ ପ୍ରାୟ ୭ ଶହ ଟଙ୍କା କୋଟି ଟଙ୍କା ମଂଜୁର କରାଯାଇଛି। ସେଥିମଧ୍ୟରୁ ରେଳ ମନ୍ତ୍ରଣାଳୟର ୨୦୦ କୋଟି ଟଙ୍କାର ଅଂଶଧନ ଥିବା ବେଳେ ରାଜ୍ୟ ସରକାରଙ୍କର ୫୦୦ କୋଟି ଟଙ୍କାର ଅଂଶଧନ ରହିଛି। ସେଥିମଧ୍ୟରୁ ଗତ ମାସ ଶେଷ ସୁଦ୍ଧା ରେଳ ମନ୍ତ୍ରଣାଳୟର ୫୯ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ରାଜ୍ୟ ସରକାରଙ୍କର ୧୧କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ନିକଟରେ ହୋଇଥିବା ଏକ ସମୀକ୍ଷାରୁ ଜଣାପଡ଼ିଛି। ଜମି ଅଧିଗ୍ରହଣ କାର୍ଯ୍ୟ ଯେପରି ହେବା କଥା ତାହା ହେଉନାହିଁ। ରାଜ୍ୟ ପ୍ରଶାସନିକ ଅଧିକାରୀ ଓ ରେଳ ମନ୍ତ୍ରଣାଳୟର ଅଧିକାରୀମାନଙ୍କ ସମନ୍ଵୟ ରହୁ ନଥିବାରୁ ଏହି ଜମି ଅଧିଗ୍ରହଣ କାର୍ଯ୍ୟ ଆଗେଇପାରୁ ନାହିଁ। ଖୋର୍ଧା-ବଲାଙ୍ଗୀର ରେଳପଥ ପ୍ରକଳ୍ପ ପାଇଁ ଅର୍ଥ ଥାଇ ମଧ୍ୟ ଏହାର କାର୍ଯ୍ୟ ନ ଆଗେଇବା ଘଟଣା ରାଜ୍ୟବାସୀଙ୍କୁ ବ୍ୟଥିତ କରିଛି। ଖୋର୍ଧା-ବଲାଙ୍ଗୀର ରେଳପଥ ନିର୍ମାଣ କାର୍ଯ୍ୟ ସାରିବା ଦିଗରେ ତୁରନ୍ତ ବିହିତ ପଦକ୍ଷେପ ନେବା ଲାଗି ବିଭିନ୍ନ ମହଲରେ ଦାବି ହେଉଛି।

ସମ୍ବନ୍ଧିତ ଖବର