ଓଏସ୍‌ଆର୍‌ଟିସି ବସ୍‌ରେ ଲାଗିଲା ଫାଷ୍ଟ୍‌ ଟ୍ୟାଗ୍‌

୧୦୦ ମିଟର ଦୂରରୁ ଟୋଲ୍‌ ଗେଟ୍‌ରେ ଟୋଲ୍‌ ଦିଆଯାଇପାରିବ

ଭୁବନେଶ୍ୱର: ରାଜ୍ୟ ସଡ଼କ ପରିବହନ ନିଗମ ବା ଓଏସ୍‌ଆରଟିସି ପକ୍ଷରୁ ଚାଲୁଥିବା ବସ୍‌ରେ ସ୍ୱୟଂଚାଳିତ ଇଲେକଟ୍ରୋନିକ୍‌ ଟୋଲ୍‌ ଆଦାୟ ବ୍ୟବସ୍ଥା ଫାଷ୍ଟ ଟ୍ୟାଗ୍‌ ଆରମ୍ଭ ହୋଇଛି। ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ନୃସିଂହ ଚରଣ ସାହୁ ଆଜି ଏହାର ଉଦ୍‌ଘାଟନ କରିଛନ୍ତି। ଏହି ବ୍ୟବସ୍ଥା ଦ୍ୱାରା ସମୟ ସହିତ ଇନ୍ଧନ ସଞ୍ଚୟ ହୋଇପାରିବ ବୋଲି ଜଣାପଡ଼ିଛି।

ସୂଚନା ଅନୁଯାୟୀ, ରାଜ୍ୟ ସଡ଼କ ପରିବହନ ନିଗମ ବର୍ଷକ ୧କୋଟି ୭୦ଲକ୍ଷ ଟଙ୍କା ବିଭିନ୍ନ ଟୋଲ ପ୍ଲାଜାରେ ଦେଇଥାଏ। ଟୋଲ ପ୍ଲାଜାରେ ଟୋଲ ଦିଆଯାଉଥିବା ସମୟରେ ସମୟ ସହିତ ଯାନର ଇନ୍ଧନ ନଷ୍ଟ ହୋଇଥାଏ। ତେଣୁ ଏଥିରୁ ବଞ୍ଚିବା ପାଇଁ କେନ୍ଦ୍ର ସରକାରଙ୍କ ସଡ଼କ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରାଳୟ ଓ ଜାତୀୟ ରାଜପଥ ଆୟୋଗଙ୍କ ମିଳିତ ସହଯୋଗରେ ଫାଷ୍ଟ ଟ୍ୟାଗ୍‌ ବ୍ୟବସ୍ଥା ଆରମ୍ଭ ହୋଇଛି। ଏଆଇଏସ୍‌ଇସିଟି ପକ୍ଷରୁ ଏହାକୁ ପ୍ରସ୍ତୁତ କରାଯାଇଛି। ଏଥିରେ କୌଣସି ୪ଚକିଆ ଯାନର ସାମ୍ନା କାଚରେ ଏହି ଟ୍ୟାଗ୍‌ ଲଗାଯାଇଥାଏ। ଟୋଲ ପ୍ଲାଜାର ୧୦୦ ମିଟର ଦୂରରୁ ସ୍ଥିରୀକୃତ ଫାଷ୍ଟ ଟ୍ୟାଗ୍‌ ଲେନ୍‌ରେ ଯାନ ପାସ୍‌ କରିବା ସମୟରେ ଯାନକୁ ଆଉ ଅଟକିବାକୁ ପଡ଼ି ନ ଥାଏ। ଗାଡ଼ିର କାଚରେ ଲଗାଯାଇଥିବା ଏହି ଫାଷ୍ଟ ଟ୍ୟାଗ୍‌ରେ ଯୋଡ଼ା ଯାଇଥିବା ପ୍ରିପେଡ୍‌/ପୋଷ୍ଟ ପେଡ୍‌ ବ୍ୟାଙ୍କ ଖାତାରୁ ସ୍ୱୟଂଚାଳିତ ଭାବେ ଧାର୍ଯ୍ୟ କରାଯାଇଥିବା ଟୋଲ ଚାର୍ଜ କଟି ଯାଇଥାଏ। ଏହିକୁ ବ୍ୟବହାର କରିବା ଦ୍ୱାରା ନିଗମକୁ ଜାତୀୟ ରାଜପଥ ଆୟୋଗ ଦ୍ୱାରା ୭.୫ପ୍ରତିଶତ ରିହାତି ମିଳିବ। ଏହି ବ୍ୟବସ୍ଥା ପାଇଁ ରାଜ୍ୟ ସଡ଼କ ପରିବହନ ନିଗମ ଓ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ଜରିଆରେ ଗତବର୍ଷ ଡିସେମ୍ବର ମାସରେ ଏକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି। ଗତବର୍ଷ ଡିସେମ୍ବର ମାସରେ କେନ୍ଦ୍ର ସଡ଼କ ମନ୍ତ୍ରଣାଳୟ ପକ୍ଷରୁ ଏହାକୁ ବାଧ୍ୟତାମୂଳକ କରାଯିବା ପରେ ରାଜ୍ୟର ସମସ୍ତ ଗାଡ଼ି ସୋ’ରୁମ୍‌ ନିକଟରେ ଏହି ବ୍ୟବସ୍ଥା କାର୍ଯ୍ୟକାରୀ କରିବା ପାଇଁ ନିର୍ଦେଶ ଦିଆଯାଇଛି। ଆଜିର ଉଦ୍‌ଘାଟନ କାର୍ଯ୍ୟକ୍ରମରେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଉତ୍ତର ବିଧାୟକ ପ୍ରିୟଦର୍ଶୀ ମିଶ୍ର, ମେୟର ଅନନ୍ତ ନାରାୟଣ ଜେନା ଓ ରାଜ୍ୟ ସଡ଼କ ନିଗମ ପରିଚାଳନା ନିର୍ଦେଶକ କେ.ଭି ସିଂହ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର