ଅଲିଭ୍‌ରିଡ୍‌ଲେଙ୍କ ଉପରେ ଜଳବାୟୁ ପରିବର୍ତ୍ତନ ପ୍ରଭାବ: ଅଣ୍ଡା ଦେଉଦେଉ ଛୁଆ

ବିରଳ ଦୃଶ୍ୟ

ସୂର୍ଯ୍ୟନାରାୟଣ ଲେଙ୍କା
ରାଜନଗର: ଜଳବାୟୁ ପରିବର୍ତ୍ତନ ଯୋଗୁଁ ଋତୁଚକ୍ରରେ ପରିବର୍ତ୍ତନ ଆସିଛି। ସେଥିପାଇଁ ଫେବ୍ରୁଆରି, ମାର୍ଚ୍ଚ ପରିବର୍ତ୍ତେ ଏପ୍ରିଲ ମାସରେ ଅଲିଭ୍‌ରିଡ୍‌ଲେ ସମୂହ ଅଣ୍ତାଦାନ ପ୍ରକ୍ରିୟାରେ ସାମିଲ ହୋଇଛନ୍ତି। ଯେଉଁ ସମୟରେ ଅଲିଭ୍‌ରିଡ୍‌ଲେ ଅଣ୍ତାଦାନ କରୁଛନ୍ତି, ସମାନ ସ୍ଥାନରେ, ଠିକ୍ ସେହି ସମୟରେ ଅଣ୍ତାରୁ ଶାବକ ବାହାରି ସମୁଦ୍ରକୁ ଯାଉଛନ୍ତି। ଏପରି ବିରଳ ଦୃଶ୍ୟ ପୂର୍ବରୁ କେବେ ଦେଖିବାକୁ ମିଳି ନ ଥିଲା। ଜଳବାୟୁ ପରିବର୍ତ୍ତନ ଯୋଗୁଁ ଏପରି ବିରଳ ଦୃଶ୍ୟ ଦେଖିବାକୁ ମିଳିଥିବା କୁହାଯାଉଛି। ଗହୀରମଥାରେ ଅଲିଭ୍‌ରିଡ୍‌ଲେଙ୍କ ଅଣ୍ତାଦାନ ପ୍ରକ୍ରିୟା ଜାରି ରହିଛି। ଚଳିତମାସ ୨ ତାରିଖରୁ ଆରମ୍ଭ ହୋଇଥିବା ଅଣ୍ତାଦାନ ପ୍ରକ୍ରିୟାରେ ଆଜି ଭୋର୍‌ ସୁଦ୍ଧା ୨ ଲକ୍ଷ ୯୯ ହଜାର ୪୯୭ କଇଁଛ ସାମିଲ ହୋଇଛନ୍ତି। ୨ ତାରିଖ ଦିନ ୩ହଜାର ୩୭ କଇଁଛ ଅଣ୍ତାଦାନ କରିଥିବା ବେଳେ ୩ ତାରିଖରେ ୮୩ ହଜାର ୬ଶହ, ୪ ତାରିଖରେ ୯୮ ହଜାର ୬୧, ୫ ତାରିଖରେ ୮୨ ହଜାର ୩୧ ଓ ୬ ତାରିଖରେ ୩୨ ହଜାର ୭୬୮ କଇଁଛ ଅଣ୍ତାଦାନ ପ୍ରକ୍ରିୟାରେ ସାମିଲ ହୋଇଛନ୍ତି। ତେବେ ଗତ ୮ବର୍ଷ ଭିତରେ ଚଳିତବର୍ଷ ସବୁଠୁ କମ୍ କଇଁଛ ଅଣ୍ତାଦାନ ପ୍ରକ୍ରିୟାରେ ସାମିଲ ହୋଇଛନ୍ତି।

୨୦୧୭ରେ ୬,୦୩,୯୬୨ କଇଁଛ ଅଣ୍ତାଦାନ କରିଥିବା ବେଳେ ୨୦୧୮ରେ ୬,୬୪,୮୯୭, ୨୦୧୯ରେ ୪,୫୦,୯୪୯, ୨୦୨୦ରେ ୪,୦୭,୨୦୪, ୨୦୨୧ରେ ୩,୪୯,୬୪୯, ୨୦୨୨ରେ ୫,୦୧,୧୫୭, ୨୦୨୩ରେ ୫,୧୨,୧୭୫ କଇଁଛ ଅଣ୍ତାଦାନ ପ୍ରକ୍ରିୟାରେ ସାମିଲ ହୋଇଥିଲେ। ଏହି ୮ ବର୍ଷର ରେକର୍ଡକୁ ଅନୁଧ୍ୟାନ କଲେ କେବେବି ଏପ୍ରିଲ ମାସରେ ସମୂହ ଅଣ୍ତାଦାନ ହୋଇ ନଥିଲା। ବଡ଼କଥା ହେଲା ଏଥର ଯେଉଁ ସମୟରେ କଇଁଛ ସମୂହ ଅଣ୍ତାଦାନ ପ୍ରକ୍ରିୟାରେ ସାମିଲ୍‌ ହୋଇ ଅଣ୍ତାଦାନ କରୁଥିଲେ, ଠିକ୍ ସେହି ସମୟରେ ସମାନ ବେଳାଭୂମିରୁ କଇଁଛ ଶାବକ ବାହାରି ସମୁଦ୍ରକୁ ଯିବାର ଦୃଶ୍ୟ ଦେଖିବାକୁ ମିଳିଛି। ଏହା ପରିବେଶବିତଙ୍କୁ ବିସ୍ମିତ କରିଛି। ଗତ ୪ ତାରିଖ ଦିନ ଅଣ୍ତାଦାନ ସମୟରେ ନାସୀ-୨ରେ ଏକ ଅଣ୍ଡାରୁ କଇଁଛ ଶାବକ ବାହାରି ସମୁଦ୍ରକୁ ଯାଉଥିବା ଦେଖିବାକୁ ମିଳିଥିଲା। ସେତେବେଳେ ସିସିଏଫ୍‌ ମନୋଜ ଭି. ନାୟାର୍‌ ଏହି ଦୃଶ୍ୟକୁ କ୍ୟାମେରାରେ କଏଦ କରିଥିଲେ। ସମାନ ସମୟରେ କଇଁଛଙ୍କ ଅଣ୍ତାଦାନ ଓ ଅଣ୍ତାରୁ ଛୁଆ ବାହାରିବାର ଦୃଶ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଥିଲା।

ସମ୍ବନ୍ଧିତ ଖବର