ଆସନ ବଦଳିବା ପରେ ପ୍ରସନ୍ନ, ରୋହିତ ଖୁସ୍‌

ସମ୍ବଲପୁର: ଯାହା ଅନୁମାନ କରାଯାଉଥିଲା ତାହା ହିଁ ହେଲା। ପରିଶେଷରେ ବିଜେଡି ସମ୍ବଲପୁର ଜିଲ୍ଲାର ଦୁଇଟି ଆସନ ସମ୍ବଲପୁର ଓ ରେଢ଼ା‌ଖୋଲରେ ପ୍ରାର୍ଥୀ ପରିବର୍ତ୍ତନ କରିଛି। ପରିବର୍ତ୍ତନ ପରେ ଦଳର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ ରେଢ଼ାଖୋଲରୁ ଏବଂ ବିଧାୟକ ରୋହିତ ପୂଜାରୀ ସମ୍ବଲପୁରରୁ ପ୍ରତିଦ୍ବନ୍ଦ୍ବିତା କରିବେ। ଦଳର ଏହି ପରିବର୍ତ୍ତିତ ନିଷ୍ପତ୍ତି‌ରେ ଉଭୟ ପ୍ରସନ୍ନ ଓ ରୋହିତ ଖୁସିଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ସମ୍ବଲପୁର ଆସନରେ ପ୍ରାର୍ଥୀ ଭାବେ ମନୋନୀତ ହେବାପରେ ପ୍ରସନ୍ନ ଆଦୌ ଖୁସିନଥିଲେ। ସେ ‌ରେଢ଼ାଖୋଲରୁ ପ୍ରତିଦ୍ବନ୍ଦ୍ବିତା କରିବାପାଇଁ ଆଗ୍ରହ ଦେଖାଉଥିଲେ ଏବଂ ଏଥିପାଇଁ ଦାବି ମଧ୍ୟ କରୁଥିଲେ। ଶେଷରେ, ପ୍ରସନ୍ନଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି ଦଳ ତାଙ୍କୁ ରେଢ଼ାଖୋଲ ଆସନରୁ ପ୍ରାର୍ଥୀ କରିଛି। ‌ତେବେ ଘୋଷଣାପରେ ଟିକେଟ ପରିବର୍ତ୍ତନ ପ୍ରସନ୍ନଙ୍କ କ୍ଷେତ୍ରରେ ନୂଆ ନୁହେଁ।

ଦ୍ବିତୀୟଥର ପାଇଁ ଏଭଳି ଘଟିଛି। ୨୦୦୯ ମସିହା ନିର୍ବାଚନରେ ପ୍ରସନ୍ନଙ୍କୁ ଭଟଲି ବିଧାନସଭା କ୍ଷେତ୍ରରୁ ପ୍ରାର୍ଥୀ କରିବାପାଇଁ ବିଜେଡି ଘୋଷଣା କରିଥିଲା। ପରବର୍ତ୍ତୀ ସମୟରେ ପୁଣି ଟିକେଟ ପରିବର୍ତ୍ତନ କରାଯାଇ ତାଙ୍କୁ ରେଢ଼ାଖୋଲରୁ ପ୍ରାର୍ଥୀ କରାଯାଇଥିଲା। ଅପରପକ୍ଷରେ, ଏଥରକ ରେଢ଼ାଖୋଲରୁ ରୋହିତଙ୍କ ପାଇଁ ବିଜୟ ସେତେଟା ସହଜ ହୋଇନଥାନ୍ତା। ସମ୍ଭବତଃ ଏହାକୁ ଦୃଷ୍ଟିରେ ରଖି ରୋହିତ ସମ୍ବଲପୁରମୁହାଁ ହୋଇଥିଲେ ଏବଂ ନିର୍ବାଚନ ଲଢ଼ିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଥି‌ଲେ। ଏବେ ତାଙ୍କୁ ଏଠାରୁ ପ୍ରାର୍ଥୀ କରାଯିବାପରେ ସେ ଖୁସିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର