ଉତ୍ତର ଘୁମୁସର ବନଖଣ୍ଡରେ ପୁଣି ମାଈ ହାତୀ ମୃତ

ଭଞ୍ଜନଗର : ଗଞ୍ଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡରେ ପୁଣି ଏକ ମାଈହାତୀର ମୃତ୍ୟୁ। ମୁଜାଗଡ ରେଞ୍ଜ ଡହ ସେକ୍ସନ୍‌ର ହାତୀଗୁଡ଼ା ବିଟ୍‌ ଅଧୀନରେ ଥିବା ତିଲିକି ସଂରକ୍ଷିତ ଜଙ୍ଗଲ (କମ୍ପାର୍ଟମେଣ୍ଟ୍‌ ନମ୍ବର-୧) ଭିତରୁ ଆଜି ଏକ ମାଈହାତୀର ଶବ ଉଦ୍ଧାର ହୋଇଛି। ଗତ ସୋମବାର ଦିନ ସକାଳେ ଏହି ରେଞ୍ଜ୍‌ର ଗମ୍ଭାରୀଗୋଚ୍ଛା ନିକଟରୁ ଏକ ଅଣ୍ଡିରା ହାତୀର ଶବ ମିଳିଥିଲା। ଏହାର ୪୮ ଘଣ୍ଟା ପରେ ପୁଣି ଏକ ମାଈହାତୀର ମୃତ୍ୟୁ ବନ ବିଭାଗକୁ ଚିନ୍ତାରେ ପକାଇଦେଇଛି। ହାତୀର ଶରୀରର ବିଭିନ୍ନ ସ୍ଥାନରେ କ୍ଷତଚିହ୍ନ ଠାବ ହୋଇଛି। ଫଳରେ ଦନ୍ତାହାତୀ ସହ ଲଢ଼େଇ କରି ଗୁରୁତର ଆଘାତ ପାଇବା ପରେ ତା’ର ମୃତ୍ୟୁ ହୋଇଥିବା ପାରିପାର୍ଶ୍ବିକ ସ୍ଥିତିରୁ ଅନୁମାନ କରାଯାଉଛି। କିନ୍ତୁ ଶବ ବ୍ୟବଚ୍ଛେଦ ରିପୋର୍ଟ ହସ୍ତଗତ ହେବା ପରେ ହିଁ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ବନଖଣ୍ଡ ଅଧିକାରୀ ସୁଦର୍ଶନ ବେହେରା ସୂଚନା ଦେଇଛନ୍ତି। ସେହିପରି ଶବଟି ମଧ୍ୟ ଫୁଲିଯାଇଥିବାରୁ ଦିନକ ଆଗରୁ ତଥା ଦୁଇଦିନ ‌ତ‌ଳେ ହାତୀଟିର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି।

ଶରୀରର ଅନେକ ସ୍ଥାନରେ କ୍ଷତ ଚିହ୍ନ
୪୮ ଘଣ୍ଟାରେ ଦ୍ବିତୀୟ ଘଟଣା
ସିସିଏଫ୍, ଆର୍‌ସିସିଏଫ୍‌ଙ୍କ ଅନୁଧ୍ୟାନ
ବର୍ଷ ଆରମ୍ଭରୁ ମଲେଣି ୪, ୭ ମାସରେ ୭

ସୂଚନାନୁସାରେ, ତିଲିକି ଜଙ୍ଗଲରେ ୧୯ଟିକିଆ ହାତୀପଲ ଗତିବିଧି ଜାରି ରଖିଥିଲେ। ବନ ବିଭାଗ କର୍ମଚାରୀମାନେ ହାତୀଙ୍କ ଗତିବିଧି ଉପରେ ନଜର ରଖିଥିବା ସହ ଜଙ୍ଗଲ ନିଆଁ ରୋକିବାକୁ ପାଟ୍ରୋଲିଂ କରୁଥିଲେ। ଏହି ସମୟରେ ଏକ ଗଛ ତଳୁ ହାତୀଟିର ଶବ ଠାବ ହୋଇଥିଲା। ପରେ ବନଖଣ୍ଡ ଅଧିକାରୀ ଶ୍ରୀ ବେହେରା ଓ ଟିମ୍ ପହଞ୍ଚି ଅନୁଧ୍ୟାନ କରିଥିଲେ। ଏହାପରେ ଓଡ଼ିଶା ୱାଇଲ୍ଡ୍‌ ଲାଇପ୍‌ ସିସିଏଫ୍‌ ମନୋଜ ଭି.ନାୟର୍ ଏବଂ ବ୍ରହ୍ମପୁର ଆରସିସିଏଫ୍‌ ପ୍ରଶାନ୍ତ କୁମାର ମିଶ୍ର ଏବଂ ଭୁବନେଶ୍ବରରୁ ରେଞ୍ଜ୍ ଅଧିକାରୀ ଜୟନ୍ତ କୁମାର ଦାସଙ୍କ ନେତୃତ୍ବରେ ଯୁଗ୍ମ ଯାଞ୍ଚ କମିଟି ଭାଗ୍ୟଲକ୍ଷ୍ମୀ ବାରିକ ଓ ଏସ୍ଆଇ ସୁଧାକର ସିଂ ପହଞ୍ଚି ପାରିପାର୍ଶ୍ବିକ ସ୍ଥିତି ଯାଞ୍ଚ କରିଥିଲେ। ଏହାପରେ ପ୍ରାଣୀ ଚିକିତ୍ସକ ନିଶିକାନ୍ତ ବଳଙ୍କ ଟିମ୍‌ ପହଞ୍ଚି ଶବକୁ ବ୍ୟବଚ୍ଛେଦ କରି ବିଭିନ୍ନ ନମୁନା ସଂଗ୍ରହ କରିଥିଲା।

ତେବେ ସଂପ୍ରତି ରାଜ୍ୟରେ ହାତୀମୃତ୍ୟୁ ଏକ ସମ୍ବେଦନଶୀଳ ପ୍ରସଙ୍ଗ ପାଲଟିଥିବା ବେଳ‌େ ଉତ୍ତର ଘୁମୁସର ବନଖଣ୍ଡରେ ସ୍ଥିତି ଚିନ୍ତାଜନକ ରହିଛି। ଏହାକୁ ମିଶାଇ ଉତ୍ତର ଘୁମୁସର ବନଖଣ୍ଡରେ ଗତବର୍ଷ ଜୁଲାଇ ମାସରୁ ଆଜିସୁଦ୍ଧା ମୋଟ ୭ଟି ହାତୀଙ୍କ ମୃତ୍ୟୁ ହୋଇ ସାରିଲାଣି। କେବଳ ଚଳିତ ବର୍ଷ ଆରମ୍ଭରୁ ବନଖଣ୍ଡରେ ୪ଟି ହାତୀ ମୃତ୍ୟୁ ବନ ବିଭାଗ ତଥ ପରିବେଶବିତ୍‌ଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି। ଗତ ଜାନୁଆରିରେ ତାରସିଂ ବନାଞ୍ଚଳର ମାଣପୁର ବିଟ୍‌ରେ ଏକ ଦନ୍ତାହାତୀ ଓ ଗତମାସରେ ଏକ ଅସୁସ୍ଥ ମାଖନା ହାତୀ ଏବଂ ଗତ ସୋମବାର ଏକ ଅଣ୍ଡିରା ହାତୀର ମୃତ୍ୟୁ ହୋଇଥିଲା। ଆଜି ପୁଣି ଏକ ମାଈହାତୀର ମୃତ୍ୟୁ ସେମାନଙ୍କ ସୁରକ୍ଷା ଉପରେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ସମ୍ବନ୍ଧିତ ଖବର