ସ୍ତ୍ରୀଙ୍କ କାନ୍ଧରେ ହାତ ରଖି ଚାଲିବା ଆରମ୍ଭ କଲେ ସଞ୍ଜୁ

ଭୁବନେଶ୍ବର : ଅସ୍ତ୍ରୋପଚାର ସଫଳ ହୋଇଛି। ଶେଷରେ ସଞ୍ଜୁ ଚାଲିଲେ। ସ୍ତ୍ରୀଙ୍କ କାନ୍ଧରେ ହାତ ରଖି ଆଜି ସେ ଚାଲିବା ଆରମ୍ଭ କଲେ। ଖୁବ୍‌ ଶୀଘ୍ର ସେ ବିନା ସହାୟତାରେ ନିଜେ ନିଜେ ଚାଲିପାରିବେ ବୋଲି ଡାକ୍ତର ଆଶାବାଦୀ ଅଛନ୍ତି। ‌ତେଣୁ ଗତ ବର୍ଷେ ହେଲା ଜୀବନକୁ ବୋଝ ବୋଲି ଭାବୁଥିବା ସଞ୍ଜୁ ଆଜି ଚାଲିବା ପରେ ସ୍ବପ୍ନ ଦେଖିବା ଭଳି ଅନୁଭବ କରିଛନ୍ତି। ଦେଢ଼ ବର୍ଷ ହେଲା ଅଚଳ ହୋଇ ଖଟିଆରେ ପଡ଼ି ରହିଥିବା ସଞ୍ଜୁ ଆଜି ଚାଲିବା ପରେ ନୂଆ ଜୀବନ ପାଇଥିବା କହିଛନ୍ତି।

ସୂଚନାଯୋଗ୍ୟ, ‘ଫନି’ ବା‌ତ୍ୟା ପରେ ନିଜ ଭଙ୍ଗା ଚାଳ ଛପର ଘରକୁ ସଜାଡ଼ୁ ସଜାଡ଼ୁ ଚାଳରୁ ଖସି ପଡ଼ି ପୁରୀ ସମଗରାର ସଞ୍ଜୁ ଜେନା ଅକର୍ମଣ୍ୟ ହୋଇ ଯାଇଥିଲେ। ଚାଲି ପାରିନଥିଲେ। ଅପରେସନ ପାଇଁ ଲକ୍ଷ ଲକ୍ଷ ଟଙ୍କା ଦରକାର ବୋଲି ଜାଣିବା ପରେ ସେ ସେକ ଦେଇ ସୁସ୍ଥ ହୋଇଯିବେ ବୋଲି ଭାବିଥିଲେ। ମାତ୍ର ସେକ ଦ୍ବାରା ତାଙ୍କ ସ୍ବାସ୍ଥ୍ୟାବସ୍ଥା ଆହୁରି ବିଗିଡ଼ି ଯାଇଥିଲା। ତେଣୁ ସେ ସେମିତି ଅକର୍ମଣ୍ୟ ଅବସ୍ଥାରେ ଭଙ୍ଗା ଘରେ ପଡ଼ି ରହିଥିଲେ। ଏଭଳି ଦୁର୍ଦ୍ଦିନରେ ମା’ବାପାଙ୍କୁ ଛାଡ଼ିଦେଲେ, ତାଙ୍କୁ ସମସ୍ତେ ଏକପ୍ରକାର ଏକା କରି ଦେଇଥିଲେ। ଏମିତିକି ସ୍ତ୍ରୀ ମଧ୍ୟ ହତାଶ ହୋଇ ବାପଘରକୁ ଚାଲି ଯାଇଥିଲେ। ତେବେ ଭଗବାନଙ୍କ ଦୂତ ଭଳି କ୍ୟାପିଟାଲ ହସ୍ପିଟାଲର ଡାକ୍ତର ସୁବ୍ରତ ମହାନ୍ତି ସଞ୍ଜୁଙ୍କ ଚିକିତ୍ସା ଦାୟିତ୍ବ ନେଇଥିଲେ ଓ ନିଜେ ଅସ୍ତ୍ରୋପଚାର କରିଥିଲେ। ହସ୍ପିଟାଲରେ ଭର୍ତ୍ତି ହେବା ପରେ ସ୍ତ୍ରୀ ଛୁଟି ଆସିଥିଲେ ଓ ସେଠାରେ ପହଞ୍ଚି ସଞ୍ଜୁଙ୍କ ସେବାରେ ଲାଗି ପଡ଼ିଥିଲେ। ଆଜି ସମସ୍ତଙ୍କ ଶୁଭେଚ୍ଛାର ଫଳ ମିଳିଛି। ସଞ୍ଜୁ ଚାଲିବା ଆରମ୍ଭ କରିଛନ୍ତି।

ଏ ନେଇ ଡା. ସୁବ୍ରତ ମହାନ୍ତି କହିଛନ୍ତି ଯେ ଗୁରୁବାର ତାଙ୍କର ଅସ୍ତ୍ରୋପଚାର ହୋଇଥିଲା। ଅସ୍ତ୍ରୋପଚାର ବି ସଫଳ ହୋଇଥିଲା। ତେବେ ୪୮ ଘଣ୍ଟା ଅବ୍‌ଜର୍‌ଭେସନ୍‌ରେ ରଖିବା ପରେ ତାଙ୍କୁ ଆଜି ଚାଲିବାକୁ ସୁଯୋଗ ଦିଆଯାଇଥିଲା। ସ୍ତ୍ରୀଙ୍କ କାନ୍ଧରେ ହାତ ରଖି ସେ ଚାଲିଛନ୍ତି। ତାଙ୍କୁ ଆଉ କିଛି ଦିନ ଅବ୍‌ଜର୍‌ଭେସନ୍‌ରେ ରଖାଯିବ। ଏକୁଟିଆ ଚାଲିବାକୁ ସକ୍ଷମ ହେବା ପରେ ତାଙ୍କୁ ଡିସ୍‌ଚାର୍ଜ କରାଯିବ ବୋଲି ଡା. ମହାନ୍ତି କହିଛନ୍ତି। ସୂଚନାଯୋଗ୍ୟ, ସଞ୍ଜୁଙ୍କ ଦୁଃଖ କାହାଣୀକୁ ଫେସ୍‌ବୁକ୍‌ରେ ଦେଖିବା ପରେ ଡାକ୍ତର ସୁବ୍ରତ ମହାନ୍ତି ସହଯୋଗର ହାତ ବଢ଼ାଇଥିଲେ। ତାଙ୍କୁ ଘରୁ ଆଣି ମାଗଣାରେ ଅପରେସନ କରିଥିଲେ।

ସମ୍ବନ୍ଧିତ ଖବର