ବିଜୟଙ୍କ ରାତ୍ରୀ ଭୋଜନ ପ୍ରସ୍ତାବ, ପେରିଙ୍କ ମଜାଦାର ପ୍ରତିକ୍ରିୟା

‘ଆଶା କରୁଛି ବିଲ୍ ସେ ଦେ‌େବ’

ନୂଆଦିଲ୍ଲୀ: କରୋନାଭୂତାଣୁ ସାରା ବିଶ୍ବରେ ଲୋକଙ୍କୁ ଘରେ ରହିବାକୁ ବାଧ୍ୟ କରିଛି। ଏଥିରୁ ବି କ୍ରିକେଟର୍‌ କିପରି ବାଦ୍‌ ପଡ଼ିବେ? ଘରେ ଥିବା ବେଳେ କ୍ରିକେଟର୍‌ମାନେ ପରିବାରକୁ ସମୟ ଦେବା ସହ ସାମାଜିକ ଗଣମାଧ୍ୟମରେ ବ୍ୟସ୍ତ ରହୁଛନ୍ତି। ଭାରତୀୟ କ୍ରିକେଟର୍‌ ବିରାଟ କୋହଲି, ରୋହିତ ଶର୍ମା, ମହମ୍ମଦ ସାମି, ଯୁବରାଜ ସିଂହ, ହରଭଜନ ସିଂହ ଏବଂ ମହମ୍ମଦ କୈଫ ଇନଷ୍ଟାଗ୍ରାମ ପୃଷ୍ଠାରେ ବ୍ୟସ୍ତ ରହିବାରେ ଆଗରେ ରହିଛନ୍ତି। ଏମାନେ ନିଜର ପୂର୍ବ ସ୍ମୃତିକୁ ମନେପକାଇବା ସହ ବିଭିନ୍ନ ବିଷୟରେ ପ୍ରଶଂସକଙ୍କୁ ଜ୍ଞାନ ମଧ୍ୟ ବାଣ୍ଟୁଛନ୍ତି ଏବଂ ମଜା ମଧ୍ୟ କରୁଛନ୍ତି। ଏମାନଙ୍କ ସହ ଭାରତୀୟ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍‌ ମୁରଲୀ ବିଜୟ ସାମିଲ ହୋଇଥିଲେ। ସାମାଜିକ ଗଣମାଧ୍ୟମରେ ଯୋଗ ଦେଉ ଦେଉ ମୁରଲୀ ଅଷ୍ଟ୍ରେଲିଆ ମହିଳା କ୍ରିକେଟର୍‌ ଏଲିସ୍‌ ପେରିଙ୍କ ସହ ରାତ୍ରୀ ଭୋଜନ କରିବା ଲାଗି ଇଛା ବ୍ୟକ୍ତ କରିଥିଲେ। ବିଜୟଙ୍କ ଏହି ଇଚ୍ଛାର ଜବାବ‌ ଅଷ୍ଟ୍ରେଲୀୟ ଅଲରାଉଣ୍ଡର ପେରି ଉପସ୍ଥାପିକା ରିଦ୍ଧିମା ପାଠକଙ୍କ ସହ ଇନ୍‌ଷ୍ଟାଗ୍ରାମ ଲାଇଭ୍‌ରେ କଥା ହେଲା ବେଳେ ଦେଇଛନ୍ତି। ମୁଁ ବହୁତ ଖୁସି। ଆଶା କରୁଛି ସେ ନିଶ୍ଚିତ ଏହାର ଦେୟ ଦେବେ। ତାଙ୍କ ପାଇଁ ଏହା କିଛି ନୁହେଁ ବୋଲି ପେରି କହିଛନ୍ତି। କେଉଁମାନଙ୍କ ସହ ରାତ୍ରୀ ଭୋଜନ କରିବାକୁ ଚାହୁଁଛନ୍ତି ବୋଲି ବିଜୟଙ୍କୁ କିଛି ଦିନ ତଳେ ଏକ ଲାଇଭ୍‌ ଚାଟ୍‌ରେ ପଚରା ଯାଇଥିଲା। ବିଜୟ କହିଥିଲେ, ସେ ପେରି ଏବଂ ଶିଖର ଧାୱନ ସହ ରାତ୍ରୀ ଭୋଜନ କରିବାକୁ ଚାହାନ୍ତି। ପେରି ବହୁତ ସୁନ୍ଦର ଏବଂ ଧାୱାନ୍‌ ମଜାଳିଆ ଲୋକ। ଧାୱନ୍‌ ହିନ୍ଦୀ କହିବେ ଏବଂ ମୁଁ ତାମିଲରେ କଥାବାର୍ତ୍ତା ହେବି ବୋଲି ବିଜୟ କହିଥିଲେ। ବିଜୟ ୬୧ ଟେଷ୍ଟ୍‌ ଖେଳି ୩୮.୨୮ ହାରରେ ୩୯୮୨ ରନ୍‌ ସଂଗ୍ରହ କରିଛନ୍ତି। ଏଥିରେ ୧୨ ଶତକ ସାମିଲ ଅଛି।

ସମ୍ବନ୍ଧିତ ଖବର