ଆଇପିଏଲ୍‌ର ବାହୁବଳୀ!

ବାଙ୍ଗାଲୋର୍‌: ଶୁକ୍ରବାର ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର୍ ବିପକ୍ଷରେ ୧୩ ବଲରୁ ୪୮* ରନ୍ କରି କୋଲ୍‌କାତା ନାଇଟ୍ ରାଇଡର୍ସକୁ ଅପ୍ରତ୍ୟାଶିତ ବିଜୟ ପ୍ରଦାନ କରିଥିବା ୱେଷ୍ଟଇଣ୍ଡିଜ୍ ଅଲରାଉଣ୍ଡର୍‌ ଆନ୍ଦ୍ରେ ରସେଲଙ୍କ ନିକଟକୁ ଏବେ ପ୍ରଶଂସାର ସୁଅ ଛୁଟିଛି। ତେବେ କେକେଆର୍ ମାଲିକ ସାହରୁଖ୍‌ ଖାନଙ୍କ ପ୍ରତିକ୍ରିୟା ନିଆରା ରହିଛି। ଦଳରେ ଥିବା ସ‌ମସ୍ତେ ଭଲ ଖେଳିଥିଲେ, କିନ୍ତୁ ଆପଣମାନେ ସମସ୍ତେ ନିଶ୍ଚିତ ଏକମତ ହେବେ ଯେ ଏହି ଫଟୋ (ରସେଲଙ୍କ ବାହୁବଳୀ ବେଶ) କିଛି କମ୍ ପ୍ରଶଂସାର ପାତ୍ର ନୁହଁ। ଆପଣମାନେ ସମସ୍ତେ ଭଲ କ୍ରିକେଟ୍‌ ଜାଣିଛନ୍ତି କିନ୍ତୁ ରସେଲ ତୁମେ ଚାମ୍ପିଅନ୍ ବୋଲି ସାହରୁଖ୍‌ ତାଙ୍କ ଟ୍ବିଟ୍‌ରେ ଉଲ୍ଲେଖ କରିଛନ୍ତି। ସୂଚନାଯୋଗ୍ୟ, ଶୁକ୍ରବାର ରାତିରେ କେକେଆର୍‌କୁ ୧୮ ବଲ୍‌ରୁ ୫୩ ରନ୍ ଆବଶ୍ୟକ ଥିବାବେଳେ ରସେଲ ୭ ଛକା ବଳରେ ୧୩ ବଲ୍‌ରୁ ୪୮* ରନ୍ କରି ଦଳକୁ ୫ ବଲ୍ ପୂର୍ବରୁ ବିଜୟୀ କରାଇଥିଲେ। ମ୍ୟାଚ୍‌ ପରେ ରସେଲ କହିଥିଲେ ‘କୌଣସି ପଡ଼ିଆ ମୋ ପାଇଁ ବଡ଼ କି ଯଥେଷ୍ଟ ନୁହେଁ’। ଅଷ୍ଟ୍ରେଲିଆର କିଛି ପଡ଼ିଆକୁ ଛାଡ଼ିଦେଲେ ମୋତେ କିଛି ବଡ଼ ଲାଗେ ନାହିଁ। ସେଠାରେ ମଧ୍ୟ ମୁଁ ବଲକୁ ଷ୍ଟାଣ୍ଡ୍ ପଠାଇବାରେ ସକ୍ଷମ ହୋଇଛି। ମୁଁ କେବଳ ନିଜ ସାମର୍ଥ୍ୟ ଓ ଶକ୍ତି ଉପରେ ବିଶ୍ବାସ ରଖିଥାଏ। ମୋ ବ୍ୟାଟ୍‌ର ଗତି ମଧ୍ୟ ଭଲ। ଅଧିକ କିଛି ନ କହି ପଡ଼ିଆରେ କରି‌ ଦେଖାଇବା ମୋ କାମ ବୋଲି ରସେଲ୍‌ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର