ତେୟାଅଶୀ ବର୍ଷରେ ଓଡ଼ିଶା

ଓଡ଼ିଶା ଦିବସ-୨୦୧୮

ବୟାଅଶିଟି ବସନ୍ତକୁ ଅତିକ୍ରମ କରିଛି ଓଡ଼ିଶା। ବୟସ ଦୃଷ୍ଟିରୁ  ଯଦିଓ ସେ ବରିଷ୍ଠ, ମାତ୍ର ଏବେ ବି ତା’ର ଯୌବନ ଜାଜ୍ୱଲ୍ୟମାନ। ଯେବେଠୁ ଭାଷା ଭିତ୍ତିରେ  ଓଡ଼ିଶା ସ୍ୱତନ୍ତ୍ର ରାଜ୍ୟ ହୋଇଛି ସେବେଠୁ ଏପ୍ରିଲ୍‌ ପହିଲା ସବୁ ଓଡ଼ିଆଙ୍କ ପାଇଁ ଏକ ଅପାସୋରା ତାରିଖ ପାଲଟିଯାଇଛି। ଏନେଇ ଆଜିଠୁ ଝଲସିଲାଣି ସାରା ଓଡ଼ିଶା। ସଚିବାଳୟରୁ ବିଧାନସଭା। ପୁଣି କର୍ପୋରେଟ୍‌ ହାଉସ୍‌ରୁ ନେଇ ଘରୋଇ ଅନୁଷ୍ଠାନ ଯାଏଁ। ଉତ୍କଳ ଦିବସକୁ ନେଇ ନାହିଁ ନଥିବା ଆଡ଼ମ୍ବର। ଖାଲି ଓଡ଼ିଶା ନୁହେଁ ସମଗ୍ର ଦେଶ ଓ ଦେଶ ବାହାରେ ରହୁଥିବା ଓଡ଼ିଆମାନେ ବି ଓଡ଼ିଶା ମା’ର ଜନ୍ମଦିନ ପାଳିବାକୁ ପ୍ରସ୍ତୁତ କରିଛନ୍ତି ଲମ୍ବା ଚଉଡ଼ା ଯୋଜନା। ତେବେ ବିକଶିତ ଓଡ଼ିଶାର ସ୍ୱପ୍ନକୁ ସାକାର କରିବା ପାଇଁ ଭବିଷ୍ୟତ କାର୍ଯ୍ୟପନ୍ଥା ଯେତିକି ଗୁରୁତ୍ୱପୂର୍ଣ୍ଣ, ଅତୀତର ସ୍ମୃତିକୁ ରୋମନ୍ଥନ କରିବା ସେତିକି ମହତ୍ତ୍ୱପୂର୍ଣ୍ଣ। କେବଳ ସରକାର ନୁହଁନ୍ତି, ବରଂ ପ୍ରତ୍ୟେକ ଓଡ଼ିଆଙ୍କ ଭାଗୀଦାରିତା ବିନା ଏହା ଅସମ୍ଭବ। ଭାଷା, ସାହିତ୍ୟ, ସାଂସ୍କୃତିକ ମୂଲ୍ୟବୋଧ ଓ ସମୃଦ୍ଧ ପରମ୍ପରାର ଗନ୍ତାଘର ଓଡ଼ିଶାର ସ୍ମୃତିଚାରଣ ସହ ପ୍ରସ୍ତୁତ ହୋଇଥିବା ଖସଡ଼ା ଓ ରହି ଯାଇଥିବା ଅଭାବବୋଧକୁ ନେଇ ଆମର ସ୍ୱତନ୍ତ୍ର ଉପସ୍ଥାପନା

ଓଡ଼ିଆରେ ହୋର୍ଡିଂ ଓ ନାମଫଳକ ଲାଗିପାରିଲାନି

ଭୁବନେଶ୍ୱର : ଓଡ଼ିଶା ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ ଆଇନ-୧୯୫୬ ଅନୁଯାୟୀ ରାଜ୍ୟର ସମସ୍ତ ଦୋକାନ, ବାଣିଜ୍ୟିକ ପ୍ରତିଷ୍ଠାନରେ ଓଡ଼ିଆରେ ହୋର୍ଡିଂ ଓ ନାମଫଳକ ଲାଗିବ। ହେଲେ ଏହାକୁ କଡ଼ାକଡ଼ି ଲାଗୁ କରାଯାଉନି। ଏପ୍ରିଲ ୧ରୁ ସମସ୍ତ ସରକାରୀ କାର୍ଯ୍ୟ ଓଡ଼ିଆରେ କରିବାକୁ ସରକାର ଘୋଷଣା କରିଥିବାରୁ ଏହି ଦିନରୁ ସମସ୍ତ ଦୋକାନ,ବାଣିଜ୍ୟିକ ପ୍ରତିଷ୍ଠାନର ନାମଫଳକ ଓଡ଼ିଆରେ ଲେଖିବା ବାଧ୍ୟତାମୂଳକ ହେବ ବୋଲି ଆଶା କରାଯାଉଥିଲା। ଏପରିକି କ୍ୟାବିନେଟରେ ଆଇନରେ ସଂଶୋଧନ ଆଣିବା ସହ ଦଣ୍ଡବିଧାନ ବଢ଼ା ଯାଇଥିଲା। କିନ୍ତୁ ସଂଶୋଧିତ ଆଇନକୁ ବିଧାନସଭାରେ ପାରିତ କରିବା ପାଇଁ ରାଜ୍ୟ ସରକାର କହିଥିବାରୁ ଏବଂ ଏପର୍ଯ୍ୟନ୍ତ ବିଧାନସଭାରେ ଆଗତ ହୋଇନଥିବାରୁ ଏହାକୁ ଆଳ କରି ଦୋକାନ/ବାଣିଜ୍ୟିକ ପ୍ରତିଷ୍ଠାନରେ ଓଡ଼ିଆରେ ନାମଫଳକ ଲାଗିପାରିଲାନି। ଏହା କିପରି ଲାଗିବ ସେନେଇ ବି ସରକାରୀ ଅଧିକାରୀମାନେ ପଦକ୍ଷେପ ନେଉନାହାନ୍ତି।

ରାଜ୍ୟର ସମସ୍ତ ଦୋକାନ/ବାଣିଜ୍ୟିକ ପ୍ରତିଷ୍ଠାନ ଯେପରି ଓଡ଼ିଆରେ ସେମାନଙ୍କ ନାମ ଫଳକ ଲଗାଇବେ ତାହା ନିଶ୍ଚିତ କରିବାକୁ ଶ୍ରମ କମିସନରଙ୍କୁ ଦାୟିତ୍ୱ ଦିଆଯାଇଛି। ଆସନ୍ତାକାଲି ଓଡ଼ିଶା ଦିବସ ପାଳନ ହେବାକୁ ଥିବାବେଳେ ସବୁଠି ଓଡ଼ିଆ ଲେଖା ପ୍ରଚଳନ କରିବା ନେଇ କିନ୍ତୁ ଶ୍ରମ କମିସନରଙ୍କ କାର୍ଯ୍ୟାଳୟ ଏନେଇ ତତ୍ପରତା ଦେଖାଉନି। ଏପରିକି କେବେ ସୁଦ୍ଧା ସବୁଠି ଓଡ଼ିଆରେ ନାମଫଳକ ଲେଖା ହେବ ସେନେଇ ବି ଅଧିକାରୀଙ୍କ ପାଖରେ ଉତ୍ତର ନାହିଁ।

ଏନେଇ ସହକାରୀ ଶ୍ରମ କମିସନର କିଶଳୟ ଶତପଥୀଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, କ୍ୟାବିଟେନରେ ସିନା ପ୍ରସ୍ତାବ ଅନୁମୋଦନ ହେଲା। ହେଲେ ଏହା ଆଇନରେ ପରିଣତ ହୋଇନି। ତେଣୁ ଆମେ ଏହାକୁ ଲାଗୁ କରିପାରୁନୁ। ଦୋକାନୀ, ବ୍ୟବସାୟୀଙ୍କୁ ଓଡ଼ିଆରେ ନାମ ଫଳକ/ହୋର୍ଡିଂ ଲଗାଇବା ନେଇ ସଚେତନ କରିବାକୁ ଆମକୁ କିଛି ନିର୍ଦ୍ଦେଶନାମା ଆସିନି। ତେଣୁ ଆମେ କିଛି ବି ପଦକ୍ଷେପ ନେଇନୁ। ଏପ୍ରିଲ ୧ରେ କିଛି ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ।

ଶ୍ରୀ ଶତପଥୀଙ୍କ କହିବାନୁଯାୟୀ, ଓଡ଼ିଶା ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ ଆଇନ-୧୯୫୬ ଅନୁଯାୟୀ, ଯେଉଁ ଦୋକାନ/ବାଣିଜ୍ୟିକ ପ୍ରତିଷ୍ଠାନରେ ନାମଫଳକ ଓଡ଼ିଆରେ ଲେଖା ହୋଇନଥିବ ସେଠାରୁ ୧୫ରୁ ୫୦ଟଙ୍କା ପର୍ଯ୍ୟନ୍ତ ଜରିମାନା ଆଦାୟ ହେବ। ଏପରିକି ଏହାପରେ ବି ଯଦି ନଲଗାଇବେ ତେବେ ଆମେ ଜରିମାନା ଆଦାୟ କରିପାରିବୁନି। ଏହି ଆଇନ ସଂଶୋଧନ ହେବା ପରେ ଓଡ଼ିଆରେ ନାମଫଳକ/ହୋର୍ଡିଂ ନଲଗାଇଲେ ହଜାରେରୁ ୫ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଆଦାୟ ହେବ। ଏହାପରେ ବି ଯଦି ନଲଗାନ୍ତି ତେବେ ୫ହଜାରରୁ ୨୫ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଆଦାୟ କରାଯିବ। ଏହି ନିୟମ ଲାଗୁ କରିବାକୁ ହେଲେ ପ୍ରଥମେ ଅର୍ଡିନାନ୍ସ ବିଜ୍ଞପ୍ତି ହେବା ଦରକାର। ନଚେତ୍‌ ସଂଶୋଧିତ ହୋଇଥିବା ଆଇନ ବିଧାନସଭାରେ ପାରିତ ହେଲେ ଏହା ଓଡ଼ିଶା ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ ଆଇନ-୧୯୫୬(ସଂଶୋଧିତ ୨୦୧୮) ଭାବେ ଲାଗୁ ହେବ। ଏହି ଆଇନ ଆସିଲେ ଆମେ ସ୍ୱତଃପୂର୍ତ୍ତ ଭାବେ ପଦକ୍ଷେପ ନେବୁ।

ନୂଆ ଆଇନ ଲାଗୁ ହେଲେ ଜିଲ୍ଲା ସ୍ତରରେ ଏଏଲ୍‌ଓ ଓ ଡିଏଲ୍‌ଓମାନେ ଯାଞ୍ଚ କରି ପଦକ୍ଷେପ ନେବେ। ଭୁବନେଶ୍ୱର ଓ କଟକ ପାଇଁ ମୁଖ୍ୟ କାର୍ଯ୍ୟାଳୟରେ ଥିବା ଅଧିକାରୀ ଓ କର୍ମଚାରୀଙ୍କୁ ନେଇ ଏନଫୋର୍ସମେଣ୍ଟ ଟିମ୍‌ ଗଠନ ହେବ। ଏହି ଟିମ୍‌ ନିୟମିତ ଯାଞ୍ଚ କରି ପଦକ୍ଷେପ ନେବ। ଆସନ୍ତା ୧୫ରୁ ୨୧ତାରିଖ ପର୍ଯ୍ୟନ୍ତ ଓଡ଼ିଆ ସେବା ସପ୍ତାହ ପାଳନ ହେବାକୁ ଥିବାରୁ ଏହି ସମୟରେ ଆମେ ଦୋକାନୀ/ବ୍ୟବସାୟୀଙ୍କ ମଧ୍ୟରେ  ସଚେତନତା ସୃଷ୍ଟି କରିବାକୁ ବିଭିନ୍ନ କାର୍ଯ୍ୟକ୍ରମ କରିବୁ ବୋଲି ଶ୍ରୀ ଶତପଥୀ କହିଛନ୍ତି।

ଆଇଟି ଅଧୀନକୁ ଗଲା ଓଡ଼ିଆ ଭର୍ଚୁଆଲ୍‌ ଏକାଡେମି 

ଗୋଟେ ପୋର୍ଟାଲ୍‌ରେ ରହିବ ଓଡ଼ିଶାର ଇତିିବୃତ୍ତ

ଓଡ଼ିଶାର ଐତିହାସିକ ଦସ୍ତାବିଜ୍‌ଠୁ ନେଇ ଆଦିବାସୀ ପରମ୍ପରା ପର୍ଯ୍ୟନ୍ତ। ଓଡ଼ିଶା ସମ୍ବନ୍ଧୀୟ ବହୁ ଗୁରୁତ୍ୱପୂର୍ଣ୍ଣ କଥା, କାହାଣୀ, ସାଂସ୍କୃତିକ ବିବିଧତାର ତଥ୍ୟଭିତ୍ତିକ ପ୍ରମାଣ ମାତ୍ର ଗୋଟେ କ୍ଲିକ୍‌ରେ ଉପଲବ୍ଧ ହେବ। ସମଗ୍ର ଓଡ଼ିଶାର ପରିଚୟ ଓ ଓଡ଼ିଶା ସମ୍ବନ୍ଧିତ ଯାବତୀୟ ତଥ୍ୟ ପଢ଼ିବା, ଜାଣିବା ଓ ଗବେଷଣାରେ ସହାୟକ ହେବ ‘ଓଡ଼ିଆ ଭର୍ଚୁଆଲ୍‌ ଏକାଡେମି’। ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ଏ ନେଇ ମୂଳଦୁଆ ପଡ଼ିଥିବା ବେଳେ ଏହା ବୈଷୟିକ ସମ୍ବନ୍ଧୀୟ କାର୍ଯ୍ୟ ହୋଇଥିବାରୁ ସୂଚନା ଓ ପ୍ରଯୁକ୍ତି (ଆଇଟି) ବିଭାଗକୁ ଏହି ଏକାଡେମିର କାର୍ଯ୍ୟକାରିତା ଭାର ଅର୍ପଣ କରାଯାଇଛି।

କିଛିଦିନ ପୂର୍ବେ ଆଇଟି ବିଭାଗ ଓଡ଼ିଆ ଭର୍ଚୁଆଲ୍‌ ଏକାଡେମିର ଦାୟିତ୍ୱ ନେବା ପରେ ଏକ ପ୍ରକଳ୍ପ ପରିଚାଳନା ୟୁନିଟ୍‌ (ପିଏମ୍‌ୟୁ) ଗଠନ କରାଯାଇଛି। ଏହି ୟୁନିଟ୍‌ ଜରିଆରେ ଓଡ଼ିଶା ସମ୍ପର୍କିତ ବହୁ ବିରଳ ପୁସ୍ତକ, ପୁରୁଣା ସମ୍ବାଦପତ୍ର, ପତ୍ରିକା, ତାଳପତ୍ର ପୋଥି, ପ୍ରାମାଣିକ ନଥି ଆଦିକୁ ସ୍କାନ୍‌ କରି ପୋର୍ଟାଲ୍‌ରେ ସଂପୃକ୍ତ କରାଯାଉଛି। ଆଜିର ଇଣ୍ଟରନେଟ୍‌ ଯୁଗରେ ଏହି ତଥ୍ୟଗୁଡ଼ିକୁ ସାଇତିବା ଦ୍ୱାରା କେବଳ ଏହା ଯୁଗ ଯୁଗ ପାଇଁ ଯେ ସଂରକ୍ଷିତ ରହିବ ତାହା ନୁହେଁ, ବରଂ ବିଶ୍ୱର ଯେକୌଣସି ବ୍ୟକ୍ତି ଯେଉଁଠି ଥାଇ ଓଡ଼ିଶାର ଇତିିବୃତ୍ତ (କ୍ଲାସିକ୍‌) ଏବଂ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଜାଣିପାରିବେ।

ସମ୍ବନ୍ଧିତ ଖବର