ଟ୍ୟାକ୍ସି ଡ୍ରାଇଭରଙ୍କୁ ହତ୍ୟା କରି ରାସ୍ତାକଡ଼ରେ ଫିଙ୍ଗିଦେଲେ

ଆନନ୍ଦପୁର : କଟକ କଲେଜଛକରୁ ଯାଜପୁରରୋଡ ଟ୍ୟାକ୍ସି ନେଇ ଆସିଥିବା ଡ୍ରାଇଭରଙ୍କୁ ହତ୍ୟା କରି ରାସ୍ତାକଡ଼ରେ ଫିଙ୍ଗି ଦିଆଯାଇଛି। ନିଖୋଜର ଚାରିଦିନ ପରେ କେନ୍ଦୁଝର ଜିଲ୍ଲା ଘସିପୁରା ଥାନା ଅନ୍ତର୍ଗତ ୨୦ ନମ୍ବର ଜାତୀୟ ରାଜପଥର ଦରଖଳା ନିକଟରୁ ତାଙ୍କର ଗଳିତ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ହେଉଛନ୍ତି ପୁରୀ ଜିଲ୍ଲା କଣାସ ଥାନା ଛଟିଯୋଡ଼ି ଗ୍ରାମର ଭଗବାନ ବୈରୀଗଞ୍ଜନ (୫୩)। କଟକ ମାଲଗୋଦାମ ଥାନାରେ ଏନେଇ ଅଭିଯୋଗ ହୋଇଥିବାରୁ ମୃତଦେହର ବ୍ୟବଚ୍ଛେଦ ନେଇ ପ୍ରଥମେ ସମସ୍ୟା ହୋଇଥିଲା। ପରେ ଘସିପୁରା ପୁଲିସ କେସ୍ ନମ୍ବର ୩୨/୨୩ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହ ବ୍ୟବଚ୍ଛେଦ କରିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ସମ୍ପୃକ୍ତ ଟ୍ୟାକ୍ସି ଓ ସେଥିରେ ଆସିଥିବା ତିନିଜଣଙ୍କ କୌଣସି ସନ୍ଧାନ ମିଳିପାରି ନାହିଁ।

କଟକ ମଧୁପାଟଣା ତିନିଘରିଆ ଅଞ୍ଚଳର ରାଜକିଶୋର ବିଶ୍ବାଳ ନିଜର ଏକ କାର୍‌ (ଓଡି-୦୨-ଏଏ-୧୯୬୨)କୁ ଭଡ଼ାରେ ଲଗାଇଥିଲେ। ଏହି କାରକୁ ଭଗବାନ ଚଳାଉଥିଲେ। ଗାଡ଼ିଟି କଟକ କଲେଜଛକ ପୋଷ୍ଟ ଅଫିସ୍ ନିକଟ ଷ୍ଟାଣ୍ଡରେ ରହୁଥିଲା। ଗତ ୨୪ ତାରିଖ ସନ୍ଧ୍ୟା ସାଢ଼େ ୮ଟା‌ବେଳେ ଦୁଇଜଣ ଯୁବକ ଓ ଜଣେ ଯୁବତୀ ପହଞ୍ଚି ଯାଜପୁରରୋଡ ଯିବାକୁ କହିଥିଲେ। ‌ସେମାନଙ୍କୁ ଯାଜପୁରରୋଡ ନେଇ ଆସିଥିବା ଭଗବାନ ଆଉ କଟକ ଫେରିନଥିଲେ। ଗାଡ଼ି ମାଲିକ ରାଜକିଶୋର ତାଙ୍କୁ ୨୫ ତାରିଖ ଦିନ ୧୨ଟା ପର୍ଯ୍ୟନ୍ତ ଫୋନ୍ କରିଥିଲେ। ଫୋନ୍‌ ରିଙ୍ଗ ହୋଇଥିଲେ ମଧ୍ୟ କେହି ଉଠାଇ ନଥିଲେ। ଏହାପରେ ଫୋନ୍ ସୁଇଚ୍ ଅଫ୍ ହୋଇଯାଇଥିଲା। ରାଜକିଶୋର ଏନେଇ ମାଲଗୋଦାମ ଥାନାରେ ଜଣାଇଥିଲେ। ତଦନ୍ତ ପରେ ଗାଡ଼ିଟି କେନ୍ଦୁଝର ଜିଲ୍ଲା ଘଟଗାଁ ଆଡ଼କୁ ଯାଇଥିବା ଜଣାପଡ଼ିଥିଲା।

ସିସିଟିଭି ଫୁଟେଜ୍‌ ଆଧାରରେ ପୁଲିସ ତିନିଜଣ ଯୁବକଯୁବତୀଙ୍କ ସମ୍ପର୍କରେ ତଦନ୍ତ କରିଥିଲା। ସେମାନେ କଲେଜ ପିଲା ବୋଲି ମଧ୍ୟ ଜଣାପଡ଼ିଛି। ହେଲେ ଅଦ୍ୟାବଧି ସେମାନଙ୍କ ପତ୍ତା ମିଳିନାହିଁ। ସେମାନେ ଭଗବାନଙ୍କୁ ହତ୍ୟା କରିବା ପରେ ଦରଖଳା ନିକଟରେ ଫୋପାଡ଼ି ଦେଇ ଚମ୍ପଟ ମାରିଥିବା ଜଣାପଡ଼ିଛି। ଭଗବାନଙ୍କ ମୃତଦେହରେ ଏକାଧିକ କ୍ଷତଚିହ୍ନ ରହିଥିବା ପୁଲିସ କହିଛି। ବ୍ୟବଚ୍ଛେଦ ପରେ ସମ୍ପର୍କୀୟମାନେ ମୃତଦେହ ନେଇ ଘରକୁ ଫେରିଯାଇଛନ୍ତି। ଦିନକପରେ ଆସି ଥାନାରେ ଅଭିଯୋଗ କରିବା ପରେ ଘଟଣାର ତଦନ୍ତ ଆରମ୍ଭ ହେବ ବୋଲି ଘସିପୁରା ଥାନା ଅଧିକାରୀ ବିକ୍ରମ କୁମାର ଭୂୟାଁ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର