ମନ୍ଧାନାଙ୍କ ପ୍ରଥମ ଟେଷ୍ଟ୍‌ ଶତକ, ଭାରତ ୨୭୬/୫

କରାରା (କୁଇନ୍ସଲାଣ୍ଡ୍‌) : ସ୍ମୃତି ମନ୍ଧାନା ନିଜ ଖେଳ ଜୀବନର ଶ୍ରେଷ୍ଠ ଟେଷ୍ଟ୍ ପାଳି ଖେଳିଛନ୍ତି। ଗୋଲ୍ଡକୋଷ୍ଟ୍‌ର କରାରାରେ ଚାଲିଥିବା ଅଷ୍ଟ୍ରେଲିଆ ବିପକ୍ଷ ଏକମାତ୍ର ଦିବାରାତ୍ର ମହିଳା କ୍ରିକେଟ୍ ଟେଷ୍ଟ୍‌ ମ୍ୟାଚ୍‌ରେ ସ୍ମୃତି ପ୍ରଥମ ‌ଶତକ ହାସଲ କରିଛନ୍ତି। ତେବେ ବର୍ଷା ଓ ଆଲୋକ ଅଭାବରୁ ଲଗାତାର ଦ୍ବିତୀୟ ଦିବସରେ ମଧ୍ୟ ସମ୍ପୂର୍ଣ୍ଣ ଖେଳ ହୋଇପାରିନାହିଁ। ଶୁକ୍ରବାର ଷ୍ଟମ୍ପ୍ସ ବେଳକୁ ଭ୍ରମଣକାରୀ ମିତାଲି ରାଜଙ୍କ ଦଳ ୫ ୱିକେଟ୍ ହରାଇ ୨୭୬ ରନ୍ କରିଛି। ସ୍ମୃତି ପ୍ରଥମ ଭାରତୀୟ ମହିଳା ଭାବେ ଦିବାରାତ୍ର ଟେଷ୍ଟରେ ମଧ୍ୟ ଶତକ ହାସଲ କରିଛନ୍ତି। ଅଷ୍ଟ୍ରେଲିଆ ମାଟିରେ ମଧ୍ୟ ଟେଷ୍ଟ ଶତକ ହାସଲ କରିବାରେ‌ ସେ ପ୍ରଥମ ଭାରତୀୟ ମହିଳା। ୨୧୬ ବଲ୍‌ ଖେଳି ସ୍ମୃତି ୨୨‌ ଚୌକା ଓ ଗୋଟିଏ ଛକା ସହ ୧୨୭ ରନ୍‌ କରିଥିଲେ। ପୁନମ ରାଉତ (୩୬)ଙ୍କ ସହ ମିଶି ଦ୍ବିତୀୟ ୱିକେଟ୍‌ ପାଇଁ ୧୦୨ ରନ୍‌ ଯୋଡ଼ିବା ମଧ୍ୟ ଭାରତ ପାଇଁ ଏକ କୀର୍ତ୍ତିମାନ ପ୍ରତିଷ୍ଠା କରିଛି।

ସ୍ମୃତି ପ୍ରଥମ ଦିନ ଶେଫାଳି ବର୍ମାଙ୍କୁ ସାଥି କରି ପ୍ରଥମ ୱିକେଟରେ ୯୩ ରନ୍‌ ଯୋଡ଼ିଥିଲେ। ପୂର୍ବରୁ ପୁରୁଷ କ୍ରିକେଟ୍‌ରେ ବିରାଟ କୋହଲି ପ୍ରଥମ ଭାରତୀୟ ଭାବେ ଦିବାରାତ୍ର ଟେଷ୍ଟ୍‌ରେ ଶତକ ହାସଲ କରିଥିଲେ। ଶୁକ୍ରବାର ଖେଳ ଆରମ୍ଭ ହେବା ପରେ ମନ୍ଧାନା ତାଙ୍କ ପୂର୍ବଦିନର ସ୍କୋର୍‌ ୮୦ ରନ୍‌ରେ ଏକ ବିବାଦୀୟ କ୍ୟାଚ୍‌ ଦେଇଥିଲେ। ଏଲିସ୍ ପେରିଙ୍କ ବଲ୍‌କୁ ଅମ୍ପାୟାର୍‌ ଓଭରଷ୍ଟେପ୍‌ ନୋ ବଲ୍‌ ଦେଇଥିଲେ, ତଥାପି କ୍ୟାଚ୍‌ଟି ବିବାଦୀୟ ଥିଲା। ଏହା ପରେ ପ୍ରାରମ୍ଭିକ ଅଡୁଆକୁ ଏଡ଼ାଇ ୨୫ ବର୍ଷୀୟା ମନ୍ଧାନା ୫୨ତମ ଓଭରରେ ସେହି ଏଲିସ‌ ପେରିଙ୍କୁ ପୁଲ୍ ସଟ୍‌ ଖେଳି ଶତକ ପୂର୍ଣ୍ଣ କରିଥିଲେ। ଶେଷକୁ ଆସ ଗାର୍ଡନରଙ୍କ ବଲରେ ସେ ଆଉଟ୍ ହୋଇଥିଲେ। ପୁନମ ରାଉତ (୩୬, ୧୬୫ ବଲ୍‌), ଅଧିନାୟିକା ମିତାଲି ରାଜ (୩୦, ୮୬ ବଲ୍‌), ୟାସ୍ତିକା ଭାଟିଆ (୧୯, ୪୦ ବଲ୍‌) ପ୍ରମୁଖ ବଡ଼ ପାଳି ଖେଳି ପାରିନଥିଲେ। ମିତାଲି ରନ୍ ଆଉଟ୍ ହୋଇଯାଇଥିଲେ। ଖେଳ ଅଟକିବା‌ ବେଳକୁ ଦୀପ୍ତି ଶର୍ମା (୧୨*, ୨୮ ବଲ୍‌) ଏବଂ ତାନିଆ ଭାଟିଆ (୦*, ୧୩ ବଲ୍‌) ବ୍ୟାଟିଂ କରୁଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ ସୋଫି ମେଲିନକ୍ସ (୧୪-୫-୨୮-୨), ଆସ୍ ଗାର୍ଡନର୍‌ (୨୨-୧୦-୨୬-୧), ଏଲିସ୍ ପେରି (୧୮-୩-୫୪-୧) ସଫଳ ବୋଲର ଥିଲେ।

ସମ୍ବନ୍ଧିତ ଖବର