ଅଯୋଧ୍ୟା ବିବାଦ: ନୂତନ ସମ୍ବିଧାନ ପୀଠ ଗଠନ, ଜାନୁଆରି ୨୯ରେ ଶୁଣାଣି

ନୂଆଦିଲ୍ଲୀ: ଅଯୋଧ୍ୟ୍ୟା ମାମଲାର ଶୁଣାଣି ପାଇଁ ପ୍ରଧାନ ବିଚାରପତି ରଂଜନ ଗୋଗଇ ଆଜି ନୂତନ ସମ୍ବିଧାନ ପୀଠ ଗଠନ କରିଛନ୍ତି। ଏହି ସମ୍ବିଧାନ ପୀଠରେ ଜଷ୍ଟିସ୍‌ ଅଶୋକ ଭୂଷଣ ଏବଂ ଜଷ୍ଟିସ୍‌ ଅବଦୁଲ ନାଜିର୍‌ଙ୍କୁ ସାମିଲ କରାଯାଇଛି। ସୁପ୍ରିମ୍‌ କୋର୍ଟ ଜାନୁଆରି ୨୯ରେ ମାମଲାର ପରବର୍ତ୍ତୀ ଶୁଣାଣି କରିବେ। ଗତ ୧୦ ତାରିଖ ଦିନ ସୁପ୍ରିମ୍‌ କୋର୍ଟରେ ଅଯୋଧ୍ୟା ମାମଲାର ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ ହୋଇଥିବା ବେଳେ ବିଚାରପତି ୟୁ.ୟୁ. ଲଳିତ ଏଥିରୁ ଓହରି ଯାଇଥିଲେ। ଖଣ୍ଡପୀଠକୁ ନେଇ ସମସ୍ୟା ଉପୁଜିବାରୁ ନୂତନ ଖଣ୍ଡପୀଠ ଗଠନ ହେବ ବୋଲି ପ୍ରଧାନ ବିଚାରପତି ଘୋଷଣା କରିଥିଲେ। ମୁସ୍‌ଲିମ୍‌ ପକ୍ଷର ବରିଷ୍ଠ ଓକିଲ ରାଜୀବ ଧୱନ ଖଣ୍ଡପୀ‌ଠରେ ଜଷ୍ଟିସ ଲଳିତଙ୍କ ସଂପୃକ୍ତିକୁ ବିରୋଧ କରିବାରୁ ସେ ଏଥିରୁ ଓହରି ଯାଇଥିଲେ। ଏବେ ନୂତନ ପୀଠରେ ପ୍ରଧାନ ବିଚାରପତି, ଜଷ୍ଟିସ୍ ଏସ୍‌.ଏ. ବବଡ଼େ, ଡି.ୱାଇ. ଚନ୍ଦ୍ରଚୂଡ଼, ଅଶୋକ ଭୂଷଣ ଏବଂ ଏସ୍‌ ଏ. ନାଜିର ରହିଛନ୍ତି। ସମ୍ବିଧାନ ପୀଠର ପରବର୍ତ୍ତୀ ଶୁଣାଣି ଉପରେ ସମଗ୍ର ଦେଶର ନଜର ରହିଛି। ଅଯୋଧ୍ୟା ମାମଲାରେ ଏବେ ୨୫୭ ଦସ୍ତାବିଜ (୧୩,୮୬୦ ପୃଷ୍ଠା) ସୁପ୍ରିମ୍‌ କୋର୍ଟରେ ଦାଖଲ ହୋଇଛି। ହିନ୍ଦୀ, ଆରବୀୟ, ଗୁରୁମୁଖି ଏବଂ ଉର୍ଦୁ ଭାଷାରେ ଲିଖିତ ଏହି ଦସ୍ତାବିଜଗୁଡ଼ିକୁ ଇଂରାଜୀରେ ଅନୁବାଦ କରାଯାଇଛି। ମାମଲାର ଶୁଣାଣିରେ ବିଳମ୍ବ ହେଉଥିବାରୁ ବିଭିନ୍ନ ହିନ୍ଦୁ ସଂଗଠନ ସେମାନଙ୍କ ଉଦ୍‌ବେଗ ପ୍ରକାଶ କରିଛନ୍ତି ଏବଂ ଅଧ୍ୟାଦେଶ ଆଣିବା ପାଇଁ ସରକାରଙ୍କ ଉପରେ ଚାପ ସୃଷ୍ଟି କରାଯାଉଛି।

ସମ୍ବନ୍ଧିତ ଖବର