‘ବିଧବାଙ୍କୁ ସିନ୍ଦୂର ପିନ୍ଧିବାରୁ ବାରଣ କରାନଯାଉ’

ଭୁବନେଶ୍ୱର: ସଭ୍ୟ ସମାଜରେ ସ୍ୱାମୀକୁୁ ହରାଇଥିବା ମହିଳାଙ୍କୁ ଜୋରଜବରଦସ୍ତ ବିଧବା ବେଶରେ ସଜାଇବା, ସିନ୍ଦୂର , ଶଙ୍ଖା, ରଙ୍ଗୀନ ଶାଢୀ ଆଦି ପିନ୍ଧିବାରୁ ବାରଣ କରିବା ଅମାନବୀୟ ଘଟଣା। ସ୍ୱାମୀକୁ ହରାଇ ଦୁଃଖରେ ଭାଙ୍ଗି ପଡ଼ିଥିବା ମହିଳା ପ୍ରତି ଏହା ହେଉଛି ଚରମ ଅତ୍ୟାଚାର। ଯଦି ବିଧବା ମହିଳାଟି ସ୍ୱେଚ୍ଛାକୃତ ଭାବେ ବିଧବା ବେଶ ଧାରଣ କରୁଛି ଠିକ ଅଛି। ନଚେତ ନିଜ ସ୍ୱାମୀର ସ୍ମୃତି ଭାବେ ମହିଳାଙ୍କୁ ସିନ୍ଦୂର, ଶଙ୍ଖା ନିଜ ମନ ମୁତାବକ ଶାଢ଼ୀ ପିନ୍ଧି ସମାଜରେ ବଞ୍ଚିବାକୁ ସୁଯୋଗ ଦେବା ଦରକାର। ଆଜି ରେଡକ୍ରସ ଭବନଠାରେ ବାବା ବଳିଆ ଏକ ସାମ୍ବାଦିକ ସମ୍ମିଳନୀ ଡାକି ଏପରି କହିଛନ୍ତି। ଅନନ୍ତ ବଳିଆ ଟ୍ରଷ୍ଟ ଓ ଅନନ୍ତ ବଳିଆ ସେବା ସଂଘ ଭୁବନେଶ୍ୱର ଶାଖା ପକ୍ଷରୁ ଆୟୋଜିତ ଏହି ସମ୍ମିଳନୀରେ ବାବା ବଳିଆ ଆହୁରି କହିଲେ, ବର୍ତମାନ ସମାଜରେ ପୁରୁଷ ନିର୍ଯାତନା ଉଗ୍ର ରୂପ ଧାରଣ କଲାଣି। ମହିଳା କମିସନ୍‌ ପରି ସରକାର ପୁରୁଷ କମିସନ୍‌ ଗଠନ କରନ୍ତୁ। ବିବାହ ପୂର୍ବରୁ ପୁଅ ଓ ଝିଅ ଉଭୟଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ସହ ବୈବାହିକ ସର୍ତର ଆଦାନ, ପ୍ରଦାନ ହେବା ଜରୁରୀ। ଏହା ଦ୍ୱାର ଏକ ସୁସ୍ଥ ପରିବାର ଗଠନ ହୋଇପାରିବ। ସରକାର ଏଥିନେଇ ପଦକ୍ଷେପ ଗ୍ରହଣ ନକଲେ ଟ୍ରଷ୍ଟ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯିବ ବୋଲି ବାବା କହିଛନ୍ତି। ଆଇଜଜୀବୀ ପ୍ରଦୀପ ଦାସମହାପାତ୍ର ସ୍ୱାଗତଭାଷଣ ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସ୍ୱାମୀ ଚିଦାନନ୍ଦ, ବାବାଜୀ ସଞ୍ଜୟ ଦାସ, ମନୋଜ ଦାସ ଓ ପ୍ୟାରୀମୋହନ ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର