ଟିଏବି-ଆଇଟା-ଓଟିଏ ଚାମ୍ପିୟନସିପ୍ ସିରିଜ୍‌: ଆଦିତ୍ୟଙ୍କୁ ତ୍ରିମୁକୁଟ, ଆହାନଙ୍କୁ ଦ୍ବିମୁକୁଟ

ଭୁବନେଶ୍ବର : କଳିଙ୍ଗ ଷ୍ଟାଡିୟମ୍‌ରେ ଚାଲିଥିବା‌ ଟିଏବି-ଆଇଟା-ଓଟିଏ ଚାମ୍ପିୟନସିପ୍ ସିରିଜ୍ (ସିଏସ୍‌) ଶୁକ୍ରବାର ରାତିରେ ଶେଷ ହୋଇଯାଇଛି। ଓଡ଼ିଶା ‌ଖେଳାଳିଙ୍କ ପ୍ରାଧାନ୍ୟ ଦେଖିବାକୁ ମିଳିଥିବା ବେଳେ ବାଳକ ବିଭାଗରେ ଆଦିତ୍ୟ ବିକ୍ରମ ଆଚାର୍ଯ୍ୟ ତ୍ରିମୁକୁଟ ଏବଂ ବାଳିକା ବିଭାଗରେ ଆହାନ ଦ୍ବିମୁକୁଟ ଅର୍ଜନ କରି ରାଜ୍ୟର ଗୌରବ ବଢ଼ାଇଛନ୍ତି। ଆଦିତ୍ୟ ୧୪ ବର୍ଷରୁ କମ୍ ଫାଇନାଲ୍‌ରେ ଏହି ଶୀର୍ଷମାନ୍ୟତାପ୍ରାପ୍ତ ଖେଳାଳି ଦ୍ବିତୀୟ ମାନ୍ୟତାପ୍ରାପ୍ତ ପଶ୍ଚିମବଙ୍ଗର ଈଶାନ ଚୌଧୁରୀଙ୍କୁ ୬-୨, ୬-୩ରେ ପରାସ୍ତ କରିଥିଲେ। ୧୬ ବର୍ଷରୁ କମ୍‌ ଏକକ ଫାଇନାଲ୍‌‌ରେ ଦ୍ବିତୀୟମାନ୍ୟତାପ୍ରାପ୍ତ ଓଡ଼ିଶା ଖେଳାଳି ସପ୍ତପୂର୍ଣ୍ଣ ଜେନା ୫-୭ରେ ପଛୁଆ ଥିବାବେଳ କାନ୍ଧରେ ଆହତ କାରଣରୁ ଓହରିଯିବାରୁ ଆଦିତ୍ୟ ବିଜେତା ହୋଇଥିଲେ। ଏହା ପରେ ଅନିକେତ ସାହୁଙ୍କୁ ସାଥୀ କରି ଆଦିତ୍ୟ ୧୬ ବର୍ଷରୁ କମ୍ ବାଳକ ଯୁଗଳ ଫାଇନାଲ୍‌ରେ ପଶ୍ଚିମବଙ୍ଗ ଯୋଡ଼ି ଶ୍ରୀୟାଂଶ ସାହାଣୀ-ବେଦାନ୍ତର ଅଗ୍ରୱାଲଙ୍କୁ ୬-୧, ୬-୩ରେ ହରାଇ ଦେଇ ୩ ଟ୍ରଫି ସହ ତ୍ରିମୁକୁଟ ଅର୍ଜନ କରିଥିଲେ।

୧୪ ବର୍ଷରୁ କମ୍ ବାଳିକା ଫାଇନାଲ୍‌ରେ ଶୀର୍ଷ ମାନ୍ୟତାପ୍ରାପ୍ତ ଆହାନ ୬-୦, ୬-୦ରେ ପଶ୍ଚିମବଙ୍ଗର ଈନ୍ଦ୍ରାକ୍ଷୀ ଭଟ୍ଟାଚାର୍ଯ୍ୟଙ୍କୁ ପରାସ୍ତ କରିଥିଲେ। ୧୬ ବର୍ଷରୁ କମ୍‌ ବାଳିକା ବର୍ଗରେ ଦ୍ବିତୀୟ ମାନ୍ୟତାପ୍ରାପ୍ତ ଆହାନ ୬-୭ (୫), ୭-୫, ୩-୧ରେ ଆଗୁଆ ଥିବାବେଳେ ପ୍ରତିଦ୍ବନ୍ଦ୍ବୀ ଶୀର୍ଷମାନ୍ୟତାପ୍ରାପ୍ତ ସୋହିନୀ ଏସ୍ ମହାନ୍ତି ଓହରି ଯାଇଥିଲେ। ସୋହିନୀ କିନ୍ତୁ ଏହା ପୂର୍ବରୁ ପ୍ରୟାଂଶୀ ପାଣିଗ୍ରାହୀଙ୍କୁ ସାଥୀ କରି ୧୬ ବର୍ଷରୁ କମ୍‌ ବାଳିକା ଯୁଗଳ ଟ୍ରଫି ଜିତି ନେଇଥିଲେ। ଫାଇନାଲରେ ଏହି ଓଡ଼ିଶା ଯୋଡ଼ି ୬-୩, ୬-୧ରେ ସିଧାସଳଖ ଭାବେ‌ ପଶ୍ଚିମବଙ୍ଗର ଦୃଷ୍ଟି ବିଶ୍ବାସ ଓ ଦ୍ରିମି ବିଶ୍ବାସଙ୍କୁ ପରାସ୍ତ କରିଥିଲେ। ୧୪ ବର୍ଷରୁ କମ୍ ବାଳକ ଯୁଗଳ ଫାଇନାଲ୍‌ରେ ଓଡ଼ିଶାର ଆହାନ ମିଶ୍ର ଏବଂ ତାଙ୍କ ପଶ୍ଚିମବଙ୍ଗ ସାଥୀ ସୁଭ୍ରଦୀପ ମୁଖୋପାଧ୍ୟାୟ ୬-୪, ୬-୭ (୬), ୧୦-୩ରେ ମହମ୍ମଦ ଆରିଜ ଖାନ୍‌ (ଛତିଶଗଡ଼) ଓ ଦେବରାଜ ମଣ୍ଡାଣ୍ଡେ (ପଶ୍ଚିମବଙ୍ଗ)ଙ୍କୁ ପରାସ୍ତ କରି ବିଜେତା ହୋଇଥିଲେ। ବିଜେତାଙ୍କୁ ୨୫ ଓ ଉପବିଜେତାଙ୍କୁ ୨୦ ଆଇଟା ରୢାଙ୍କିଙ୍ଗ୍ ପଏଣ୍ଟ ମିଳିବ।
୫ ଦିନିଆ ଏହି ପ୍ରତିଯୋଗିତାରେ ୧୦ ରାଜ୍ୟରୁ ୭୪ ଜଣ ଖେଳାଳି ଭାଗ ନେଇଥିଲେ। ଉଦ୍‌ଯାପନୀ ଉତ୍ସବରେ ଓଟିଏ ଯୁଗ୍ମ ସମ୍ପାଦକ ସଂଜୀବ ପଣ୍ଡା, ଏଓ ସମ୍ବିତ ପଟ୍ଟନାୟକ, ଟେନିସ୍ ଆସୋସିଏସନ୍‌ ଅଫ୍‌ ଭୁବନେଶ୍ବର (ଟିଏବି)ର ଅଧ୍ୟକ୍ଷ ଚିତ୍ତରଂଜନ ମହାନ୍ତି, ଟୁର୍ଣ୍ଣାମେଣ୍ଟ୍ ରେଫରି ଯତୀନ ବତ୍ସ୍ୟ, ଟୁର୍ଣ୍ଣାମେଣ୍ଟ୍ ନିର୍ଦେଶକ ସନ୍ତୋଷ କୁମାର ଜେନା ଅତିଥି ଭାବେ ଉପସ୍ଥିତ ଥିଲେ। ନିକଟ ଭବିଷ୍ୟତରେ ଏଭଳି ପ୍ରତିଯୋଗିତା ଅଧିକରୁ ଅଧିକ ଓଡ଼ିଶାରେ ଆୟୋଜିତ ହେବ ବୋଲି ସୂଚନା ଦେଇଛନ୍ତି ଟିଏବି ଅଧ୍ୟକ୍ଷ ଚିତ୍ତରଂଜନ ମହାନ୍ତି।

ସମ୍ବନ୍ଧିତ ଖବର